ଭିଜିଲାନ୍ସ ଜାଲରେ କୁବେର ରେଞ୍ଜର ବାବୁ : ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ପୁଳା ପୁଳା ଟଙ୍କା !

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍। ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହର ରତନ ବଜାର ସ୍ଥିତ ଘର, ସଦର ରେଞ୍ଜ ଅଫିସ ଓ ଅଫିସ ପାଖ ସରକାରୀ ବାସଭବନ ସମେତ କଟକ ଓ ଭୁନେଶ୍ୱରରେ ମଧ୍ୟ ଏକକାଳୀନ ଭିଜିଲାନ୍ସ ରେଡ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ଅଭିଯୋଗ ଥିଲା । କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଛି। ଏହି ଚଢ଼ାଉରେ ୭ ଜଣ ଡିଏସପି , ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ସମେତ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ଚଢ଼ାଉ ବେଳେ ରେଞ୍ଜର ବିଭୁଦାନନ୍ଦଙ୍କର ଆଠଗଡ଼ରେ ଏକ ଫାର୍ମ ହାଉସ ଥିବା ଜଣାପଡ଼ିଛି । ୮ ଏକର ବିଶିଷ୍ଟ ଏହି ଫାର୍ମ ହାଉସକୁ ପାର୍କ ଭଳି ସଜାଇଛନ୍ତି କୁବେର ରେଂଜର ବାବୁ । ବନ୍ୟ ଜନ୍ତୁଙ୍କ ସୁରକ୍ଷା ଦେଉଥିବା ରେଞ୍ଜର ବାବୁ ନିର୍ଭୟ ଭାବରେ ସେଠାରେ ରଖିଛନ୍ତି ବହୁ ପରିମାଣର ଠେକୁଆ, ମୟୂର, ଦାମି ପାରା,ବିଭିନ୍ନ ପ୍ରଜାତିର ପକ୍ଷୀ। କେବଳ ସେତିକି ନୁହେଁ ମନୋରଂଜନ ପାଇଁ ମଧ୍ୟ ଫାର୍ମ ହାଉସରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରେଞ୍ଜର ବାବୁ । ଫାର୍ମ ହାଉସ ମଝିରେ ଅଛି ଭ୍ୟୁ ପଏଣ୍ଟ । ଥକା ମେଣ୍ଟାଇବାକୁ ଝୁଲିବା ପାଇଁ ରହିଛି ବିଳାଶପୂର୍ଣ୍ଣ ଦୋଳି । ପିଲାଙ୍କ ଖେଳିବା ପାଇଁ କେତେ କଣ ଉପକରଣ । ଏହାଛଡ଼ା ମର୍ଣ୍ଣିୱାକ କରିବାକୁ ରାସ୍ତା । ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି । ଭିଜିଲାନ୍ସ ଚଢ଼ାଉ ବେଳେ ରେଞ୍ଜର ବିଭୁଦାନନ୍ଦଙ୍କ ଫାର୍ମ ହାଉସରେ ଏସବୁ ଦେଖିବାକୁ ମିଳିଛି । ଏହାଛଡ଼ା ଢେଙ୍କାନାଳ ରତ୍ନବଜାରରେ ଥିବା ୩ ମହଲା ଓ ୨ ମହଲା କୋଠାରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଜିଜିପି କଲୋନିରେ ଥିବା ଫ୍ଲାଟ, ଆଠଗଡ଼ ବୀରକିଶୋରପୁରରେ ଥିବା ପୈତୃକ ଘର, ଢେଙ୍କାନାଳରେ ଥିବା ସଂପର୍କୀୟଙ୍କ ଘର, ଢେଙ୍କାନାଳ ଅଫିସ ଚ୍ୟାମ୍ବର, ଢେଙ୍କାନାଳର ସରକାରୀ କ୍ବାର୍ଟରରେ ଚଢ଼ାଉ କରୁଛି ଭିଜିଲାନ୍ସ ଦଳ । ଅନ୍ୟପଟେ ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ମିଳିଛି ପୁଳା ପୁଳ ଟଙ୍କା । ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ କରଛି ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ କୁବେର ରେଞ୍ଜର ବାବୁ ।ବର୍ତ୍ତମାନ ପର୍ଯ୍ୟନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌ ।

Leave A Reply

Your email address will not be published.

4 × four =