ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇ.ଆଇ.ଏମ.ସି.)ରେ କାର୍ଟୁନ କର୍ମଶାଳା ଉଦଯାପିତ : ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ !

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ ( ଆଇ.ଆଇ.ଏମ.ସି.) ରେ ଅନୁଷ୍ଠିତ ୨ ଦିନିଆ କାର୍ଟୁନ କର୍ମଶାଳା ଉଦଯାପିତ ହୋଇଯାଇଛି । “ଏହି କର୍ମଶାଳାରୁ ବେଶ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନର ରୂପ ଦେବା ଆଉ ଲୋକେ ବୁଝିବା ଭଳି କେମିତି ତାକୁ ବ୍ୟାଖା କରିବା ଆଦି ଅନେକ ବିଭବ ଜାଣିପାରିଲି ।

ଏହାସହ କାର୍ଟୁନ ଆଙ୍କିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, ତାହା ମଧ୍ୟ ଜାଣିହେଲା । ସମ୍ପାଦକୀୟ କାର୍ଟୁନଠାରୁ ଆରମ୍ଭ କରି ବିଭିନ୍ନ ଘଟଣା ଓ ପ୍ରସଙ୍ଗର କାର୍ଟୁନ କରିବାର କଳା ଶିଖିହେଲା ।” ଏମିତି କହିଛନ୍ତି କାର୍ଟୁନ କର୍ମଶାଳାରେ ଭାଗନେଇଥିବା ଶିକ୍ଷାର୍ଥୀ ଦେବାଶିଷ ସ୍ୱାଇଁ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଚାଲିଥିବା ଦୁଇଦିନିଆ କାର୍ଟୁନ କର୍ମଶାଳା ଉଦଯାପିତ ହୋଇଛି ।

ଏଥିରେ ଭାଗନେଇଥିବା ଶିକ୍ଷାର୍ଥୀମାନେ କାର୍ଟୁନ ଆଙ୍କିବାର କୌଶଳ ଶିଖିଥିଲେ । ବିଶେଷଜ୍ଞ ଭାବେ ଯୋଗଦେଇଥିବା ‘ସମ୍ବାଦ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଦୈନିକ ‘ପ୍ରମେୟ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଟି. ନନ୍ଦେଶୁ ମଧ ଶିକ୍ଷାର୍ଥୀମାନେ କରିଥିବା କାର୍ଟୁନର ବିଶ୍ଳେଷଣ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା କାର୍ଟୁନ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା ।

ଉପସ୍ଥିତ ସମସ୍ତଙ୍କ ଦ୍ୱାରା ଏହି କାର୍ଟୁନ ସବୁ ବେଶ ପ୍ରଶଂସିତ ହୋଇଥିଲା । ଅନ୍ୟତମ ଶିକ୍ଷାର୍ଥୀ ଶୁଭଲକ୍ଷ୍ମୀ ଓଝା କହିଛନ୍ତି, କାର୍ଟୁନ ଉପରେ ମୋର ରୁଚି ଥିଲା । ହେଲେ ଗୋଟିଏ କାର୍ଟୁନ କରିବା ପଛରେ ଏତେ କଳା, କୌଶଳ ଓ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ଥାଏ, ତାହା ଜାଣିବାକୁ ପାଇଲି । ସେହିପରି ଶିକ୍ଷାର୍ଥୀ ଶୁଭଶ୍ରୀ ଶୁଭସ୍ମିତା କହିଛନ୍ତି, ଏହି କର୍ମଶାଳାରେ ଯୋଗଦେଇ କାର୍ଟୁନ ପ୍ରସ୍ତୁତିର ଅନେକ କଥା ଶିଖିପାରିଛି ।

ଲାଇନ ଆର୍ଟ, ମୁଖଭଙ୍ଗୀ ତଥା ସାଧାରଣ କାହାଣୀକୁ କିପରି କମିକ୍ସରେ ରୂପାନ୍ତରିତ କରିହେବ, ସେନେଇ ଅନେକ ଧାରଣା ମିଳିଲା । ଉଦଯାପନୀ କାର୍ଯକ୍ରମରେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବେଣୁଧର ପଣ୍ଡା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ଆଇଆଇଏମସି, ଢେଙ୍କାନାଳର ଆଂଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତାରେ କାର୍ଟୁନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।

Leave A Reply

Your email address will not be published.

1 × 3 =