ଢେଙ୍କାନାଳ : ନିକଟରେ ସ୍ଥାନୀୟ ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଉଦ୍ଭିଦବିଜ୍ଞାନ ବିଭାଗରେ “ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଜୈବବିବିଧତା ଏକ ଶକ୍ତିଶାଳୀ ପ୍ରାକୃତିକ ପ୍ରତିରକ୍ଷା ” ଶୀର୍ଷକ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଡ.ଦେବରାଜ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ.ଚିତ୍ତ ରଞ୍ଜନ ସାହୁ ଉଦ୍ଘାଟକ ଭାବରେ ଯୋଗଦାନ କରି ଆଲୋଚନା ଚକ୍ରର ଶୁଭ ଉଦ୍ଘାଟନ କରି ଜଳବାୟୁ ପରିବର୍ତ୍ତନର କାରଣ ଓ ତା’ର ନିରାକରଣ ପାଇଁ ଜୈବ ବିବିଧତା ହିଁ ସବୁଠାରୁ ଉପଯୁକ୍ତ ମାଧ୍ୟମ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟତମ ବିଶିଷ୍ଟ ମୂଖ୍ୟଅତିଥି ଭାବରେ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ.ଅନିରୁଦ୍ଧ ଖିଲାର ସ୍ଵୀୟ ଅଭିଭାଷଣରେ ସଂପ୍ରତି ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ଵରେ ପକାଉଥିବା କୁପ୍ରଭାବକୁ ପ୍ରତିହତ କରିବା ପାଇଁ ଜୈବବିବିଧତା ହିଁ ପ୍ରାକୃତିକ ସୁରକ୍ଷା କବଚ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱରର ଉଦ୍ଭିଦବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ତଥା ଏହି ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଡ.ଜାକେଶ ମହାପାତ୍ର ଅନ୍ୟତମ ବିଶିଷ୍ଟ ସମ୍ମାନିତ ଅତିଥି ତଥା ସ୍ଵତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଆଲୋଚକ ଭାବେ ଯୋଗଦେଇ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ.ଦେବରାଜ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ଵୀୟ ସ୍ବାଗତ ଅଭିଭାଷଣ ପ୍ରଦାନ ଅବସରରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଜୈବବିବିଧତାର ଅଣୁଜୀବମାନଙ୍କର ବଳିଷ୍ଠ ଭୂମିକା ସଂପର୍କରେ ପର୍ଯ୍ୟାଲୋଚନା କରିଥିଲେ। ସ୍ନାତକୋତ୍ତର ଛାତ୍ରୀ ମଧୁସ୍ମିତା ମହାନ୍ତି ପୂର୍ବ ଆଲୋଚନାଚକ୍ରର ବିବରଣୀ ପାଠ କରିଥିଲେ। ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ ପ୍ରତ୍ୟାଶା ପଟ୍ଟନାୟକ ଆଲୋଚନାଚକ୍ରକୁ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ସଫଳ ସଂଯୋଜନା କରିଥିଲେ।ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି ଆଲୋଚନାଚକ୍ରରେ ସ୍ଵତନ୍ତ୍ର ନିମନ୍ତ୍ରିତ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଏହି ସଫଳ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।ଏହି ଆଲୋଚନାଚକ୍ରରେ ସ୍ନାତକୋତ୍ତର ଉଦ୍ଭିଦବିଜ୍ଞାନ ଏଵଂ ଜୈବ ପ୍ରାଦ୍ୟୋଗିକ ବିଭାଗର ଶତାଧିକ ଛାତ୍ରୀ,ଛାତ୍ରବୃନ୍ଦଙ୍କ ସମେତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀବୃନ୍ଦ ଯୋଗଦାନ କରିବା ସହ ଆଲୋଚନା ଚକ୍ରରେ କ୍ରିୟାଶୀଳ ଭାବରେ ସଫଳ ଅଂଶଗ୍ରହଣ କରିଥିଲେ। ପରିଶେଷରେ ବିଭାଗୀୟ ଆଲୋଚନାଚକ୍ର ର ଉପଦେଷ୍ଟା ଡ.ରିୟାଜତ୍ ଖାଦିମ୍ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।