ହଜରତ୍ ମୁହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ….
“ଯାହାଙ୍କ ଜ୍ୟୋତି ରେ ଝଟକେ ଜଗତ
ସେହି ପରା ଆମ ପଥ ପ୍ରଦର୍ଶକ,
ନାମଟି ତାଙ୍କର ଶିରି ମହମ୍ମଦ
ମୋ ପରାଣ ପ୍ରିୟ ସେହି ” ।
ମହାପୁରୁଷ ମୁହମ୍ମଦ ୧୨ ରବିଉଲ୍ ଅୱଲ୍ (ଇସ୍ଲାମି ମାସ) ୫୭୦ ଖ୍ରୀଷ୍ଟାବ୍ଦରେ ଆରବ ଦେଶ ର ମକ୍କା ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଙ୍କ ନାମ ହଜରତ ଆମିନା ଏବଂ ବାପା ଙ୍କ ନାମ ଅବଦୁଲ୍ଲାହ୍ ଥିଲା । ବାଲ୍ୟ ଅବସ୍ଥାରୁ ହିଁ ମାତା-ପିତା ଙ୍କର କାଳ ହୋଇଯାଇଥିଲା ଫଳରେ ତାଙ୍କ ଜେଜେ ବାପା ହଜରତ ଅବଦୁଲ୍ ମୁତଲିବ୍ ଓ ତାଙ୍କ ବିୟୋଗ ପରେ ଚାଚା ହଜରତ ଅବୁ ତାଲିବ୍ କାଳ କ୍ରମେ ତାଙ୍କର ଲାଳନପାଳନ କରିଥିଲେ।
ମହାପୁରୁଷ ମୁହମ୍ମଦ ବାଲ୍ୟାବସ୍ଥାରୁ ହିଁ ଅତ୍ୟନ୍ତ ସଚ୍ଚୋଟ ଏବଂ ଧର୍ମ ପରାୟଣ ଥିଲେ, ଲୋକେ ତାଙ୍କୁ “ସିଦ୍ଦିକ୍” (ସଚ୍ଚୋଟ) ତଥା ଅମିନ୍ କହି ସମ୍ବୋଧନ କରୁଥିଲେ। ଯେତେବେଳେ ତାଙ୍କୁ ୪୦ ବର୍ଷ ବୟସ ହେଲା, “ହେରା” ନାମକ ଗୁମ୍ଫା ଭିତରେ ହଜରତ୍ ଜିବ୍ରାଇଲ୍ ନାମକ ଦେବଦୁତ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ଓ ତାଙ୍କୁ ଅବତାର ହେବାର (ନୁବୁୱତର) ସୁସମାଚାର ଦେଲେ। ଐଶ୍ୱରୀୟ ବାଣୀ ଶୁଣି ଆପଣ ଚିନ୍ତିତ ହୋଇପଡ଼ିଥିଲେ ଯେ ଏତେବଡ଼ ଦାୟିତ୍ଵ ମୁଁ ବା କେମିତି ନିର୍ବାହ କରିବି ? ତେବେ ସେହି ସମୟରେ ଆପଣଙ୍କ ଧର୍ମ ପତ୍ନୀ ହଜରତ୍ ଖଦିଜା ଆପଣଙ୍କୁ ବୁଝାଇ କହିଲେ ଓ ସାନ୍ତ୍ୱନା ଦେଲେ ଯେ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ଅସହାୟ, ଗରିବ ତଥା ଅନାଥଙ୍କୁ ସାହାଯ୍ୟ କରୁଛନ୍ତି, ପ୍ରତିଶୃତି ପାଳନରେ ଆପଣ ଅଦ୍ୱିତୀୟ , ଧର୍ଯ୍ୟ, ସହନସୀଳତା ଏବଂ ବନ୍ଧୁ ପରିଜନ ମାନଙ୍କୁ ସର୍ବଦା ସମ୍ମାନ ଦେବା, ଅତିଥି ମାନଙ୍କ ସତ୍କାର କରିବା ତଥା ଅଗଣିତ ଗୁଣର ଆପଣ ସମାହାର। ଧରା ପୃଷ୍ଠରେ ଆପଣଙ୍କ ଭଳି ଧର୍ମ ପରାୟଣ, ନିର୍ଭିକ ତଥା ସଚ୍ଚୋଟ ଆଉ କେହି ନାହାନ୍ତି ,ବାସ୍ତବରେ ଆପଣ ହିଁ ଏହି ଅନ୍ଧକାର ମୟ ଯୁଗରେ ନବି (ଅବତାର) ହେବାର ଯୋଗ୍ୟତା ରଖୁଛନ୍ତି।୬୧୦ ଖ୍ରୀଷ୍ଟାବ୍ଦରେ ଆପଣ ଆଣିଥିବା ଇସଲାମ ଧର୍ମ ର ଉଦୟ ହେଲା । ଆପଣ ଏକେଶ୍ୱରବାଦର ଶିକ୍ଷା ଦେଲେ, ଆରବ ର ଭୂମି ପୁଣୀ ଥରେ ହସିଉଠିଲା , ଯେଉଁଠି ନାରୀ ର ଅସମ୍ମାନ ହେଉଥିଲା ଏବଂ କିଛି କବିଲା (ଗୋଷ୍ଠୀ) ର ଲୋକମାନଙ୍କ ଘରେ ଝିଅ ଜନ୍ମ ହେବା ସଙ୍ଗେ-ସଙ୍ଗେ ତାଙ୍କୁ ମାଟିରେ ପୋତି ଦେଉଥିଲେ ସେଠି ନାରୀ ମାନଙ୍କୁ ସମ୍ମାନ ମିଳିବା ଆରମ୍ଭ ହୋଇ ଗଲା। ମାଁ ,ଭଉଣି, ଝିଅ ଏବଂ ପତ୍ନୀ ଭାବରେ ସମ୍ମାନିତ କରାଗଲା ଏବଂ ବିଭିନ୍ନ ଅଧିକାର ଦିଆଗଲା । ଦାସ ପ୍ରଥାକୁ ଶେଷ କରି ସମସ୍ତ ଙ୍କୁ ସମାନ ଅଧିକାର ମିଳିଲା, ଶିକ୍ଷା, ସୁରକ୍ଷା, ଉଜ୍ବଳ ଭବିଷ୍ୟତର ଆଲୋକ ଆରବ ବାସିନ୍ଦା ଦେଖିବାକୁ ପାଇଲେ। ଶତାଧିକ ବର୍ଷ ରୁ ଚାହିଁ ବସିଥିବା ପଥଭ୍ରଷ୍ଟ ସମାଜକୁ ଏହି ଘୋର ଅନ୍ଧକାର ମୟ ଯୁଗରେ ଇସଲାମ ନାମି ଆଲୋକଟି ଦେଖା ଦେଲା ତେଣୁ ଧୀରେ ଧୀରେ ଲୋକେ ଇସଲାମ ଧର୍ମ ଗ୍ରହଣ କରିବା ଆରମ୍ଭ କଲେ।ଏହା ଦେଖି ଦୁଷ୍ଟ ତଥା ଖଳ ପ୍ରବୃତ୍ତି ର ଲୋକେ ଆପଣ ତଥା ଆପଣଙ୍କ ଅନୁଯାୟୀ ମାନଙ୍କୁ ଦୁଃଖ କଷ୍ଟ ଦେବା ଆରମ୍ଭ କରିଦେଲେ। କିନ୍ତୁ ଆପଣ ନିର୍ଭିକ ହୋଇ ଦୃଢ଼ ସଂକଳ୍ପ ସହିତ ନିଜ ମିଶନରେ ଆଗେଇ ଚାଲିଲେ। ଆପଣଙ୍କ ଉପରେ ପବିତ୍ର କୁରଆନ୍ ନାମକ ଆକାଶୀୟ ପୁସ୍ତକ ଅବତୀର୍ଣ୍ଣ ହେଲା। ସତ୍ୟ, ଶାନ୍ତି, ଦୟା ତଥା କ୍ଷମା ର ପ୍ରଚାର ପ୍ରସାର ରେ ଆପଣ ନିଜ ର ୬୩ ବର୍ଷ ଅତିବାହିତ କଲେ । ୬୩୨ ଖ୍ରୀଷ୍ଟାବ୍ଦରେ ଆପଣ ମଦିନା ରେ ଇହଧାମ ପରିତ୍ୟାଗ କଲେ।ଆପଣଙ୍କ ସମ୍ବନ୍ଧ ରେ ଅନେକ ଇତିହାସକାର ବିଭିନ୍ନ ପୁସ୍ତକ ରଚନା କରିଛନ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧୀ “ୟଙ୍ଗ୍ ଇଣ୍ଡିଆ” ରେ ପ୍ରକାଶିତ ଏକ ବିବୃତିରେ ହଜରତ୍ ମୁହମ୍ମଦ ଙ୍କ ସମ୍ବନ୍ଧରେ ଏହିପରି ବର୍ଣ୍ଣନା କରିଥିଲେ ଯେ :- “ମୁଁ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ସବୁକିଛି ଜାଣିବାକୁ ଚାହୁଁଥିଲି ଯିଏ ବିନା କୌଣସି ମତଭେଦ ରେ ମାନବଜାତିର ଲକ୍ଷ ଲକ୍ଷ ହୃଦୟରେ ପ୍ରଭୁତ୍ୱ ବିସ୍ତାର କରିଛନ୍ତି। ତାଙ୍କ ଜୀବନ ଚରିତ୍ର ଅଧ୍ୟୟନ କରିବା ପରେ ମୋର ପୂର୍ବାପେକ୍ଷା ଅଧିକ ହୃଦବୋଧ ହୋଇଛି ଯେ ସେହି ଯୁଗରେ ଇସଲାମ ତରବାରୀ ବଳରେ ହୃଦୟରେ ବାସ କରିନଥିଲା। ବରଂ ସେହି ପୈୟଗମ୍ବରଙ୍କ ସରଳ ଜୀବନ ଯାପନ, ଅତି ସୁକ୍ଷ୍ମ ଅନୁସନ୍ଧାନ, ବିବେକାନୁମୋଦିତ ପନ୍ଥାରେ ନିଜର ପ୍ରତିଶ୍ରୁତି ପାଳନ, କର୍ତ୍ତବ୍ୟ ନିଷ୍ଠ ସାଧନା, ବନ୍ଧୁ ପରିଜନ ତଥା ଅନୁଗାମୀ ଙ୍କ ସହିତ ଗଭୀର ଅନୁରକ୍ତି , ନିର୍ଭିକ ଓ ସ୍ପଷ୍ଟବାଦିତା, ତାଙ୍କର ଈଶ୍ୱର ଠାରେ ସଂପୂର୍ଣ୍ଣ ନିଷ୍ଠା ଓ ସମର୍ପିତ ଭାବ, ନିଜ ମିଶନ୍ ପ୍ରତି ଦୃଢ଼ ଆସ୍ଥା ଇତ୍ୟାଦି ଏହି ସବୁ ପ୍ରତିଭା ଯୋଗୁଁ ସେ ସକଳ କଷ୍ଟକର ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିପାରିଥିଲେ ଓ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଅତିକ୍ରମ କରିଥିଲେ। ଯେତେବେଳେ ମୁଁ ସେହି ଅବତାର ଙ୍କ ଜୀବନୀ ପୁସ୍ତକ ର ଦ୍ୱିତୀୟ ଖଣ୍ଡ ପଢ଼ି ସାରିଲି, ଏହା ଶେଷ ହୋଇଯିବା ଯୋଗୁଁ ଅତି ଉଦାସ ହୋଇଗଲି।” (ୟଙ୍ଗ୍ ଇଣ୍ଡିଆ ୨୩ ସେପ୍ଟେମ୍ବର ୧୯୨୪)
ତେବେ ସେହି ମହାନ୍ ମହାପୁରୁଷ ଙ୍କ ଜନ୍ମ ଜୟନ୍ତୀ ର ଶୁଭ ଅବସର ରେ ଆମେ ସଂକଳ୍ପ ନେବା ଯେ ଆସନ୍ତୁ ଆମେ ସମସ୍ତେ ଏକାଠି ମିସି ସତ୍ୟ,ଶାନ୍ତି,ଦୟା ଓ କ୍ଷମା ର ପ୍ରଚାର ପ୍ରସାର ରେ ଜଣେ ଅନ୍ୟ ଜଣଙ୍କ ସହାୟ ହୋଇ ଗୋଟିଏ ସୁନ୍ଦର ସମାଜ ଗଢ଼ି ତୋଳିବା।
ଅନସାର୍ ଅଲୀ ଖାଁ, ଢେଙ୍କାନାଳ