ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକ ଶିକ୍ଷାର୍ଥୀମାନେ ଜୁଲାଇ ୧୦ ତାରିଖ ପୂର୍ବରୁ ଆବେଦନ କରିପାରିବେ । ଆଇଆଇଏମସିର ୱେବସାଇଟ ଙ୍ଗଙ୍ଗଙ୍ଗ.ସସଜ୍ଞମ.ଶକ୍ଟଙ୍ଖ.ସଦ୍ଭରେ ଅନଲାଇନ ଆବେଦନ ପତ୍ର ଉପଲବ୍ଧ ରହିଛି । ଜୁଲାଇ ୩୧ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି । ଆଇଆଇଏମସିର ଡିନ (ଆକାଡେମିକ) ପ୍ରଫେସର ଗୋବିନ୍ଦ ସିଂହ କହିଛନ୍ତି, ଆଇଆଇଏମସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା, ନୂଆଦିଲ୍ଲୀ କ୍ୟାମ୍ପସରେ ଉର୍ଦ୍ଦୁ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା, କୋଟ୍ଟାୟମ କ୍ୟାମ୍ପସରେ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ଓ ଅମରାବତୀ କ୍ୟାମ୍ପସରେ ମରାଠୀ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରାଯାଉଛି ।
ଏସବୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁଲାଇ ୩୧ ତାରିଖ ପୂର୍ବାହ୍ଣ ୧୧ଟାରୁ ୨ଟା ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରବେଶିକା ପରୀକ୍ଷାରେ ସାଧାରଣ ଜ୍ଞାନ ସହ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ସମ୍ପର୍କିତ ପ୍ରଶ୍ନ ଆସିବ । ପ୍ରଫେସର ସିଂହ ଆହୁରି କହିଛନ୍ତି, ଯେଉଁ ପ୍ରାର୍ଥୀମାନେ ମଞ୍ଜୁରୀପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ସେମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ । ସେହିପରି ସ୍ନାତକ ଶେଷ ବର୍ଷ ବା ଶେଷ ସେମିଷ୍ଟରର ଶିକ୍ଷାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ ।
ଯଦି ସେମାନେ ନାମଲେଖା ପାଇଁ ଚୟନ ହୁଅନ୍ତି, ତେବେ ସେମାନଙ୍କୁ ୨୦୨୨ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟ ବା ମହାବିଦ୍ୟାଳୟରୁ ଅରିଜିନାଲ ପ୍ରୋଭିଜିନାଲ ମାର୍କ-ସିଟ ବା ସାର୍ଟିଫିକେଟ ଦେବାକୁ ହେବ । ଆଇଆଇଏମସି କାର୍ଯ୍ୟାଳୟରେ ଯାଂଚ ପାଇଁ ଅରିଜିନାଲ ଡିଗ୍ରୀ ସାର୍ଟିଫିକେଟ ଯଦି ଦାଖଲ କରନ୍ତି, ତେବେ ସେମାନଙ୍କୁ ଡିପ୍ଲୋମା ଉପାଧି ପ୍ରଦାନ କରାଯିବ ନହେଲେ ସେମାନଙ୍କ ନାମଲେଖାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।