କୁମ୍ଭକର୍ଣ୍ଣ ନିଦ୍ରାରେ ବନବିଭାଗ : ବଣୁଆ ହାତୀ ନେଲା ୬ବର୍ଷ ଝିଅର ଜୀବନ !

ଢ଼େଙ୍କାନାଳ: -ହାତୀ ଆକ୍ରମଣରେ ଦୈନିକ ଗୋଟେ ମୁଣ୍ଡ ଯିବାରେ ଢେଙ୍କାନାଳ ଜିଲ୍ଲାର ଦୁଇବ୍ଲକ ହିନ୍ଦୋଳ ଓ ଓଡାପଡା ବ୍ଲକକୁ ନେଇ ଗଠିତ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡ଼ିଶାରେ ପ୍ରଥମ। ହିନ୍ଦୋଳ ନିର୍ବାଚନମଣ୍ଡଳୀର ଦୁଇ ବ୍ଲକ ହାତୀ ଘେରରେ ଥିବାବେଳେ ଢେଙ୍କାନାଳ ବନବିଭାଗ ବେଫିକର ମନୋବୃତ୍ତି ସାଧାରଣ ଜନତାଙ୍କ ଆକ୍ରୋଶ ବଢ଼ାଇବାରେ ଲାଗିଛି। ହିନ୍ଦୋଳ ବନବିଭାଗ ଅଞ୍ଚଳରେ ହାତୀ ଆକ୍ରମଣରେ ଦୈନିକ ଜଣେ ମୃତ୍ୟୁବରଣ କରୁଥିବାବେଳେ, ଫସଲହାନି, ହରିଣ,କୁଟୁରା, ବାରହା,ହାତୀ ଓ ବନ୍ୟଜନ୍ତୁ ଶିକାର ସହ ଜଙ୍ଗଲ ମାଟି, ଗଛ କାଟିନେବା ଇତ୍ୟାଦି ଘଟୁଥିବାବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ବନବିଭାଗ ଅଭେନ୍ୟୁ ପ୍ଲାଣ୍ଟ ଦୁର୍ନୀତିରେ ଉବୁଟୁବୁ। ସେହିପରି ଓଡାପଡା ବ୍ଲକର ମଧ୍ୟ ସମଦଶା।ଖବରରୁ ପ୍ରକାଶ ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବ୍ଲକର ହାଣ୍ଡିଫୁଟା ହରିଜନ ବସ୍ତିରେ ଗତକାଲି ବିଳମ୍ବିତ ରାତିରେ ୩ଟିକିଆ ହାତୀପଲ ପଶି ପ୍ରମୋଦ ନାଏକଙ୍କ ଘରେ ପଶି ଶୋଇଥିବା ତାଙ୍କ ବୃଦ୍ଧା ମା କଳାବତୀ ନାଏକ,ସ୍ତ୍ରୀ କସ୍ତୁରୀ ନାଏକ ଓ ତିନିଝିଅଙ୍କୁ ଆକ୍ରମଣ କରିବାସହ ୬ବର୍ଷର କୁନିଝିଅ ପ୍ରିୟଙ୍କା ନାଏକଙ୍କୁ ଟେକିନେଇ କଚାଡି ପାଦରେ ଦଳି ମାରିଦେଇଥିଲା ବେଳେ ପରିବାରର ଅନ୍ୟମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଏହି ଖବରପାଇ ଗ୍ରାମରେ ଉତ୍ତେଜନା ଦେଖାଯିବା ସହ ଉତ୍ୟକ୍ତ ଗ୍ରାମବାସୀ ଆଜି ହିନ୍ଦୋଳ-ଗୁଡ଼ିଆକାଟେଣୀ ମୁଖ୍ୟରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ, ଫଳରେ ଏହି ରାସ୍ତାରେ ଗମନାଗମନ ପୁରା ଠପ ହୋଇଯାଇଥିଲା। ଘଟଣାସ୍ଥଳରେ ମୋଟଙ୍ଗା ଥାନା ପୋଲିସ, ମେରାମୁଣ୍ଡଳୀ ବନକର୍ମଚାରୀ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ହାତୀ ଉପଦ୍ରଵର ସ୍ଥାୟୀ ସମାଧାନ ନହେବାଯାଏ ଆନ୍ଦୋଳନରୁ ହଟିବେନାହିଁ ବୋଲି ଜିଦଧରିଥିଲେ ତେବେ ପ୍ରଶାସନିକ ଓ ବନବିଭାଗ ଅଧିକାରୀ ମାନେ ସମସ୍ତ ଦାବିପୂରଣ ପାଇଁ ନିର୍ଭର ପ୍ରତିଶୃତି ଦେବାରୁ ଦିନ ୧୧ଘଣ୍ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ନିକଟରେ ହିନ୍ଦୋଳ ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ କିଛି ଗୋରୁ ମଇଁଷି ମୃତାହତ ହେବା, ଗୁଳିବିଦ୍ଧ ହାତୀ ବର୍ତମାନ ସୁଦ୍ଧା ଜଙ୍ଗଲରେ ବୁଲୁଥିବା ସହ କିଛିଦିନତଳେ ମଣିଷ ମରିବା ଭଳି ଅଘଟଣ ମନରୁ ଯାଇନଥିବାବେଳେ ଓଡାପଡା ବ୍ଲକରେ କୁନି ଝିଅର ମୃତ୍ୟୁ ଢେଙ୍କାନାଳ ଓ ହିନ୍ଦୋଳ ବନବିଭାଗର ଅପାରଗତା କୁ ପଦାରେ ପକାଇଦେଇଥିବା ବେଳେ ସମଗ୍ର ପ୍ରଶାସନ, ବନବିଭାଗ ଓ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଅବହେଳା ପାଇଁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଲାଣି ।

Leave A Reply

Your email address will not be published.

4 × five =

21:12