ଢ଼େଙ୍କାନାଳ – ଭୁବନ ଏନ୍ ଏ ସି ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନ୍ ଏ ସି କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷ ଶ୍ରୀମତୀ ମାନିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ନାରୀ ଯୁଗେ ଯୁଗେ ପୂଜନିୟା ଓ ବନ୍ଦନୀୟା । ମହିଳା ମାନଙ୍କ ଉନ୍ନତି ପାଇଁ ସର୍ବ ପ୍ରଥମେ ବିଜୁ ବାବୁ ପ୍ରୟାସ କରିଥିଲେ । ମା ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରା ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ସଶକ୍ତ କରିବାକୁ ଯାଇ ୩୩ ପ୍ରତିଶତ ରୁ ୫୦ ପ୍ରତିଶତ ସଂରକ୍ଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ଼ଃ ମମତା ପାତ୍ର ଯୋଗଦେଇ କନ୍ୟା ସନ୍ତାନ ପରିବାର ପାଇଁ ବୋଝ୍ ନୁହେଁ, କନ୍ୟା ହେଉଛି ଲକ୍ଷ୍ମୀ ସ୍ୱରୂପା। ଆମ ଦେଶର ରାଷ୍ଟ୍ରପତି ଜଣେ ମହିଳା ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେ ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ମହିଳା ।ଢେ଼ଙ୍କାନାଳ ଜିଲ୍ଲାରେ ୧୦୦୦ ପୁଅ ରେ ୮୮୦ ଝିଅ ଅଛନ୍ତି। କନ୍ୟା ଭ୍ରୁଣ ହତ୍ୟା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ୧୪ ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ କଳ୍ପନା ବେହେରା ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମହିଳା ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ କର୍ମୀ,ସ୍ୱଚ୍ଛ ସାଥିଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ର ଶତାଧିକ ମହିଳା ଉପସ୍ଥିତ ଥିଲେ । ସମସ୍ତଙ୍କ ପାଇଁ ବଡଖାନା ର ଆୟୋଜନ କରାଯାଇଥିଲା।