ଢେ଼ଙ୍କାନାଳ ର ପ୍ରଥମ ସାଂସଦ ତଥା ଗଡ଼ଜାତ ଆନ୍ଦୋଳନ ର ମୁଖ୍ୟ ପୁରୋଧା ,ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ସାରଙ୍ଗ ଧର ଦାସ ୧୯୫୭ ମସିହାରେ ଗଠନ କରିଥିବା ଟ୍ରଷ୍ଟ ର ପୁନର୍ଗଠନ କରିବାକୁ ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି । ଘଟଣା ର ବିବରଣୀ ରୁ ପ୍ରକାଶ ଯେ “ଗଡ଼ଜାତ ଗାନ୍ଧୀ ସାରଙ୍ଗ ଧର ” ୧୯୫୭ ମସିହା ରେ ତାଙ୍କର ମୃତ୍ୟୁ ପୂର୍ବରୁ ଢେ଼ଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ହରେକୃଷ୍ଣ ପୁର ଗ୍ରାମ ରେ ଥିବା ସମସ୍ତ ୧୩୬ ଏକର ଜମି ଓ ତାଙ୍କର ଘର ଦ୍ବାର ସବୁ କୁ ଦୁଇଟି ଟ୍ରଷ୍ଟ ( ଜାନକୀ ଦେବି ଶିଶୁ କଲ୍ୟାଣ ଓ ନାରୀ ଉନ୍ନୟନ ଟ୍ରଷ୍ଟ ଓ ଗଙ୍ଗାଧର ଶିଶୁ କଲ୍ୟାଣ ଟ୍ରଷ୍ଟ ) ଗଠନ କରି ଦାନ କରି ଦେଇଥିଲେ। ଏହି ସମ୍ପତି ରୁ ଆୟ ହେବା ଅର୍ଥ କୁ ସମାଜର ଅବହେଳିତ ଛାତ୍ର ଙ୍କ ଶିକ୍ଷା ଓ ନାରୀ କଲ୍ୟାଣ ପାଇଁ ଖର୍ଚ୍ଚ ହେବ ବୋଲି ଏକ ଉଇଲ୍ କରି ଯାଇଛନ୍ତି ଓ ଢେ଼ଙ୍କାନାଳ ର ଜିଲ୍ଲାପାଳ ଙ୍କୁ ତାହାର ତତ୍ତ୍ୱାବଧାରକ ରୂପେ ମନୋନୀତ କରି ଆଉ କେତେକ ଙ୍କୁ ମଧ୍ୟ ତାହାର ସଭ୍ୟ ରୂପେ ମନୋନୀତ କରିଯାଇଥିଲେ । ତାଙ୍କ ମଧ୍ୟରୁ କଟକ ର ବିଶିଷ୍ଟ ସମାଜବାଦୀ ନେତା ଶ୍ରୀ ବିଶ୍ଵନାଥ ପଣ୍ଡିତ ଓ ସୁରେନ୍ଦ୍ର ନାଥ ଦ୍ବିବେଦୀ ଓ ଅନ୍ୟ କିଛି ବ୍ୟକ୍ତି ଙ୍କୁ ମଧ୍ୟ ମନୋନୀତ କରି ଟ୍ରଷ୍ଟ ର ମର୍ଫତ ଦାର ରୂପେ ସ୍ୱର୍ଗତ ନରୋତ୍ତମ ଦାସ ଙ୍କୁ ମନୋନୀତ କରିଥିଲେ । ମନୋନୀତ ବ୍ୟକ୍ତି ମାନଙ୍କ ଭିତରୁ ପ୍ରାୟ ସମସ୍ତ ଙ୍କ ର ଦେହାନ୍ତ ହୋଇ ସାରିଲେଣି । କିନ୍ତୁ ଏବେ ସାରଙ୍ଗଧର ଦାସ ଙ୍କ ର ପରିବାର ର କିଛି ବଂଶଧର ଏହାକୁ ପୁରୁଷାନୁକ୍ରମେ ଏହି ଟ୍ରଷ୍ଟ କୁ ପରିଚାଳନା କରି ଆସୁଛନ୍ତି । ସବୁଠାରୁ ଦୁଃଖର ବିଷୟ ଏହିକି ଯେ ଏତେ ବଡ ମହାନ୍ ବ୍ୟକ୍ତି ଯେଉଁ ଉଦ୍ଦେଶ୍ୟ ନେଇ ଏହି ଟ୍ରଷ୍ଟ ଗଠନ କରିଥିଲେ ତାହା ଫଳବତୀ ହୋଇ ପାରୁନାହିଁ । ଗତ କିଛି ବର୍ଷ ଧରି ଟ୍ରଷ୍ଟ ରୁ ଆୟ ଅର୍ଥ କୁ ତାଙ୍କ ପରିବାର ଦ୍ଵାରା ମନଇଚ୍ଛା ଖର୍ଚ୍ଚ କରାଯାଉଅଛି ଓ ତାହାର କୌଣସି ଅଡିଟ ମଧ୍ୟ ହେଉନାହିଁ । ସଂପ୍ରତି ହରେକୃଷ୍ଣ ପୁର ଗ୍ରାମ ର କିଛି ଉତ୍ସାହୀ ଯୁବକ ” ସାରଙ୍ଗ ଧର ସେବା ପରିଷଦ ” ନାମରେ ଏକ ସଂଗଠନ କରି ସ୍ୱର୍ଗତ ସାରଙ୍ଗଧର ଙ୍କ ଶ୍ରାଦ୍ଧ ଓ ଜନ୍ମ ଦିନ ପାଳନ କରି ଆସୁଥିଲେ ବି ସାରଙ୍ଗ ଧର ଟ୍ରଷ୍ଟ ରେ ଥିବା ବ୍ୟକ୍ତି ମାନେ ତାଙ୍କୁ ଅସହଯୋଗ କରୁଛନ୍ତି ଓ କୌଣସି ଉନ୍ନୟନ କାର୍ଯ୍ୟ କରିବାକୁ ବିରୋଧ କରି ଆସୁଛନ୍ତି । ଗତ ୨୦୨୨ ମସିହାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହି ଗ୍ରାମ କୁ ” ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ରେ ଆସି ସ୍ୱର୍ଗତ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଙ୍କ ଏକ ପୂର୍ଣ୍ଣ ଅବୟବ ବ୍ରୋଞ୍ ମୂର୍ତ୍ତି ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଢେ଼ଙ୍କାନାଳ ଜିଲ୍ଲାପାଳ ଏହି ଟ୍ରଷ୍ଟ ର ତତ୍ତ୍ୱାବଧାରକ ଥିବା ଦୃଷ୍ଟି ରୁ ଏହି ଟ୍ରଷ୍ଟ ର ପୁନର୍ଗଠନ କରାଯାଇ ସ୍ୱର୍ଗତ ସାରଙ୍ଗ ଧର ଯେଉଁ ମହାନ୍ ଉଦ୍ଦେଶ୍ୟ ରେ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ଯାଇଛନ୍ତି ତାର ଉଦ୍ଦେଶ୍ୟ ସାଧିତ ହୋଇ ପାରିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଜିଲ୍ଲାପାଳ ଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।