ଆପ୍ ର ପାଞ୍ଚ ଦଫା ସମ୍ବଳିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ !

ଢେଙ୍କାନାଳ : ଜାଗୃତି ସଂସ୍ଥାରୁ ନିଖୋଜ ତିନି ଜଣ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ସ୍ଥାନରେ ରଖିବା ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ଦୋଷୀ ମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବାପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ପ୍ରଦାନ କରାଗଲା l ଢେଙ୍କାନାଳ ଜିଲ୍ଲା ପରି ଶାନ୍ତ ସରଳ ପରିବେଶରେ ମହିଳା, ଶିଶୁ ଏବଂ ନାବାଳିକାଙ୍କ ଉପରେ ଘଟିଯାଉଥିବା ଘଟଣାଗୁଡିକ ଜିଲ୍ଲାର ସୁନାମହାନୀ କରୁଛି । ସଦ୍ୟ ଘଟିଥିବା ମହୁଲପୁଞ୍ଜି ଗଣଦୁଷ୍କର୍ମ ଏବଂ ମହାବିରୋଡ ନାବାଳିକା ଦୁଷ୍କର୍ମ ଘଟଣା ଲୋକଲୋଚନରୁ ହଟି ନଥିବା ବେଳେ ଏବେ ଲୋକଲୋଚନକୁ ଆସିଥିବା “ଜାଗୃତି” ସର୍ଟ ଷ୍ଟେ ଗୃହରୁ ତିନି ତିନି ଜଣ ନାବାଳିକା ନିଖୋଜ ଘଟଣା ଜିଲ୍ଲାକୁ ଆହୁରି ନିନ୍ଦିତ କରିଛି। ଜାଗୃତି ଗୃହରୁ ପୂର୍ବରୁ ବହୁବାର ଏହିଭଳି ନାବାଳିକା ନିଖୋଜ ହୋଇଥିଲେ ମଧ୍ଯ ଉକ୍ତ ସଂସ୍ଥାର ପରିଚାଳକ ବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନାହାଁନ୍ତି। ଜିଲ୍ଲାରେ ଥିବା ବିଭିନ୍ନ ସ୍ବେଛାସେବୀ ସଂସ୍ଥାମାନଙ୍କୁ ଚଳାଇବାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ଦକ୍ଷତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅସହାୟ ଗରିବ ଲୋକମାନଙ୍କ ସାମାଜିକ ସୁରକ୍ଷା ନିମନ୍ତେ ରାଜ୍ଯ ସରକାର ଏବଂ କେନ୍ଦ୍ର ସରକାର ଏହି ସଂସ୍ଥାଗୁଡିକୁ ପ୍ରଚୁର ମାତ୍ରାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l କିନ୍ତୁ ଏଭଳି ସଂସ୍ଥାଗୁଡିକ ମହିଳା, ଶିଶୁ ଏବଂ ନାବାଳିକା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ନ୍ୟାୟ ଦେବାରେ ଅସମର୍ଥ ହୋଇପଡିଛନ୍ତି। ଏପରି ସ୍ଥଳେ ଆମ୍ ଆଦମୀ ପାର୍ଟି ପାଞ୍ଚ ଦଫା ଦାବିପତ୍ରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରି ନିରପେକ୍ଷ ତଦନ୍ତ କରାଯାଉ ଏବଂ ଆଇନ୍ ଅନୁଯାୟୀ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, “ଜାଗୃତି” ପରି ସ୍ବଧାର ଗୃହରୁ ବାରମ୍ବାର ନାବାଳିକା ନିଖୋଜ ଘଟଣାର ତଦନ୍ତ କରାଯାଇ ଉକ୍ତ ସଂସ୍ଥାର ଦାୟୀତ୍ୱରେ ଥିବା କର୍ମଚାରୀ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏବଂ ଆଇନ ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଏହି ସଂସ୍ଥାରେ ବାରମ୍ବାର ସମାନ ଘଟଣା ଘଟୁଥିବାରୁ ଏହାର ଅନ୍ଯ ଅନ୍ତେବାସୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସଂସ୍ଥାକୁ ମିଳୁଥିବା ଅନୁଦାନ ବନ୍ଦ କରାଯାଉ, ଜିଲ୍ଲାର ଏହିପରି ସମ୍ବେଦନଶୀଳ ସଂସ୍ଥାଗୁଡ଼ିକରେ ରହୁଥିବା ମହିଳା, ନାବାଳିକା ଏବଂ ଶିଶୁମାନଙ୍କର ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ମାନଙ୍କୁ ନିୟୋଜିତ କରାଯାଉ ଓ ନିଖୋଜ ନାବାଳିକା ମାନଙ୍କୁ ଠାବ କରି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଉ l ଉପରୋକ୍ତ ଦାବି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଆମ୍ ଆଦମୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିଲ୍ଲା ଏସସିଏସଟି ସମ୍ପାଦକ ସନାତନ ନାଏକ, ସକ୍ରିୟ ସଦସ୍ୟ ଉମାନନ୍ଦ ସାହୁ, ମହିଳା ନେତ୍ରୀ ସରସ୍ବତୀ ପରିଡା, ଯମୁନା ପରିଡ଼ା, ଅନିତା ପରିଡ଼ା, ବିଶ୍ୱନାଥ ରାଉତ, ଅଭିମନ୍ୟୁ ନାଏକ, ସଞ୍ଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

nine − five =