ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକରେ ମନରେଗା କାମରେ ଅନିୟମିତତା ନେଇ ସ୍ଥାନୀୟ ଜନସାଧାରଣ ଉପଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ଅଭିଯୋଗ। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ ଜରଡ଼ା ପଂଚାୟତରେ ମନରେଗା କାମରେ ପୋଖରୀ ଖୋଳା, ଷ୍ଟ୍ରେଞ୍ଜ ଖୋଳା ଇତ୍ୟାଦିରେ ଶ୍ରମିକ ବଦଳରେ ମେସିନ୍ ଦ୍ୱାରା କାମ ହେଉଅଛି । ଯାହାଫଳରେ ଅଞ୍ଚଳର ଶ୍ରମିକମାନେ କାମ ନପାଇ ଭୋକ ଉପାସରେ ପଡି ରହିବା ସହ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାଇ ଯାଉଛନ୍ତି। ତେବେ ଏହି ଅନିୟମିତତା ପାଇଁ ସ୍ଥାନୀୟ ଗ୍ରାମବାସୀ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଜରଡ଼ା ପଂଚାୟତରେ ଚଳିତ ବର୍ଷ ମନରେଗା ମାଧ୍ୟମରେ ପୋଖରୀଖୋଳା, ଷ୍ଟ୍ରେଞ୍ଜ ଖୋଳା,ଫାର୍ମ ଫଣ୍ଡ, ହାତୀ ଦାଉରୁ ରକ୍ଷା ପାଇଁ କେନାଲ ଟ୍ରେଞ୍ଜ ଓ କୂଅ ଖନନ ପାଇଁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଛି। ତେବେ ଶ୍ରମିକ ନିୟୋଜନ ପାଇଁ ସରକାରୀ ନିୟମ ଥିବା ସତ୍ତ୍ୱେ ସରକାରୀ ଅର୍ଥ ହଡପ ଉଦ୍ଦେଶ୍ୟରେ ଶ୍ରମିକ ବଦଳରେ ଜେସିବି ମେସିନ୍ ଓ ଅନ୍ୟାନ୍ୟ ମେସିନ୍ ଦ୍ୱାରା ତରବରିଆ ଭାବେ ରାତି ଅଧରେ କାମ କରାଯାଉଛି। ଅଭିଯୋଗ ଅନୁଯାୟୀ ପଂଚାୟତର ବାଲିସାହି ଉପରବନ୍ଧିଆ ପୋଖରୀରେ ୨୦୨୦-୨୧ ଆର୍ଥିକବର୍ଷରେ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଓ ଚଳିତବର୍ଷ ସମାନ ଅଟକଳରେ ଶ୍ରମିକଙ୍କ ବଦଳରେ ମେସିନରେ କାମ ହୋଇଥିବା ଅଭିଯୋଗ। ସେହିପରି ବାଲିସାହିରେ ୫ଲକ୍ଷର ଡ୍ରେନ୍, ବାଲିସାହିରୁ ଜଳକାଖୋଲ ପର୍ଯ୍ୟନ୍ତ କେନାଲ,ଉପରବନ୍ଧରୁ ଆମ୍ବବୋରି ଜଙ୍ଗଲ ପର୍ଯ୍ୟନ୍ତ ଡ୍ରେନ୍,ବଳିକିଆରୀରେ ବ୍ୟକ୍ତିଗତ ଫାର୍ମ ଫଣ୍ଡ,ନୁଆସାହି କାଜୁବଣି ଠାରୁ ନିକଟସ୍ଥ ଜଙ୍ଗଲ ପର୍ଯ୍ୟନ୍ତ ୫ଲକ୍ଷ ଟଙ୍କାର ଡ୍ରେନ୍,ହରିପୁର ଠାରେ ୪ଟି ଫାର୍ମ କାମ ଚାଲୁଥିବାବେଳେ ସମସ୍ତ କାମରେ ଶ୍ରମିକ ବଦଳରେ ମେସିନରେ କାମ ହେଉଛି । ଯାହାଫଳରେ ଅଞ୍ଚଳର ୩ଶହରୁ ଉର୍ଦ୍ଧ୍ବ ଶ୍ରମିକ ହାତବାନ୍ଧି ବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଓ ସନ୍ଦେହଜନକ କଥା ହେଲାକି ସମସ୍ତ କାର୍ଯ୍ୟ ବିନା ସୂଚନାଫଳକରେ କରାଯାଉଛି। ମନରେଗା କାର୍ଯ୍ୟରେ ହେଉଥିବା ଏହି ଅନିୟମିତତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ପ୍ରତାପ ସାହୁ ଜବକାର୍ଡଧାରୀ ଶ୍ରମିକମାନଙ୍କ ସହ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି। ଏପରି ପ୍ରାୟତଃ ବହୁ ପଞ୍ଚାୟତରେ କରାଯାଇଥିଲେ ମଧ୍ୟ ବ୍ଳକ୍ ପ୍ରଶାସନ ଜାଣି ଅଜଣା ଭଳି ହେଉଛି। ଏବଂ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ବ୍ଳକ୍ ଉନ୍ନୟନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନେଇ ସାଧାରଣରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ବାସ୍ତବରେ ଏଠି ଚାଲିଛି କଣ ।