ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଜାମେ ମସଜିଦଠାରେ ଅହମଦିୟା ମୁସଲିମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଜାମେ ମସଜିଦ ଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜମାଅତର ସଭାପତି ସୁଲେମାନ ଅଲୀ ଖାଁ ଏହି ସମ୍ମିଳନୀରେ ପୌରୋହିତ୍ୟ କରିଥିଲେ। ଶେଖ୍ ତନୱିର କୋରାନ ପାଠ କରିଥିବା ବେଳେ ମଶହୁଦ ଅହମଦ (ନଜମ୍) ସଂଗୀତ ପରିବେଷଣ କରିଥିଲେ। ଏତତ୍ ବ୍ୟତୀତ ଶେଖ୍ ବସିର, ତାହିର ଜଲାଲ ପ୍ରମୁଖ ଭାଷଣ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ମୌଲବୀ ମୁଜାଫର ଖାଁ ଏବଂ ମୌଲବୀ ଲିଆକତ ଅଲ୍ଲୀ ଖାଁ ଅହମ୍ମଦିୟା ମୁସଲିମ ପ୍ରତିଷ୍ଠା ଦିବସ ବିଷୟରେ ସବିସ୍ତାର ବର୍ଣ୍ଣନା କରିଥିଲେ।ପରିଶେଷରେ ସଭାପତି ନିଜ ଅଭିଭାଷଣରେ କହିଥିଲେ ଯେ ଅହମ୍ମଦିଆ ମୁସଲିମ ସମ୍ପ୍ରଦାୟର ଗଠନ ଆଜକୁ ପ୍ରାୟ ୧୩୬ ବର୍ଷ ପୁର୍ବେ ହୋଇଥିଲା। ଏହି ସମ୍ପ୍ରଦାୟ ସମାଜରେ ପ୍ରେମ ଶାନ୍ତି ତଥା ମାନବ ବାର୍ତ୍ତାର ପ୍ରଚାର ପ୍ରସାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନା କରିବାରେ ନିରନ୍ତର ପ୍ରୟାସ କରି ଆସୁଅଛି। ଅନ୍ତତଃ ସାମୁହିକ ଦୁଆ (ପ୍ରାର୍ଥନା) ପରେ ଏହି ଧର୍ମସଭା ଶେଷ ହେଲା। ଏହି ସମାରୋହରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସମ୍ମିଳିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଅହମଦିୟା ମୁସଲିମ ଜମାତର ପ୍ରତିଷ୍ଠା ହଜରତ ମିର୍ଜା ଗୁଲାମ ଅହମଦଙ୍କ ଦ୍ବାରା ୨୩ ମାର୍ଚ୍ଚ ୧୮୮୯ ମସିହାରେ ହୋଇଥିଲା। ଏଣୁ ସମଗ୍ର ବିଶ୍ବରେ ଅହମଦିଆ ମୁସ୍ଲିମ ସଂପ୍ରଦାୟର ଅନୁଗାମୀମାନେ ୨୩ ମାର୍ଚ୍ଚକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରିଥାନ୍ତି । ଉକ୍ତ ସଂପ୍ରଦାୟ ପ୍ରତିଷ୍ଠା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଇସ୍ଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ଉପସ୍ଥପାନ କରିବା ଏବଂ ଇସ୍ଲାମ ଶାନ୍ତି ଓ ନିରାପଦର ଧର୍ମ ବୋଲି ମାନବ ସମାଜକୁ ଅବଗତ କରାଇବା । ଏହି ସଂଗଠନର ପ୍ରତିଷ୍ଠାତା ହଜରତ୍ ମିର୍ଜା ଗୁଲାମ ଅହମଦଙ୍କ ପରଲୋକ ପରେ ଏହି ସଂଗଠନର ଖିଲାଫତ୍ ତଥା ଉତ୍ତରାଧିକାରୀ ପ୍ରଥା ପ୍ରଚଳନ ହୋଇଥିଲା। ବର୍ତ୍ତମାନ ଏହି ସଂସ୍ଥାର ପଞ୍ଚମ ଖଲିଫା ହଜରତ୍ ମିର୍ଜା ମସରୁର ଅହମ୍ମଦଙ୍କ ତତ୍ତ୍ୱାବଧାନରେ ଅହମଦିଆ ସମ୍ପ୍ରଦାୟ ବିଶ୍ଵର ୨୦୦ ରୁ ଉର୍ଦ୍ଧ୍ବ ଦେଶରେ ବିଶ୍ବ ଶାନ୍ତି ଓ ବିଶ୍ଵ ଭ୍ରାତୃଭାବ ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟକରୁଛି ।