ଭୁବନ ବ୍ଲକ ଅଧ୍ୟକ୍ଷା ପଦ ବଜାୟ ରଖିଲେ : କୋରମ ଅଭାବରୁ ରଦ୍ଦ ହେଲା ଅନାସ୍ଥା,ବିଜେଡି ଦୁର୍ଗ ଅପରିବର୍ତ୍ତିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳଙ୍କ ନାଁରେ ଆସିଥିବା ଅନାସ୍ଥା ଆଜି କୋରମ୍ ଅଭାବରୁ ରଦ୍ଦ ହୋଇଛି। ଫଳରେ ଶ୍ରୀମତି ବରାଳ ନିଜ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି । ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ବରାଳ ନାଁରେ ଗତ ନଭେମ୍ବର ୪ ତାରିଖରେ କେତେକ ସରପଞ୍ଚ ଓ ସମିତିସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନ ବ୍ଲକ୍ କାର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କିତ ଭୋଟ୍ ଆଗତ ହୋଇଥିଲା | ମାତ୍ର ୨ ଜଣଙ୍କ ବ୍ୟତିତ ଅନ୍ୟ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିନଥି ନଥିଲେ | ମୋଟ୍ ୩୮ଜଣ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ପାଇଁ ମାତ୍ର ୨ ଜଣ ବିଜେପି ସମର୍ଥିତ ସଦସ୍ୟ ( ମହୁଲପାଳ ଓ ଭୂଷଳ ସରପଞ୍ଚ ) ଉପସ୍ଥିତ ଥିଲେ । ଫଳରେ କୋରମ୍ ହୋଇପାରି ନଥିଲା। ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ଦାୟିତ୍ବରେ ଥିବା ଭୁବନ ତହସିଲଦାର ସିରୀୟଲ ଶୁଭ୍ର ପଟେଲ କୋରମ୍ ଅଭାବରୁ ଅନାସ୍ଥା ରଦ୍ଦ ହେବା ସହ ଶ୍ରୀମତି ବରାଳ ନିଜ ପଦ ବଜାୟ ରଖିଥିବା ନେଇ ସୂଚନା ଦେଇଥିଲେ । ଫଳରେ ୨୦୧୨ ମସିହା ଠାରୁ ଦୀର୍ଘ ୧୩ ବର୍ଷ ଧରି କ୍ରମାଗତ ଭାବେ ଭୁବନ ବ୍ଲକ୍ ଅଧ୍ୟକ୍ଷ ପଦ ପୁଣି ବିଜେଡି ହାତରେ ରହିଛି। ଅନାସ୍ଥା ରଦ୍ଦ ହେବା ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବରାଳ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତେ ଏକାଠି ମିଶି ଅଞ୍ଚଳର ବିକାଶ କରିବେ ବୋଲି କହିଛନ୍ତି । ଗତ ଜୁନ ମାସରେ ସରକାର ପରିବର୍ତ୍ତନ ହେବା ପରେ ସ୍ଥାନୀୟ ବିଧାୟକ ରାଜନୈତିକ ଗୋଟି ଚାଳନା କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଭୁବନ ଏନ୍ ଏ ସି ନଗରପାଳ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କୁ ଗାଦିଚ୍ୟୁତ କରିବାକୁ ହୀନ ଉଦ୍ୟମ କରିଥିଲେ । ଭୁବନ ଏନ୍ ଏ ସି ନଗରପାଳ ଙ୍କ ଅନାସ୍ଥା ହାଇକୋର୍ଟ ରେ ବିଚାରାଧୀନ ଥିବା ବେଳେ କେବଳ ଭୂଷଳ ସରପଞ୍ଚ କ୍ଷମତାଚ୍ୟୁତ ହୋଇଥିଲେ । ଭୁବନ ବ୍ଲକ ବିଜେଡି ଦୁର୍ଗ ଥିଲା ଓ ଅକ୍ଷୁର୍ଣ୍ଣ ରହିଛି ବୋଲି ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

8 + nine =