ଢେଙ୍କାନାଳ : ଜିଲ୍ଲାରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷାର ସୁପରିଚାଳନା ନିମନ୍ତେ ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୋମେଶ୍ କୁମାର ଉପାଧ୍ୟାୟ ପରୀକ୍ଷା ବ୍ୟବସ୍ଥା ପରିଚାଳନାର ସମୀକ୍ଷା କରି ପରୀକ୍ଷା ପରିଚାଳନାରେ ଯେପରି କୌଣସି ପ୍ରକାରର ବ୍ୟତିକ୍ରମ ନ ହେବ ସେଥିପାଇଁ ସଂପୃକ୍ତ ଅଧିକାରୀ ଶୃଙ୍ଖଳିତ ଓ ଦାୟୀତ୍ବବୋଧତାର ସହ ନିଜର କାର୍ଯ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପରିଟେଣ୍ଡିଙ୍ଗ ଅଫିସର ମାନେ ପରୀକ୍ଷା ପୂର୍ବରୁ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିଲେ । ପରୀକ୍ଷା ସମୟରେ ବରିଷ୍ଠ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ତଦାରଖ କରିବା ପାଇଁ କହିଥିଲେ । ଜିଲ୍ଲାରେ ୯୪ଟି କେନ୍ଦ୍ରରେ ମାଧ୍ୟମିକ ପରୀକ୍ଷା ଚ଼ଳିତ ମାସ ୨୧ ତାରିଖରୁ ଆସନ୍ତା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ସକାଳ ୯ ଘଟିକା ଠାରୁ ୧୧ଘ. ୩୦ ମି. ପର୍ଯ୍ୟନ୍ତ ଚାଲିବ, କେବଳ ଗଣିତ ପରୀକ୍ଷା ସକାଳ ୯ ରୁ ୧୧ ଟା ୪୫ ମି. ପର୍ଯ୍ୟନ୍ତ ଚାଲିବ । ପ୍ରଶ୍ନପତ୍ର ଷ୍ଟୋର ନିମନ୍ତେ ୧୦ଟି ନୋଡାଲ ସେଣ୍ଟର କରାଯାଇ ସି.ସି. ଟିଭି ଓ ଆରକ୍ଷୀ ବ୍ୟବସ୍ଥା କରାଯାଇଥିଲା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସି ଟିଭି ଲଗାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବିନିତା ସେନାପତି ସୂଚ଼ନା ଦେଇଥିଲେ । ପରୀକ୍ଷାର୍ଥୀ ମାନଙ୍କୁ କୌଣସି ପ୍ରକାରର ଘଣ୍ଟା ନେବାକୁ ଅନୁମତି ନ ଥିବାରୁ ପ୍ରତ୍ୟେକ କେନ୍ଦ୍ରରେ କାନ୍ଥଘଣ୍ଟା ଲଗାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ପରୀକ୍ଷା ୪୩ କେନ୍ଦ୍ରରେ ଚ଼ଳିତ ମାସ ୧୮ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୭ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି । ପରୀକ୍ଷା ସୁପରିଚାଳନା କରିବାରେ କୌଣସି ଅଧିକାରୀ, କର୍ମଚାରୀ ଅସଦ ଉପାୟ କିମ୍ବା ବିଶୃଙ୍ଖଳା ଆଚ଼ରଣ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଚେତାବନୀ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଡ଼ି. ଆଇ.ବି. ଆଡ଼ିସ୍ନାଲ ଏସ.ପି. ଶ୍ରୀ ନିରଞ୍ଜନ ପାଢୀ, ସଦର ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ହିନ୍ଦୋଳ ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାସ କୁମାର ପରିଡ଼ାଙ୍କ ସମେତ ସଂପୃକ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଗଣ , ବିଭାଗୀୟ ଅଧିକାରୀ, ସମସ୍ତ ତହସିଲଦାର ଓ ବି.ଡ଼ି.ଓ. ମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ l