ମରଣ କେତେବେଳେ ଆସେ କେହି କହିପାରେନା, ଏଇ ଯେମିତି ଜଣେ ଯୁବକ ହସ ଖୁସିରେ ସଂପର୍କୀୟ ବାହାଘରରେ ଯୋଗଦାନ କରିବାକୁ ଯାଇଥିଲେ। ଆଉ ଫେରିବା ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଲକ୍ ରାସୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ଗ୍ରାମର ସ୍ୱର୍ଗତ ମାୟାଧର ସାହୁଙ୍କ ସାନପୁତ୍ର ପ୍ରଭାସ ସାହୁ (୨୩) ବାଇକ୍ ଯୋଗେ ନିଜର ସଂପର୍କୀୟ ବାହାଘରକୁ ଗତ ଯୋଗଦେବାକୁ ଯାଇଥିଲେ। ବାହାଘରରେ ଯୋଗଦାନ କରି ଘରକୁ ଫେରିବା ରାସ୍ତାରେ ରଞ୍ଜାଗୋଳ ଶିଶୁଗଡା ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଓ ସଂପର୍କୀୟଙ୍କ ସହଯୋଗରେ ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଢେଙ୍କାନାଳରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅପରେସନ କରାଯାଇଥିଲା। ବଡ଼ ଦୁଃଖର ବିଷୟ କି ମୁଣ୍ଡ ଅପରେସନର ୧୧ଦିନ ଭିତରେ ଅର୍ଥାତ୍ ରବିବାର ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ମୃତ୍ୟୁ ଘଟିଥିଲା । ସେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ପରୋପକାରୀ ଯୁବକ ଥିଲେ। ତାଙ୍କର ଦେହାନ୍ତ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବିବାର ଅପରାହ୍ନ ସମୟରେ ଗ୍ରାମ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଛି। ପ୍ରଭାସଙ୍କ ବିୟୋଗରେ ଯୁବ ସାମ୍ବାଦିକ ତଥା ସମାଜସେବୀ ଦୀପକ କୁମାର ନାଏକ, ସତ୍ୟନାରାୟଣ ବେହେରା (ସିଲୁ) ଓ ଶେଷଦେବ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।