ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଆପ୍ ର ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର !

ଢେଙ୍କାନାଳ : ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା ଆମ୍ ଆଦମୀ ପାର୍ଟିର ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଜିଲ୍ଲା ସଦର ବ୍ଲକ ଏବଂ ଓଡ଼ାପଡ଼ା ବ୍ଲକର ୧୧ଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୮୩ଟି ଗ୍ରାମର ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ଭାପୁର ଫାଣ୍ଡି ସକ୍ଷମ ହେଉ ନାହିଁ। ଉକ୍ତ ଫାଣ୍ଡିରେ ଆବଶ୍ୟକ ମୁତାବକ କର୍ମଚାରୀ ଏବଂ ଯାନବାହାନ ଅଭାବରୁ ସେହି ଅଞ୍ଚଳର ଜନସାଧାରଣ ଉପଯୁକ୍ତ ସୁରକ୍ଷା ପାଇବାରୁ ବଞ୍ଚିତ l ଭାପୁର ଫାଣ୍ଡିଟି ସଦର ଥାନାର ନିୟନ୍ତ୍ରଣରେ ରହିଥିଲା ବେଳେ ଏହା ଥାନା ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ସେହିପରି ଫାଣ୍ଡିର ଗୋଟିଏ ପାର୍ଶ୍ୱରେ ରାସୋଳ ଥାନା ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ବେଳେ ଅପର ପାର୍ଶ୍ୱରେ କଟକ ଜିଲ୍ଲା ଆଠଗଡ ଥାନା ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି। ଫାଣ୍ଡି ଅଧିନସ୍ଥ ଅଞ୍ଚଳରୁ ବାର୍ଷିକ ୩୫୦ରୁ ଉର୍ଦ୍ଧ୍ଵ ବିଭିନ୍ନ ପ୍ରକାରର ମାମଲା ରୁଜ୍ଜୁ ହେଉଛି ଓ ୧୦୦୦ରୁ ଉର୍ଦ୍ଧ୍ଵ ମାମଲା ଆପୋଷ ବୁଝାମଣାରେ ରଫାଦଫା କରାଯାଉଛି। ଏପରି ସ୍ଥଳେ ଫାଣ୍ଡିର କର୍ମଚାରୀମାନେ ଅଧିକ ଭାରାକ୍ରାନ୍ତ ହେଉଛନ୍ତି। ଫଳରେ ଏହି ଅଞ୍ଚଳରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି। ସଦ୍ୟ ଘଟିଥିବା ମହୁଲପୁଞ୍ଜି ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ଘଟିବାର ଦୀର୍ଘଦିନ ପରେ ମଧ୍ଯ ଲୋକଲୋଚନକୁ ଆସି ପାରୁନାହିଁ। ଶଙ୍କରପୁର ଠାରୁ ଛଦେଶ ଅଞ୍ଚଳ ଦେଇ ଲମ୍ବିଯାଇଥିବା ୬୫୫ ନମ୍ବର ଜାତୀୟ ରାଜପଥର ପ୍ରାୟ ୫୦ କିଲୋମିଟର ମଧ୍ୟରେ ପ୍ରତିଦିନ ଯାନବାହାନ ଦୁର୍ଘଟଣା ସହ ଅନେକ ଚୋରି, ଡକାୟତି,ଛିନାତାଇ, ବ୍ରାଉନ ସୁଗାର କାରବାର, ଅବୈଧ ଗୋ-ଚାଲଣ ହେଉଥିବା ବେଳେ ତ୍ୱରିତ ନ୍ୟାୟ ପାଇବାରୁ ଜନସାଧାରଣ ବଞ୍ଚିତ ହେଉଛନ୍ତି। ଆଇନ୍ ଅନୁସାରେ ଥାନାରେ ହିଁ ବିଭିନ୍ନ ମାମଲା ରୁଜ୍ଜୁ ହୋଇଥାଏ। ଏପରି ସ୍ଥଳରେ ଭାପୁର ଫାଣ୍ଡି ଅଧିନସ୍ଥ ଗ୍ରାମଗୁଡିକ ସଦର ଥାନା ଠାରୁ ପ୍ରାୟ ୫୦ କିଲୋମିଟର ଦୂର ହୋଇଥିବାରୁ ଲୋକମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ନ୍ୟାୟ ପାଇବା ପାଇଁ ଗରିବ ଲୋକମାନେ ଏହି ଦୂରତ୍ବ ଅତିକ୍ରମ କରି ଥାନାର ଦ୍ୱାରସ୍ଥ ହୋଇ ପାରୁ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଦାବି କରୁଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନ ବହୁ ପୁରାତନ ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରାଯାଉ। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଏସସିଏସଟି ସମ୍ପାଦକ ସନାତନ ନାଏକ, ସକ୍ରିୟ ସଦସ୍ୟ ଉମାନନ୍ଦ ସାହୁ, ମହିଳା ସଭାନେତ୍ରୀ ସରସ୍ବତୀ ପରିଡା, ଯମୁନା ପରିଡ଼ା, ଅନିତା ପରିଡ଼ା, ବିଶ୍ୱନାଥ ରାଉତ, ଅଭିମନ୍ୟୁ ନାଏକ, ସଞ୍ଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

8 + 16 =