ଢେଙ୍କାନାଳ : ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବାପାଇଁ ଅନୁରୋଧ କରିଛି ଭାଗିରଥି ସାଗର ସୁରକ୍ଷା ସମିତି l ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭାଗିରଥି ସାଗର ଚତୁର୍ପାଶ୍ୱରେ ବସବାସ କରୁଥିବା ସ୍ଥାନୀୟ ଲୋକମାନେ l ଆଜି ସକାଳ ୯ଟା ବେଳେ ସ୍ଥାନୀୟ ଅଧିବାସୀ ମାନେ ନଗରପାଳିକା ଶ୍ରୀମତୀ ଜୟନ୍ତୀ ପାତ୍ର ଏବଂ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ରଙ୍କ ସଙ୍ଗେ ଆଲୋଚନାରେ ନିଷ୍କର୍ଷ ନବାହାରିବା ଫଳରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ କି ଆପଣଙ୍କ କାର୍ଯ୍ୟାଳୟରେ ଗତ ୧୦ ଜୁଲାଇ ୨୦୨୪ ରେ ନିଷ୍ପତ୍ତି ହୋଇଥିବା ଅନୁସାରେ ପୋଖରୀର ସମସ୍ତ ପଙ୍କ ମାଟି ଚତୁର୍ପାଶ୍ୱ ସଂକୁଚିତ ନକରି ବାହାରକୁ ନିଷ୍କାସନ ହେବ l ପୋଖରୀ ଭିତରେ ପଙ୍କ ମାଟି ଆଦୌ ରହିବନାହିଁ ବୋଲି ପୌର ନିର୍ବାହୀ ଅଧିକାରୀ ଓ ପୌର ଯନ୍ତ୍ରୀଙ୍କ ସମ୍ମୁଖରେ ତୁରନ୍ତ ବାହାର କରିବାପାଇଁ କହିଥିଲେ l ଫଳରେ ସୁରକ୍ଷା ସମିତି ଡାକରା ଦେଇଥିବା “ଢେଙ୍କାନାଳ ବନ୍ଦ ” ସ୍ଥଗିତ ରହିଥିଲା l ମାତ୍ର ବର୍ଷା ଯୋଗୁଁ ପଙ୍କ ମାଟି ବାହାର କରାଯାଇ ନଥିଲା l ବର୍ତ୍ତମାନ ପୌର ପାଳିକା ଉଦ୍ଦେଶ୍ୟ ମୂଳକ ଭାବେ ୨୬ ଏକର ପରିମିତ ବିରାଟ ପୋଖରୀକୁ ସଂକୁଚିତ କରି ତାର ଆୟତନ କମ୍ କରୁଛନ୍ତି l ସୂଚନା ଥାଉକି ଏହି ପୋଖରୀର ଜଳ ସ୍ତର ମାଟି ଠାରୁ ଉପରେ ରହୁଥିବାରୁ ଢେଙ୍କାନାଳ ସହରର ସମସ୍ତ ନଳକୂପ ଗୁଡିକୁ ରିଚାର୍ଜ କରିଥାଏ l ବର୍ତ୍ତମାନ ଅଳ୍ପ ସଂଖ୍ୟକ ନଳକୂପ ଥିଲାବେଳେ ଭବିଷ୍ୟତରେ ଲୋକସଂଖ୍ୟା ତୁଳନାରେ ଅନେକ ଗୁଡ଼ିଏ ନଳକୂପ ହୋଇଗଲେ ଶେଷରେ ଏହି ଭାଗିରଥି ସାଗର ଉପରେ ସମସ୍ତେ ନିର୍ଭର କରିବେ l ଯଦି ଏହି ଜଳାଶୟର ଆୟତନ ସଂକୁଚିତ କରାଯିବ ଆଗାମୀ ପିଢ଼ିର ଢେଙ୍କାନାଳ ସହରବାସୀ ପାଣି ପାଇଁ ଛଟପଟ ହେବେ l ଭାଗିରଥି ସାଗର ସୁରକ୍ଷା ସମିତି ସଦସ୍ୟ ଏବଂ ଚତୁର୍ପାଶ୍ୱରେ ବସବାସ କରୁଥିବା ଅଧିବାସୀଙ୍କର ଏକମାତ୍ର ଦାବି ସରକାରୀ ପ୍ରଶାସନ ତାଙ୍କ ପୂର୍ବ ନିଷ୍ପତ୍ତିରେ କାୟମ ରହି ସମସ୍ତ ପଙ୍କ ମାଟିକୁ ଚତୁର୍ପାଶ୍ୱରେ ନ ଆଉଜାଇ ତୁରନ୍ତ ବାହାରକୁ ନିଷ୍କାସନ କରାଯାଉ l ଏହି କାର୍ଯ୍ୟ ତିନି ଦିନ ମଧ୍ୟରେ ପୋଖରୀ ଭିତର ମାଟି ବାହାରକୁ ନିଷ୍କାସନ କରା ନଗଲେ ସମସ୍ତ ସହରବାସୀଙ୍କୁ ସଚେତନ କରାଯାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଥିଲେ l ଦାବିପତ୍ର ପ୍ରଦାନ ସମୟରେ ସୁରକ୍ଷା ସମିତିର ସଭାପତି ପଙ୍କଜ ନାୟକ, ସମ୍ପାଦକ ଅଶୋକ ସ୍ୱାଇଁ, ଆବାହକ ପ୍ରଶାନ୍ତ କୁମାର ମିଶ୍ର, ଭରତ କୁମାର ଦାସ, ଉଦୟନାଥ ବେହେରା, ବିକାଶ ସ୍ୱାଇଁ, ମନ୍ମଥ ରାଓ, କେଶବ ବେହେରା, ଅବିନାଶ ସାହୁ, ଦିଲ୍ଲୀପ କୁମାର ରାଉତ, କିଶୋର ଚନ୍ଦ୍ର ବେହେରା, ରୁଦ୍ରାନ୍ତ ଦଳେଇ, ସୁବ୍ରତ ହୋତା, ଗୋକୁଳାନନ୍ଦ ମାଝୀ, ଅମ୍ବିକା ପ୍ରସାଦ ମିଶ୍ର, ସୁଜିତ ବେହେରା, ଅଭିମନ୍ୟୁ ବେହେରା, ଅନିଶ ବିଶ୍ୱାଳ, ବିବେକାନନ୍ଦ ଷଡ଼ଙ୍ଗୀ, ପ୍ରଭାତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l