ଢେଙ୍କାନାଳ: ନିକଟରେ ଭାରତୀୟ କ୍ରୀଡା ଆୟୋଗ (ଏସଆଇ) ପକ୍ଷରୁ ଚୟନ ପ୍ରକ୍ରିୟାରେ ଭାଗ ନେଇ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ୧୩ବର୍ଷରୁ କମ ବର୍ଗରେ ଢେଙ୍କାନାଳ ଜର୍ଜ ସରକାରୀ ୟୁପି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ପୀୟୂଷ ରଞ୍ଜନ ବେହେରା, ଢେଙ୍କାନାଳ ଏସ ଡି ଗାର୍ଲସ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରଜ୍ୟୁକ୍ତି ଧଳ ଓ ଭୁବନର ସପ୍ତମ ଶ୍ରେଣୀ ଛାତ୍ର ଓମ୍ ପ୍ରକାଶ ସାହୁ ଚୟନ ହେବାରେ ସକ୍ଷମ ହୋଇଛନ୍ତି। ତେବେ ଏହି ସଫଳ କୁନି ବ୍ୟାଡମିଣ୍ଟନ ପ୍ରତିଭା ମାନଙ୍କୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି କୁନି ପ୍ରତିଭାଙ୍କୁ ପୁଷ୍ପଗୁଛ ଦେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଜିଲ୍ଲାପାଳ। ବ୍ୟାଡମିଣ୍ଟନ ଖେଳରେ ନିଜର ପ୍ରତିଭା ବିକଶିତ କରିବା ସହିତ ଅଲମ୍ପିକରେ ନିଜକୁ ସାମିଲ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ ଜାରିରଖିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟ । ତେବେ ଏହି କୁନି ବ୍ୟାଡ ମିଣ୍ଟନ ପ୍ରତିଭାଙ୍କ ଏପରି ସଫଳତା ପଛରେ ମୁଖ୍ୟ ଭୂମିକା ନେଇଥିବା ପୀୟୂଷ ରଞ୍ଜନ ବେହେରାଙ୍କ କୋଚ୍ ମଳୟ ପଟ୍ଟନାୟକ ,ପ୍ରଜ୍ୟୁକ୍ତି ଙ୍କ ଟ୍ରେନର ତାରିଣୀ ପ୍ରସାଦ ମାଝୀ, ଓମପ୍ରକାଶଙ୍କ ଟ୍ରେନର ଭୁବନର ହଳଧର ବେହେରାଙ୍କୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଢେଙ୍କାନାଳ ଇଣ୍ଡୋର ଷ୍ଟାଡିୟମର ବ୍ୟାଡ ମିଣ୍ଟନ ଟ୍ରେନର ତାରିଣୀ ପ୍ରସାଦ ମାଝୀ, ଭୁବନ ବିଜୁପଟ୍ଟନାଇକ ଇଣ୍ଡୋର ହଲର ବ୍ୟାଡ ମିଣ୍ଟନ ଟ୍ରେନର ହଳଧର ବେହେରା, ଢେଙ୍କାନାଳ ବ୍ୟାଡ ମିଣ୍ଟନ ଏକାଡେମୀର ସହକାରୀ କୋଚ୍ ଆକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସ୍ୱାସ୍ଥ୍ୟ ଜନିତ କାରଣରୁ ଚୟନ ହୋଇଥିବା ପ୍ରଜ୍ୟୁକ୍ତି ଧଳ ଅନୁପସ୍ଥିତି ରହିଥିଲେ। ସୂଚନା ଥାଉକି ସାଇ ରିଜୋନାଲ ବ୍ୟାଡମିଣ୍ଟନ ଏକାଡେମୀ ଭୁବନେଶ୍ୱର ଥିବା ଭାରତ ସରକାରଙ୍କ ସରକାରଙ୍କ କ୍ରୀଡା ଆୟୋଗ (ଏସଆଇ) ଦ୍ୱାରା ପରିଚାଳିତ ଆବାସିକ ବ୍ୟାଡ ମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ରରେ ଚୟନ ହୋଇଥିବା ଏହି ତିନି ପ୍ରତିଭା ଆବାସିକ ଅନ୍ତେବାସୀ ଭାବେ ବିନା ଶୁକ୍ଲ ଅର୍ଥାତ ମାଗଣା ପ୍ରଶିକ୍ଷଣ ନେବାର ସୁଯୋଗ ହାସଲ କରିବେ ।