ପରିବେଶ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହେଲେ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ !
ଢେଙ୍କାନାଳ : ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ । ପରିବେଶ ଓ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ତିଆରି କରିଛନ୍ତି ପ୍ରାମାଣିକ ଚଳଚିତ୍ର ଯେଉଁଥିପାଇଁ ତାଙ୍କୁ ମିଳିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର ।
ଖରାଦିନେ ଜଳ ଅଭାବରୁ ଯେପରି ପକ୍ଷୀଙ୍କ ମୃତୁୟ ନଘଟେ ଏ ନେଇ ୨୦୦୮ରୁ ଆରମ୍ଭ କରିଛନ୍ତି ଇନିସିଏଟିଭ ‘ଦେ ରିୟଲି ନିଡ ଅସ’ା ବିଭିନ୍ନ ଶିକ୍ଷାନୁଷ୍ଠାନ , ସ୍କୁଲ କଲେଜ ସହ ଯୁବ ଗୋଷ୍ଠୀ ଓ ସୋସାଇଟିକୁ ଯାଇ ବାଣ୍ଟୁଛନ୍ତି ସଚେତନ ବାର୍ତ୍ତା । ମାଟିପାତ୍ରରେ ପାଣି ରଖିବା ଦ୍ୱାରା କିପରି ପକ୍ଷୀଙ୍କ ଜୀବନ ବଞ୍ଚାଇ ହେବ ଏ ନେଇ କରାଉଛନ୍ତି ସଚେତନ ଦେଖାଉଛନ୍ତି ନିଜେ ତିଆରି କରିଥିବା ପ୍ରାମାଣିକ ଚଳଚିତ୍ର ।
ତେବେ ପରିବେଶ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଠାରୁ ପରିବେଶବିତ୍ ଭାବେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଶୁଭ୍ରାଂଶୁ ଶତପଥୀ । ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟରେ “ଆର୍ଟ ଅଫ ଗିଭିଂ”ର ନବମ ବାର୍ଷିକ ସମାରୋହର ଆୟୋଜନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଆର୍ଟ ଅଫ୍ ଗିଭିଂ ଦର୍ଶନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଲୋକସେବକ ମଣ୍ଡଳ ଓଡିଶା ଶାଖାର ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ୟୁନିଟ-୧ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ , ଭୁବନେଶ୍ୱର ସ୍ଥିତ ଶିବାନନ୍ଦ ଶତବାର୍ଷିକୀ ଉଚ୍ଚ ବିଦ୍ୟାଳୟର ସମ୍ପାଦକ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ଆର୍ଟ ଅଫ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ନିମନ୍ତେ ଅହେତୁକ ଅବଦାନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ ଏପରିକି ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ‘ବାର୍ଡ ମ୍ୟାନ’ଭାବେ ସମ୍ବୋଧିତ କରାଯାଇଥିଲା ।
ସୂଚନା ଥାଉକି ପୂର୍ବରୁ ଶୁଭ୍ରାଂଶୁ ୨ଟି ପ୍ରାମାଣିକ ଚଳଚିତ୍ର ତିଆରି କରି ୫ଟି ଆନ୍ତର୍ଜାତୀୟ ଓ ୯ଟି ଜାତୀୟ ଆୱାର୍ଡ ଗ୍ରହଣ କରିଛନ୍ତି ।