କାମାକ୍ଷାନଗର ଅଭେଦ୍ୟ ଦୁର୍ଗ ଭେଦିବା ନେଇ ଚର୍ଚ୍ଚାରେ ଶୁଭାଶିଷ , ତପନ , ରାଜା , ସତ୍ୟଜିତ ଓ ରଞ୍ଜନ !

ଢ଼େଙ୍କାନାଳ : ଦେଶରେ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବା ବେଳେ ବର୍ତ୍ତମାନ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ବିଶେଷକରି ୨୦୨୩ ବର୍ଷରେ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଆଞ୍ଚଳିକ ସ୍ତରରେ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତିରେ ରହିଛନ୍ତି । ତେବେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗୁଆ ହୋଇପାରେ ବୋଲି ଜନୈକ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ଖୋଲାଖୋଲି ବିବୃତି ଦେବା ପରେ ଓଡିଶାରେ ହଠାତ ରାଜନୈତିକ ପାରା ବୃଦ୍ଧି ପାଇଛି ।

ଏହାର ଜବାବରେ ବିଜେଡି ସବୁବେଳେ , ସବୁ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଜେଡି ତରଫରୁ କୁହାଯାଇଛି । ଖାଲି କୁହାଯାଇନାହିଁ ଗତ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତୀ ଉତ୍ସବ ପାଳନ କରି ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୫ ବର୍ଷ ନୁହେଁ ଶହେ ବର୍ଷ ସେବା କରିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଭାଷଣ ପ୍ରସଙ୍ଗରେ ମତ ଦେଇଥିଲେ ।

ପ୍ରତିଷ୍ଟା ଦିବସ ପାଳନ ନାଁ ରେ ଶଙ୍ଖକ୍ଷେତ୍ର ରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଚଳିତ ଥର ବିଜେଡି ଯୁବ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବ । ନିର୍ବିବାଦୀୟ ,ନିଷ୍କଳଙ୍କ ତଥା ଉଦୀୟମାନ ଯୁବ ନେତାଙ୍କୁ ପ୍ରାର୍ଥୀ କରି ଆଗାମୀ ବହୁ ବର୍ଷ ପାଇଁ ଶାସନ କରିବାକୁ ଲକ୍ଷ୍ୟ ରଖିଛି ।
ଆଗୁଆ ନିର୍ବାଚନ ନେଇ ସାରା ଓଡିଶାରେ ବିଭିନ୍ନଦଳର ଆଶାୟୀ ପ୍ରାର୍ଥୀ ମାନେ ଏବେ ଠାରୁ ପ୍ରସ୍ତୁତ ହୋଇ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଲାଣି ।

କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଆଶାୟୀ ପ୍ରାର୍ଥୀ ମାନେ ଅଭିନନ୍ଦନ ବ୍ୟାନର ମାଧ୍ୟମରେ ଆବିର୍ଭାବ ହେଲେଣି ।

କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆସନ୍ତା ନିର୍ବାଚନରେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ଶୁଣାଯାଉଛି । ବୟସ ଆଉ ତାଙ୍କ ସାଥ୍ ଦେଉନାହିଁ ବୋଲି କୁହାଯାଉଛି । କାମାକ୍ଷାନଗର ରେ ନୁହେଁ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଦିନ ଦିପ୍ରହରରେ ଗୁଳି , ବୋମା ଫୁଟିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ନେତା କାହ୍ନୁ ସାହୁ ଙ୍କୁ ଗୁଳିମାଡ ହେବା ଚର୍ଚ୍ଚା ପରିସରକୁ ଟାଣିଆଣିଛି।

ଯଶୋବନ୍ତ ପରିଡା ଓ ଦୀପକ ମାହୁନ୍ତ ଙ୍କ ଭଳି ହେଭିୱେଟ ଦଳୀୟ ନେତାଙ୍କୁ ଦୁର୍ବୃତ ମାନେ ଗୁଳି କରି ହତ୍ୟା କଲାପରେ ବି ପ୍ରକୃତ ଆସାମୀ ଏଯାଏଁ ଧରା ପଡିନପଡିବା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିନେଉଛି । ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଙ୍କ ପ୍ରମୁଖ ସହଯୋଗୀ ତଥା ଘନିଷ୍ଟ କୁହାଯାଉଥିବା ଭୁବନ ବ୍ଲକର ୩ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ନିଜ ଘରେ ଚୋରା ମଦ କାରଖାନା ଚଳାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିବା ପରେ ନାମକୁ ମାତ୍ର ତାଙ୍କୁ ନିଲମ୍ବନ କରାଯାଇଛି ।

ପ୍ରଫୁଲ୍ଲ ବାବୁଙ୍କ ପୁତ୍ରବଧୁ କଲେଜରେ କ୍ଲାସ ନକରି ଲକ୍ଷାଧିକ ଟଙ୍କା ଦରମା ଠକିନେବା କଥା ମନ୍ତ୍ରୀଙ୍କ ସଫେଦ କୁର୍ତାରେ କଳାଦାଗ ଲଗାଇଦେଇଛି । ବର୍ତ୍ତମାନ ଯୁବପିଢୀ କୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ବୋଲି ସର୍ବସାଧାରଣ ରେ ଚର୍ଚ୍ଚାର ବିଷୟ ।

ଯୁବପିଢୀ କୁ ଲକ୍ଷ୍ୟ ରଖାଗଲେ ଏବେ ଶୁଭାଶିଷ ଆଚାର୍ଯ୍ୟ ,ତପନ ଦାସ , ସତ୍ୟଜିତ ବିମଳ ମିଶ୍ର ଓ ରଞ୍ଜନ ରାଉତ ଙ୍କ ନାମ ଚର୍ଚ୍ଚା ହେଉଛି । ପୂର୍ବ ନିର୍ବାଚନରେ ବିଜେଡି ଦଳୀୟ ଟିକେଟ ପାଇବାର ସମୀକରଣରେ ଖୁବ ନିକଟକୁ ଯାଇ ଦୁଇ ଦୁଇ ଥର ନିରାଶ ହୋଇଥିବା ଯୁବନେତା ହେଉଛନ୍ତି ଶୁଭାଶିଷ ଆଚାର୍ଯ୍ୟ ଓରଫ ଲୁଜୁ । ଶ୍ରୀ ଆଚାର୍ଯ୍ୟ ଏଥର ଟିକେଟ ଲବିରେ ସର୍ବାଗ୍ରେ ଥିବା ଶୁଣାଯାଉଛି । ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିବା ଦିନଠାରୁ ଛାତ୍ର ରାଜନୀତିରେ ଜଡିତ । କାମାକ୍ଷାନଗର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନରେ ଲଗାତର ଦୁଇଥର ସାଧାରଣ ସମ୍ପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀବିହାରରେ ବିଜେଡି ସମର୍ଥନ ରେ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ମାତ୍ର ଦୁଇ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ ।

ଶ୍ରୀ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଯୁବ/ଛାତ୍ର ନେତା ଭାବେ ଜଣାଶୁଣା । ଶୁଭାଶିଷ ଙ୍କ ବାପା ରାମ କୁମାର ଆଚାର୍ଯ୍ୟ କାମାକ୍ଷାନଗର ଓ ଭୁବନ ରେ ଦୀର୍ଘ ୨୫ ବର୍ଷ କାଳ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଜଣେ ଲୋକପ୍ରିୟ ଅଫିସର ଭାବେ ଖ୍ୟାତି ଅର୍ଜନ କରିଥିଲେ । ପିତା ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶୁଭାଶିଷ ମଧ୍ୟ ଲୋକସଂପର୍କ ବୃଦ୍ଧି କରିଚାଲିଛନ୍ତି ।

ଢେଙ୍କାନାଳ ବିକାଶ ପରିଷଦ ର ଆବାହକ ଚାଟାର୍ଡ ଆକାଉଟାଣ୍ଟ ରାଜ ନାରାୟଣ ତ୍ରିପାଠୀ (ରାଜା) ଢେଙ୍କାନାଳର ବିଭିନ୍ନ ସମସ୍ୟା କୁ ଲୋକଲୋଚନକୁ ଆଣି ତାହାର ସମାଧାନ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଉଛନ୍ତି ।

କାମାକ୍ଷାନଗର ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ରଞ୍ଜନ କୁମାର ରାଉତ , ସାମ୍ବାଦିକ ସତ୍ୟଜିତ୍ ବିମଳ ମିଶ୍ର ,ରାଜ୍ୟ ବିଜେଡି ସମ୍ପାଦକ ତପନ କୁମାର ଦାସ ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ତପନ ଦାସ ହେଉଛନ୍ତି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଯାଜପୁର ର ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ଭାଇ । ରଞ୍ଜନ ଦାସ ଯାଜପୁରରେ ଦୀର୍ଘଦିନ ଜିଲ୍ଲାପାଳ ଭାବେ ଥିବାରୁ ବିଜେଡିର ଶକ୍ତିକେନ୍ଦ୍ର ତଥା ମିନିଷ୍ଟର ମେକର ବବି ଦାସ ଙ୍କ ସହ ଘନିଷ୍ଟ । ଏହି ପରିଚୟ ନେଇ ତପନ ଦାସ ଏଥର ଟିକେଟ ପାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି ।

ତେବେ ଉପରୋକ୍ତ ନେତା ମାନଙ୍କ ମଧ୍ୟରୁ କିଏ ବିଜେଡି ଟିକେଟ ପାଇବ ଏବଂ କାମାକ୍ଷାନଗର ର ପ୍ରତିନିଧିତ୍ୱ କରିବ ତାହା ସମୟ କହିବ ।

Leave A Reply

Your email address will not be published.

thirteen − 13 =