ଢ଼େଙ୍କାନାଳ : ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ ହୋଇଯାଇଛି । କଟକର ଐତିହାସିକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉକ୍ତ ଯୋଜନାର ଲୋକାର୍ପଣ କରିଛନ୍ତି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ତ ରାସୋଳ , ଦୁଦୁରୁକୋଟ , ହାତୁରା , ପାଇକପୁରୁଣାକୋଟ ଓ ବେଡାପଡା ଆଦି ସ୍ଥାନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ନିକଟରେ ବହୁ ହିତାଧିକାରୀ ଆଭାସି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ଜନସାଧାରଣଙ୍କୁ ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନ ଯୋଜନା ଭଳି ୩ଟି ଯୋଜନାର ଲୋକାର୍ପଣ ଆଜି ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟିକରିଛି ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦଙ୍କ ହିନ୍ଦୋଳ ପ୍ରତିନିଧି ତଥା ବରିଷ୍ଠ ବିଜେପି ନେତା ସୁଶାନ୍ତ ପତି, ବିଧାୟିକାଙ୍କ ପ୍ରତିନିଧିଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସ୍ଥାନରେ ଉଦବୋଧନ ଦେଇଥିଲେ । ଅତିଥିମାନେ ହିନ୍ଦୋଳବାସୀଙ୍କ ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଓଡିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ ଡବଲଇଞ୍ଜିନ୍ ସରକାରରେ କାର୍ଯ୍ୟରତ ସମସ୍ତ ମନ୍ତ୍ରୀପରିଷଦ ଗଣଙ୍କୁ ଏହି ଶୁଭ ଅବସରରେ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଭାବେ ଦୁଦୁରୁକୋଟ, ହାତୁରା,ପାଇକପୁରୁଣାକୋଟ ଓ ବେଡାପଡା ଠାରେ ଅତିଥିମାନଙ୍କ ଦ୍ୱାରା ପ୍ରତ୍ୟକ ସ୍ଥାନରେ ୨୫ ପରିବାର ନିମନ୍ତେ ମୋଟ ୧୨୫ ଟି ସ୍ମାର୍ଟ କାର୍ଡ ହିତାଧୀକାରୀଙ୍କୁ ବଣ୍ଟନ କରିଥିଲେ । ବ୍ଲକ୍ ଗୋଷ୍ଠୀଉନ୍ନୟନ ଅଥିକାରୀ ଡ. କଲ୍ୟାଣ ସୌରଭ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।