ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲିଙ୍ଗରାଜ ମନ୍ଦିର ବହୁଦିନ ଧରି ବନ୍ଦ ରହିଥିବାବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବୟସ କଟକଣା ରହିନାହିଁ । ଅର୍ଥାତ ସବୁ ବୟସର ଭକ୍ତ ମହାପ୍ରଭୂଙ୍କର ଦର୍ଶନ କରିପାରିବେ । ପ୍ରଥମେ ସେବାୟତ ପରିବାର ମହାପ୍ରଭୂଙ୍କର ଦର୍ଶନ କରିଥିବାବେଳେ ଏବେ ଭୁବନେଶ୍ୱରବାସୀଙ୍କ ପାଇଁ ମନ୍ଦିର ଖୋଲାରହିଛି । ସମ୍ପ୍ରତି ସମସ୍ତେ ମହାପ୍ରଭୂଙ୍କର ଦର୍ଶନ କରିପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ତେବେ ଭକ୍ତଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯଦି କୋଭିଡ଼ ନେଗେଟିଭ ରିପୋର୍ଟ ନଥିବ ତେବେ ସେଠାରେ ବିଏମସି ପକ୍ଷରୁ ମାଗଣା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟଯେ, ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ୱାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତର ଓ ସଠିକ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ । ଏହା ମଧ୍ୟ ମନ୍ଦିରର ସମ୍ପତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ । ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା କରାଯାଇଛି । ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା ଏବଂ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠି ଗଠନ ଓ ପରିଚାଳନା ଇତ୍ୟାଦି ବ୍ୟବସ୍ଥା ହୋଇଛି । ଏତଦବ୍ୟତୀତ ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି ଯାହାକି ଅଗ୍ରାଧିକାର ଭିତିରେ କରାଯିବା ଆବଶ୍ୟକ । ଯେହେତୁ ବିଧାନସଭା ବର୍ତମାନ ମୁଲତବୀ ହୋଇଅଛି, ତେଣୁ ଏହି ଅଧ୍ୟାଦେଶ ଜରିଆରେ ଏହି ନୂତନ ଆଇନର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.

3 × 2 =