ମହାପୁରୁଷ ମୁହମ୍ମଦ (ସ.)– ସଂସାର ପାଇଁ କରୁଣାର ସାଗର

ଇତିହାସର ପୃଷ୍ଠାକୁ ଆଡ଼େଇ ଦେଖିଲେ, ମନୁଷ୍ୟତାର ସମଗ୍ର ପରିଚୟରେ କେତେକ ଏମିତି ଉଜ୍ଜ୍ୱଳ ତାରା ଦେଖାଯାଏ ଯାହାଙ୍କ ଆଲୋକ କେବଳ ନିଜ ଦେଶ, ନିଜ ଜାତି କିମ୍ବା ନିଜ ସମୟ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱରେ ଅବିରତ ଭାବରେ ଉଜ୍ଜ୍ୱଳିତ। ସେମାନଙ୍କ ମଧ୍ୟରୁ ସର୍ବୋତ୍କୃଷ୍ଟ, ସର୍ବଶ୍ରେଷ୍ଠ, ଏବଂ ସର୍ବଦୟାଳୁ ପୁରୁଷ ହେଲେ ମହାପୁରୁଷ ହଜରତ୍ ମୁହମ୍ମଦ (ସ୍ୱଲ୍ଲଲାହୁ ଅଲୈହି ୱସଲ୍ଲମ୍)। ପବିତ୍ର କୁରଆନରେ ଅଲ୍ଲାହ ତାଆଲା ତାଙ୍କୁ “ରହମତୁଲ୍ଲିଲ୍-ଆଲାମୀନ୍” ଅର୍ଥାତ୍ ସମସ୍ତ ସୃଷ୍ଟିପାଇଁ କରୁଣାର ସାଗର ବୋଲି ବର୍ଣ୍ଣନା କରିଛନ୍ତି।
ହଜରତ୍ ମୁହମ୍ମଦ (ସ.)ଙ୍କ ଜୀବନର ପ୍ରତ୍ୟେକ ଅଧ୍ୟାୟ କରୁଣା, ସେବା, ଦୟା ଓ ପ୍ରେମରେ ପରିପୂର୍ଣ୍ଣ। ଯେତେବେଳେ ସମାଜ ଅନ୍ଧକାରରେ ବୁଡ଼ିଥିଲା, ଅନ୍ୟାୟ, ଅବିଜ୍ଞାନ ଓ କୃରତା ଲୋକମାନଙ୍କ ଜୀବନକୁ ଘେରିନେଇଥିଲା, ସେତେବେଳେ ଏଇ ମହାପୁରୁଷ ସମସ୍ତଙ୍କୁ ଆଲୋକ ପଥରେ ଟାଣି ଆଣିଥିଲେ, ତାଙ୍କ କରୁଣାର କୌଣସି ସୀମା ନଥିଲା। ସେ କେବଳ ମାନବଙ୍କ ପ୍ରତି ନୁହେଁ, ପଶୁ-ପକ୍ଷୀ, ପ୍ରକୃତିଠାରୁ ଆରମ୍ଭ କରି ସମସ୍ତ ସୃଷ୍ଟି ପ୍ରତି କରୁଣା ଜଣାଇଥିଲେ।
ଏକଥା ପ୍ରସିଦ୍ଧ ଯେ, ଗୋଟିଏ ବିଲେଇ ତାଙ୍କ ପୋଶାକରେ ସୋଇଥିବା ବେଳେ ସେ ପୋଶାକ କାଟିଦେଲେ, କିନ୍ତୁ ପଶୁକୁ ଉଠାଇବାର କଠୋରତା ଦେଖାଇଲେ ନାହିଁ।
ଇତିହାସରେ ବର୍ଣ୍ଣନା ଅଛି, ତାଙ୍କର ଅନୁଚରମାନଙ୍କୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାର ଗରମ ବାଲି ଉପରେ ଉଲଗ୍ନ ଅବସ୍ଥାରେ ଶୁଆଇ ଦିଆଯାଇଥିଲା ଏବଂ ସେମାନଙ୍କ ଛାତିରେ ଜ୍ୱଳନ୍ତ ପଥର ଫଳକ ରଖାଯାଇଥିଲା। ସେମାନଙ୍କୁ ମକ୍କାର ପଥର ଓ କଣ୍ଟାଯୁକ୍ତ ରାସ୍ତାରେ ମୃତ ପଶୁ ମାନଙ୍କ ପରି ରଶିରେ ବାନ୍ଧି ଟାଣି ଟାଣି ନିଆଯାଉଥିଲା। ବର୍ଷ ବର୍ଷ ଧରି ସେମାନଙ୍କୁ ସାମାଜିକ ବୟକଟ କରାଯାଇଥିଲା। ସେମାନଙ୍କୁ ଭୋକ ଶୋଷ ଦ୍ୱାରା ଅତ୍ୟନ୍ତ ଯନ୍ତ୍ରଣା ଦିଆଯାଇଥିଲା। କେବେ ସେମାନଙ୍କୁ ସଂକୀର୍ଣ୍ଣ ଅନ୍ଧାର କୋଠରୀରେ ବନ୍ଦୀ କରାଯାଇଥିଲା ତ କେତେବେଳେ ସେମାନଙ୍କର ଧନ ଏବଂ ସମ୍ପତ୍ତି ଲୁଟିବା ପରେ ସେମାନଙ୍କୁ ଘରୁ ବାହାର କରି ଦିଆଯାଇଥିଲା। କେବେ ସ୍ତ୍ରୀମାନଙ୍କୁ ସ୍ୱାମୀଙ୍କଠାରୁ ବିଛିନ୍ନ କରାଯାଇଥିଲା ତ କେତେବେଳେ ସ୍ୱାମୀମାନଙ୍କୁ ସେମାନଙ୍କ ସ୍ତ୍ରୀଙ୍କଠାରୁ ଅଲଗା କରି ଦିଆଯାଇଥିଲା। ପବିତ୍ର ଗର୍ଭବତୀ ମହିଳାଙ୍କୁ ଓଟ ଉପରୁ ଫିଙ୍ଗି ଦିଆଯାଇଥିଲା ଏବଂ ସେମାନଙ୍କ ଉପରେ ବ୍ୟଙ୍ଗାତ୍ମକ ଶବ୍ଦ ବ୍ୟବହାର କରାଯାଇଥିଲା ଯଦ୍ୱାରା ସେମାନେ ଏହି କଷ୍ଟରେ ମୃତ୍ୟୁ ବରଣ କରିଥିଲେ । ଉପାସନା କରୁଥିବା ସମୟରେ ସ୍ୱୟଂ ପୈଗମ୍ବର ହଜରତ ମୁହମ୍ମଦନଙ୍କ ଉପରେ ଓଟର ଉଝୁଡି ରଖି ଅପବିତ୍ର କରା ଯାଉଥିଲା, ତାଙ୍କ ସହ ଦୁର୍ବ୍ୟବହାର କରାଯାଉଥିଲା ଏବଂ ରାସ୍ତାର ଦୁର୍ବୃତମାନେ ସେମାନଙ୍କୁ ଲଜ୍ଜିତ ଏବଂ ଅପମାନିତ କରୁଥିଲେ। ଆୱାରା ଏବଂ ବଦମାସ ମାନେ ମାସୁମ ନିରୀହ ଏବଂ କରୁଣାମୟଙ୍କ ଉପରେ ପଥର ବୃଷ୍ଟି କରି ରକ୍ତାକ୍ତ କରି ଦେଉଥିଲେ ଏପରିକି ଧରାପୃଷ୍ଠର ସବୁଠାରୁ ପବିତ୍ର ରକ୍ତ ତାଇଫର ରାସ୍ତାରେ ପ୍ରବାହିତ ହେଲା। ସେମାନଙ୍କୁ ବିଷ ପିଆଇ ଦିଆଯାଇଥିଲା ଏବଂ ଖଣ୍ଡା ଦ୍ୱାରା ଅସହାୟ ଓ ନିରୀହ ମାନଙ୍କୁ ବଳି ଦିଆଯାଉଥିଲା। ସେମାନଙ୍କ ଉପରେ ତୀର ଏବଂ ପଥର ବର୍ଷଣ କରାଯାଇଥିଲା ଏବଂ ଉହଦ ର ସେ ଭୂମି ସାକ୍ଷୀ ଅଛି ଯେ ନିଷ୍ଠୁର କ୍ରୁରମାନେ ପ୍ରକୃତିର ସବୁଠାରୁ ନିରୀହ ପ୍ରାଣୀଙ୍କ ଶରୀରକୁ ନିରନ୍ତର କ୍ଷତରେ ବିଦ୍ଧ କରିଥିଲେ। ହଁ, ହଁ ସେମାନଙ୍କୁ ବର୍ଚ୍ଛା ଦ୍ୱାରା ବିଦ୍ଧ କରାଯାଇଥିଲା ଏବଂ ସେମାନଙ୍କ ଛାତି ଚିରି ଦିଆଯାଇଥିଲା ଏବଂ ସେମାନଙ୍କ କଲିଜାକୁ ଚୋବାଇ ଦିଆଯାଇଥିଲା ।
ତାଙ୍କୁ ପଥର ମରାଗଲା, ରକ୍ତରେ ଗାଧୋଇ ଦିଆଗଲା ହେଲେ କରୁଣାମୟ ସେ ଦୁଷ୍ଟ ମାନଙ୍କୁ ମଧ୍ୟ ଅଭିଶାପ ଦେଲେ ନାହିଁ; ବରଂ ପ୍ରାର୍ଥନା କଲେ – “ହେ ପ୍ରଭୁ ! ଏମାନେ ଅଜ୍ଞାନ, ଏମାନଙ୍କୁ କ୍ଷମା ପ୍ରଦାନ କର।” ଯେତେବେଳେ କରୁମୟ ମକ୍କା ଉପରେ ବିଜୟ ହାସଲ କଲେ ସେତେବେଳେ କୌଣସି ଶତୃଠାରୁ ପ୍ରତିଶୋଧ ନେଲେ ନାହିଁ ବରଂ “ଲା ତସ୍ରିବ ଆଲୈକୁମୁଲ୍ ୟୋମ୍” ଆଜି ତମେ ସମସ୍ତେ ସ୍ୱତନ୍ତ୍ର କହି କ୍ଷମା ପ୍ରଦାନ କରିଥିଲେ।
ହଜରତ୍ ମୁହମ୍ମଦ (ସ.)ଙ୍କ କରୁଣା ସାଧାରଣ କାରୁଣ୍ୟ ନୁହେଁ, ଏକ ଶାଶ୍ୱତ ସନ୍ଦେଶ ଥିଲା –
“ଯାହା ତୁମେ ନିଜ ପାଇଁ ପସନ୍ଦ କର, ତାହା ଅନ୍ୟ ମାନଙ୍କ ପାଇଁ ମଧ୍ୟ ପସନ୍ଦ କର।”
ସେ ଦାସଦାସୀଙ୍କୁ ସମ୍ମାନ, ନାରୀଙ୍କୁ ମର୍ଯ୍ୟାଦା, ଅନାଥଙ୍କୁ ସହାୟତା, ଶତ୍ରୁଙ୍କୁ କ୍ଷମା, ଦୁର୍ବଳଙ୍କୁ ସାହାଯ୍ୟ, ପଡ଼ୋଶୀଙ୍କୁ ସ୍ନେହ, ଏହି ସମସ୍ତରେ ତାଙ୍କ ଶିକ୍ଷା ଦୁନିଆକୁ ଏକ ନୂତନ ଆଲୋକ ଦେଲା।
ଆଜିର ଦିନରେ ଆବଶ୍ୟକତା ଯେ, ବିଶ୍ୱରେ ଯେତେବେଳେ ଘୃଣା, ହିଂସା, ଯୁଦ୍ଧ ଓ ସ୍ୱାର୍ଥପୂର୍ଣ୍ଣ ଲୋଭ ମନୁଷ୍ୟତାକୁ ଦଗ୍ଧ କରୁଛି, ସେତେବେଳେ ହଜରତ୍ ମୁହମ୍ମଦ (ସ.)ଙ୍କ ସନ୍ଦେଶ ଅଧିକ ପ୍ରସଙ୍ଗିକ। ସେ କହିଥିଲେ – “ଶ୍ରେଷ୍ଠ ମୁସଲମାନ ସେହି, ଯାହାଙ୍କ ହାତ ଓ ଜିହ୍ୱାରୁ ଅନ୍ୟମାନେ ସୁରକ୍ଷିତ ରୁହନ୍ତି।”
ତାଙ୍କ ଜୀବନରୁ ଆମେ ଶିଖିପାରୁ, ଘୃଣାକୁ ପ୍ରେମରେ ପରିବର୍ତ୍ତନ କରିବା, ଶତ୍ରୁଙ୍କୁ କ୍ଷମା କରିବା, ଦୁର୍ବଳଙ୍କୁ ଉଠାଇବା, ସମାଜରେ ନ୍ୟାୟ ଓ ଶାନ୍ତି ସ୍ଥାପନ କରିବା।
ହଜରତ୍ ମୁହମ୍ମଦ (ସ.)ଙ୍କ ଜନ୍ମ ଜୟନ୍ତୀ କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ସମଗ୍ର ମନୁଷ୍ୟତା ପାଇଁ ସ୍ମରଣିକା ଯେ, ଜୀବନର ସର୍ବୋତ୍କୃଷ୍ଟ ମାର୍ଗ କରୁଣା, ଦୟା ଓ ମହାନତାରେ ରହିଛି। ସେଇ କରୁଣାର ସାଗରରୁ ଆମେ ଯେତେ ପାନ କରିବୁ, ସେତେ ଆମ ପୃଥିବୀ ଆଲୋକିତ ହେବ, ସେତେ ଶାନ୍ତିମୟ ହେବ।

ଅନସାର ଅଲୀ ଖାଁ,ଢେଙ୍କାନାଳ

Leave A Reply

Your email address will not be published.

4 × 5 =