ଢେଙ୍କାନାଳ : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଳ୍ୟରେ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କଲକାତା ପକ୍ଷରୁ ଆୟୋଜିତ ଅମୃତ କାଳ ସାଂସ୍କୃତିକ ଉତ୍ସବ ଅବସରରେ ଢେଙ୍କାନାଳରେ ଦୁଇଦିନିଆ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଛି।
ଉତ୍ସବର ପ୍ରଥମ ଦିନ ଅର୍ଥାତ୍ ଜୁଲାଇ ୨୯ ରାତିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ କୁମାର ରାୟ।
ଏହି ଉତ୍ସବ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ଅମୃତ କାଳ” ଅଭିଯାନ ଅନ୍ତର୍ଗତରେ ଓଡ଼ିଶା ସହ ଭାରତର ଧରୋହର ଓ ସଂସ୍କୃତିକୁ ଗରିମାମୟ ଭାବେ ପ୍ରଦର୍ଶନ କରାଯାଇଛି। ଅତିଥିମାନେ କହିଛନ୍ତି ଯେ, ଏହି ଉତ୍ସବ ମାଧ୍ୟମରେ ନ କେବଳ ସ୍ଥାନୀୟ କଳାକାର ମାନଙ୍କୁ ଅବସର ମିଳିଛି, ବରଂ ସେମାନେ ନିଜ କଳା ପ୍ରତିଭା ଦ୍ୱାରା ଆର୍ଥିକ ଭାବରେ ମଧ୍ୟ ଲାଭବାନ ହୋଇପାରିଛନ୍ତି।
ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଢେଙ୍କାନାଳର ପ୍ରମୁଖ ନୃତ୍ୟ ସଂସ୍ଥାଗୁଡ଼ିକ ଯଥା- ଦେବାଂଶୀ ଡ୍ୟାନ୍ସ ଏକାଡେମୀ, ଶତରୁପା ନୃତ୍ୟ ଅନୁଷ୍ଠାନ, ଶିବାୟ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ ଏକାଡେମୀ, ନୃତ୍ୟଙ୍ଗନା ଓ ଇନ୍ଦିରା ସୋସିଆଲ ୱେଲଫେୟାର ଅନୁଷ୍ଠାନ ଆଦି ଅଂଶଗ୍ରହଣ କରି ନୃତ୍ୟ ଓ ସଂଗୀତର ମାଧ୍ୟମରେ ଦର୍ଶକମାନଙ୍କୁ ମନୋରଞ୍ଜନ କରିଛନ୍ତି। ଉତ୍ସବର ଉଦଘୋଷକ ଭାବରେ ଦାୟିତ୍ୱ ନିଭାଇଥିଲେ ଅବନୀ କୁମାର ମିଶ୍ର।