ଢେଙ୍କାନାଳ : ଦେଶ ପାଳନ କଲା ୭୬ତମ ଗଣତନ୍ତ୍ର ଦିବସ। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ । ଦିଲ୍ଲୀଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଖୁସି ଓ ଉତ୍ସାହର ବାତାବରଣ । ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛି ମୁଁ ଭାରତୀୟ। ଏହି ଅବସରରେ ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ର ବିଭିନ୍ନ ସ୍ଥାନରେ ମଧ୍ୟ ଗଣତନ୍ତ୍ର ଦିବସ ଆନନ୍ଦ ଉତ୍ସାହର ସହ ପାଳନ ହୋଇଯାଇଛି। ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ଅହମଦିୟା ମୁସଲିମ ସଭାପତି ସୁଲେମାନ ଅଲୀ ଖାଁ, ଗୁଣ୍ଡିଚା ପଡ଼ା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ମହାନ୍ତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଚିନ କୁମାର ନାୟକ ପଞ୍ଚାୟତ କାର୍ଯ୍ୟାଳୟରେ ଗୁଣ୍ଡିଚାପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ, ଶାରଳା କ୍ଲବ୍ ଠାରେ ମୌଲବୀ ଲିଆକତ ଅଲୀ ଖାଁ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ର ଛାତ୍ରୀ ତଥା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । କୁନି କୁନି ପିଲାମାନେ ଜାତୀୟ ସଙ୍ଗୀତ ତଥା ଦେଶାତ୍ମବୋଧକ ଗୀତ ଗାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ଭାରତ ମାତା କି ଜୟ, ବନ୍ଦେ ଉତ୍କଳ ଜନନୀ ତଥା ବିଭିନ୍ନ ସ୍ଲୋଗାନ ରେ କମ୍ପି ଉଠିଥିଲା ଗୁଣ୍ଡିଚାପଡ଼ା।ଅହମଦିୟା ମୁସଲିମ ସମ୍ପ୍ରଦାୟର ସଭାପତି ସୁଲେମାନ ଅଲୀ ଖାଁ ଦେଶପ୍ରେମ ବିଶ୍ଵାସର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ।