ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ତରେ ହାତୀ ମଣିଷ ଲଢେଇ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଅବାଧ ଗୋଠ ଛଡା ହାତୀ ଆକ୍ରମଣରେ ଏବେ ନିରପରାଧ ଲୋକଙ୍କ ଜୀବନ ସଂକଟରେ ପଡ଼ିଛି। ଏପରି ଏକ ଦୁଃଖଦ ଘଟଣା ଟାଙ୍ଗିଶାଳ ଗ୍ରାମରେ ଘଟିଛି, ଯେଉଁଠାରେ ଦନ୍ତା ହାତୀର ଆକ୍ରମଣରେ ଗ୍ରାମବାସୀ ସୁଧାକର ସାମଲ (୫୮) ନିଜ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ମହାଲୁଣ୍ତା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଶାଳ ଗ୍ରାମର ବାସିନ୍ଦା ସୁଧାକର ସାମଲ ଶୁକ୍ରବାର ଦିନ ଉପର ଓଳି ଚାଷ କାମରେ ବିଲକୁ ଗଲେ ଓ ସଂଧ୍ୟା ସୁଧା ଘରକୁ ଫେରିଲେନି। ଘରକୁ ଫେରିବାରେ ବିଳମ୍ବ ହେବା ପରେ ପରିବାରଲୋକେ ତାଙ୍କୁ ଖୋଜିଥିଲେ, କିନ୍ତୁ ତାଙ୍କର ଅନ୍ୱେଷଣ ବ୍ଯର୍ଥ ହୋଇଥିଲା।
ଶନିବାର ସକାଳରେ ତାଙ୍କ ଗଣ୍ତି ଓ ମୁଣ୍ତ ଅଲଗା ହୋଇ ଚାଲିଥିବା ଶରୀର ଦେଖି ଗ୍ରାମବାସୀମାନେ ତୁରନ୍ତ ଖବର ଦେଲେ। ଘଟଣାସ୍ଥଳରେ ହିନ୍ଦୋଳ ପୁଲିସ, ବନ ବିଭାଗ କର୍ମଚାରୀ ଓ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରିଲେ। ପରେ ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଛେଦ ପରେ ଶବ ପରିବାରକୁ ହସ୍ତାନ୍ତର କରାଯାଇ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।
ଏହି ଦୁଃଖଦ ଘଟଣା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ସେ ଡିଏଫଓ ସୁମିତ କରଙ୍କ ସହ ଆଲୋଚନା କରି ସରକାରୀ ସାହାଯ୍ୟ ଶୀଘ୍ର ଯେମିତି ପରିବାରକୁ ପ୍ରଦାନ କରାଯିବ, ତାହା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଏହି ଅବସରରେ ମୃତକ ପରିବାରକୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଇ ଦେଇଥିଲେ।
ଏହି ସହିତ ବିଧାୟିକା ନାୟକ ବାଘଧରିଆ ଗ୍ରାମକୁ ଯାଇ ପୂର୍ବରୁ ହାତୀ ଆକ୍ରମଣରେ ମୃତ ୩ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ। ସେ ଗ୍ରାମବାସୀଙ୍କ ଦାବି ଶୁଣି ଖୁବଶୀଘ୍ର ନିରାକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଅବସରରେ ଉପସ୍ଥିତ ଥିବା ଅନ୍ୟ ଗଣମାନ୍ୟ ଲୋକମାନଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ୍ ଉପାଧ୍ୟକ୍ଷ ବରୁଣ ସର, ଜିଲ୍ଲା ପରିଷଦ ସଦସ୍ୟ ସୁମନ୍ତ ଦେଦୁରୀ, ମହାଲୁଣ୍ତା ସରପଞ୍ଚ ବସନ୍ତ ସାହୁ, ପ୍ରତାପ ପ୍ରଧାନ, ମଣ୍ତଳ ସଭାପତି ରବିନ ବାରିକ, ପ୍ରବୋଧ ପ୍ରଧାନ, ବିଜେପି ନେତା ଭାସ୍ଜର ଚନ୍ଦ୍ର ନାୟକ, ପ୍ରେମାନନ୍ଦ ପଟନାୟକ, ମନୋଜ ପଟ୍ଟନାୟକ, ଆଲୋକ ରଂଜନ ସାହୁ, କୁଶଳ ପଟନାୟକ, ପ୍ରଫୁଲ୍ଲ ମହାରଣା, ଟୁନା ନାଥ, ରୋହିତ ବେହେରା ଓ ସୁଜିତ ବାରିକ ଆଦିଙ୍କର ଉଲ୍ଲେଖନୀୟ ଉପସ୍ଥିତି ଥିଲା।