ଢେଙ୍କାନାଳ: ଢେଙ୍କାନାଳ ବନବିଭାଗ ନା ମଣିଷଙ୍କୁ ସୁରକ୍ଷା ଦେଇପାରୁଛି, ନା ବନ୍ୟଜନ୍ତୁଙ୍କୁ। ବିଶେଷକରି ହାତୀ ସୁରକ୍ଷାରେ ବିଭାଗ ସମ୍ପୂର୍ଣ୍ଣ ଭାବରେ ବିଫଳ ସାବିତ ହୋଇଛି। ହିନ୍ଦୋଳ ବନାଞ୍ଚଳରେ ମଣିଷ-ହାତୀ ସଂଘର୍ଷ ଦିନକୁ ଦିନ ବଢ଼ୁଥିବା ବେଳେ ମଣିଷ ମୃତ୍ୟୁ ସହିତ ସହିତ ହାତୀ ମୃତ୍ୟୁ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବରେ ବଢ଼ିଚାଲିଛି। ସମ୍ପ୍ରତି, ହିନ୍ଦୋଳ ସେକ୍ସନ୍ର ଧୋବଣୀନନ୍ଦ ବିଟ୍ରେ ଏକ ହାତୀ ମୃତଦେହ ମିଳିଥିବା ଘଟଣା ସ୍ଥାନୀୟଙ୍କୁ ଆଶ୍ଚର୍ୟରେ ପକାଇଦେଇଛି। ଗୋଟିଏ ଟ୍ରେନିଂ ସେଣ୍ଟର୍ର ନିକଟରେ କିଛି ବର୍ଷ ପୂର୍ବରୁ ମଧ୍ୟ ଏକ ହାତୀ ମରିଥିବା ସ୍ମୃତି ସତେଜ ଅଛି। ସେଥିବେଳେ ହାତୀ ଦୁର୍ଗନ୍ଧ ହେବା ପରେମାତ୍ର ବନବିଭାଗ ଖବର ପାଇଥିଲା। ଗଣମାଧ୍ୟମର ହସ୍ତକ୍ଷେପରେ ସେଥିବେଳେ ଜିମ୍ମାଦାର ଫରେଷ୍ଟ୍ ଗାର୍ଡ୍ଙ୍କୁ ସ୍ଥଗିତ କରାଯାଇଥିଲା। କିନ୍ତୁ, ପୁଣି ସେଇ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣାର ପୁନରାବୃତ୍ତି ହେବାରୁ ବନବିଭାଗର ନିଷ୍କ୍ରିୟତା ପ୍ରଶ୍ନଚିହ୍ନରେ ପଡ଼ିଛି। ସ୍ଥାନୀୟଙ୍କ କହିବା ଅନୁସାରେ, ହାତୀ ମରିବା ପରେ ଗନ୍ଧିବା ସହିତ ବିଭାଗ ସଚେତନ ହେଉଛି। ଏଥିପାଇଁ, ମୃତ୍ୟୁର ସଠିକ କାରଣ, ବୟସ ଓ କେତେଦିନ ପୂର୍ବରୁ ମଲାଣି — ସବୁ ତଥ୍ୟ ଅସ୍ପଷ୍ଟ ରହିଯାଉଛି।ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶ୍ନ କରୁଛନ୍ତି —“ହାତୀ ମରୁଥିଲେ ମଧ୍ୟ ବନଖଣ୍ଡ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନାହିଁ?”ବନାଞ୍ଚଳ ଅଧିକାରୀ, ହିନ୍ଦୋଳଙ୍କ ସହ ସମ୍ପର୍କ କରିବାର ଉଦ୍ୟମ କରାଗଲେ ମଧ୍ୟ ସେଥିରେ ସଫଳତା ମିଳିନଥିଲା। ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷାରେ ବିଭାଗର ଅସମର୍ଥତା ନେଇ ସାଧାରଣରେ ଅସନ୍ତୋଷ ଚାପିଯାଇଛି।