ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଉପଲକ୍ଷେ ଭାବ-ବିନିମୟ କାର୍ଯ୍ୟକ୍ରମ-୨୦୨୪ ଅନୁଷ୍ଠିତ !

ଢେଙ୍କାନାଳ: ସ୍ଥାନୀୟ ସମଗ୍ର ଶିକ୍ଷା,ଢେଙ୍କାନାଳ ପକ୍ଷରୁ ସ୍ଵୀୟ ସଭାଗୃହରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ଉପଲକ୍ଷେ ଭାବ-ବିନିମୟ କାର୍ଯ୍ୟକ୍ରମ-୨୦୨୪ ଭାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେ. ରୋଜା ବାଳିକା ମାନେ ବାଳକ ମାନଙ୍କ ସହିତ ସମକକ୍ଷ ହେବା ସଙ୍ଗେ ସଙ୍ଗେ କର୍ମ କୁଶଳତାରେ ଆହୁରି ସୁଦକ୍ଷା ହୋଇ ସମାଜର ସବୁ କ୍ଷେତ୍ରରେ ସଫଳତା ଲାଭ କରିବାକୁ ଆଗେଇ ଆସିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ। ସରକାରଙ୍କ ପକ୍ଷରୁ ସୁଦକ୍ଷା ଯୋଜନାରେ ଆଇ.ଟି.ଆଇ ଓ ଡିପ୍ଲୋମା ଭଳି ବୈଷୟିକ ଶିକ୍ଷା କ୍ଷେତ୍ରରେ ବାଳିକାମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଓ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ଵାମୀ ,ଅନ୍ୟତମ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକର ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରାକେଶ ଚନ୍ଦ୍ର ସାହୁ ଯୋଗଦେଇ ଦେଇଥିଲେ । ଓଡ଼ିଶା ବ୍ରେକ୍ ଥ୍ରୁ ଅନୁଷ୍ଠାନର ଆସିଷ୍ଟାଣ୍ଟ ମ୍ୟାନେଜର ପାରମ୍ପରିକ ଚଳଣି ଓ ପରମ୍ପରାରେ ଲିଙ୍ଗଗତ ବୈଷମ୍ୟକୁ ଦୂରୀଭୂତ କରି ଲିଙ୍ଗଗତ ସାମ୍ୟତା ଆଣିବାରେ ଲିଙ୍ଗଗତ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଦୃଶ୍ୟ ଶ୍ରାବ୍ୟ ଚଳଚ୍ଚିତ୍ର ମାଧ୍ୟମରେ ଶିକ୍ଷା ପ୍ରଦାନ କରିଥିଲେ।ଭାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଦକ୍ଷତାରେ ସମାଜକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଦୃଢ଼ ଆହ୍ଵାନ ଜଣାଇଥିଲେ। ସମସ୍ତ ଅଂଶଗ୍ରହଣକାରୀ ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ଶିକ୍ଷଣ ସମାଗ୍ରୀ ପ୍ରଦାନ କରି ଉତ୍ସାହିତ କରିଥିଲେ। ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ମାର୍ଗଦର୍ଶକ କଳା ଶିକ୍ଷକ ଦୁଷ୍ମନ୍ତ କୁମାର ସାହୁ ଓ ଡା.ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ବାଳିକା ଦିବସ ସମ୍ପର୍କରେ ଓଡ଼ିଆ ଓ ଇଂରାଜୀ କବିତା ପାଠ କରିଥିଲେ। ସମଗ୍ର ଶିକ୍ଷା,ଢେଙ୍କାନାଳ କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜିକା ପ୍ରଦୀପ୍ତା ପ୍ରିୟଦର୍ଶିନୀ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମନୋହର ଶତପଥୀ ଓ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର ମିଳିତ ଭାବେ କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌରାଞ୍ଚଳର ୧୨ ଗୋଟି ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ତଥା ଅଭିଭାବିକା, ଅଭିଭାବକମାନଙ୍କ ସହ ଯୋଗଦାନ କରି କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.

twelve − eleven =