ବାରସିଙ୍ଗାରେ ବଧୁ ମୃତ୍ୟୁ: ହତ୍ୟା ନା ସ୍ୱାଭାବିକ ? ତଦନ୍ତ ଜାରି !

ପରିବାର ଅଭିଯୋଗ ଉପରେ ଉଠିଛି ନୂଆ ପ୍ରଶ୍ନ, ପୋଲିସ କାର୍ଯ୍ୟଶୂନ୍ୟତା ନେଇ ଅସନ୍ତୋଷ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାରସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ବଧୁ ଲିଭାଲିନ୍ ସାହୁଙ୍କ ମୃତ୍ୟୁ ନେଇ ଅଭିଯୋଗ ଉଠିଛି ଯେ, ସେ ହତ୍ୟା କରାଯାଇଛନ୍ତି। ଏହି ଅଭିଯୋଗ ଲିଭାଲିନ୍ ଙ୍କ ବାପଘର ଲୋକଙ୍କ ତରଫରୁ ଆସିଛି।

ସୂଚନା ଅନୁଯାୟୀ, ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମର ସ୍ଵର୍ଗତ ବୈକୁଣ୍ଠ ସାହୁଙ୍କ ଝିଅ ଲିଭାଲିନ୍ (ବୟସ ୨୮) ତିନି ବର୍ଷ ତଳେ ବାରସିଙ୍ଗାର ଦୁଃର୍ଯ୍ୟଧନ ସାହୁଙ୍କ ସାନପୁଅ ସୁମନ୍ତ ସାହୁ ସହ ବିବାହିତ ହୋଇଥିଲେ। ସେଠାରେ ତାଙ୍କ ଗୋଟିଏ ଦୁଇ ବର୍ଷର କନ୍ୟା ସନ୍ତାନ ମଧ୍ୟ ଅଛି।

ଗତ ଶୁକ୍ରବାର ସକାଳ ୧୦ଟାରେ ଶାଶୁଘରରୁ ଫୋନ୍ ଆସିଥିଲା ଯେ, ଲିଭାଲିନ୍ ମରିଯାଇଛନ୍ତି। ଖବର ପାଇ ବାପଘର ଲୋକେ ପହଞ୍ଚି ଦେଖିଥିଲେ ଝିଅ ମୃତ ଅବସ୍ଥାରେ ଛାଡ଼ା ପଡ଼ିଛନ୍ତି। ଏହି ଘଟଣା ପରେ ମା’ ମମତା ସାହୁ ବାଲିମୀ ଥାନାରେ ହତ୍ୟା ଅଭିଯୋଗ ଦାଖଲ କରିଛନ୍ତି।

ଘଟଣା ସ୍ଥଳକୁ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି, କିନ୍ତୁ ବାପଘର ଲୋକଙ୍କ ଅଭିଯୋଗ ଯେ, ଘଟଣା ଘଟିଥିବା ସମୟରୁ ଏପର୍ଯ୍ୟନ୍ତ ବାଲିମୀ ପୋଲିସ୍ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି, ତେଣୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସାଧାରଣ ମଧ୍ୟରେ ଏହି ଘଟଣା ନେଇ ଚର୍ଚ୍ଚା ଚାଲିଛି ଯେ, ଏହା ପ୍ରକୃତରେ ହତ୍ୟା ନା ସ୍ୱାଭାବିକ ମୃତ୍ୟୁ, ତାହା ତଦନ୍ତ ପରେ ମାତ୍ର ଜଣାପଡ଼ିବ। ଲିଭାଲିନ୍ ଙ୍କ ମୃତ୍ୟୁ ରହସ୍ୟ ଉପରେ କେବେ ପରଦା ଉଠିବ ଓ ନ୍ୟାୟ ମିଳିବ କି ନୁହେଁ, ତାହା ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.

16 + fourteen =