ଢ଼େଙ୍କାନାଳ : ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେବି ଲୋକମାନେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେବା ବହୁ ସ୍ଥାନରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଈଶ୍ୱରାପାଳ ସ୍କୁଲ୍ ସାହିରେ ପ୍ରାୟ ୫୦ ଗୋଟି ପରିବାର ବସବାସ କରୁଥିବା ବେଳେ ନଳକୂପ ମାତ୍ର ଗୋଟିଏ । କିନ୍ତୁ ବଡ଼ ଦୁଃଖର ବିଷୟ କି ସେହି ନଳକୂପଟି ମଝିରେ ମଝିରେ ଅଚଳ ହୋଇଯାଉଛି । ଏବଂ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ ଯୋଗାଉନାହିଁ। ଯାହାଫଳରେ ଗ୍ରାମବାସୀ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ସେହିପରି ଖରଚୁଲୀ ତଳ ସାହିର ଲୋକମାନେ ମଧ୍ୟ ପାଣି ମୁନ୍ଦେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାରେ ପ୍ରାୟ ୨୦ ଗୋଟି ପରିବାର ବସବାସ କରୁଥିବା ବେଳେ ସେଠାରେ ନଳକୂପ ଟିଏ ନାହିଁ। ଯାହାଫଳରେ ପାଣି ଖାଇବାକୁ ଲୋକମାନେ ବହୁ ହୀନସ୍ଥା ଭୋଗୁଛନ୍ତି। ପାଣି ମୁନ୍ଦେ ପାଇଁ ପ୍ରାୟ ଅଧ କିଲୋମିଟର ରାସ୍ତା ଯିବାକୁ ପଡ଼ୁଛି । ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖରାଦିନ ଆରମ୍ଭ ହୋଇଯାଇଥିବା ବେଳେ ପାଣିର ଘୋର ଆବଶ୍ୟକତା ରହୁଥିବାରୁ ବିଭାଗୀୟ କତ୍ତୃପକ୍ଷ ଏହାକୁ ଗୁରୁତର ଭାବେ ନେଇ ଖରଚୁଲୀ ତଳ ସାହିରେ ଏବଂ ଈଶ୍ୱରାପାଳ ସ୍କୁଲ୍ ସାହିରେ ନୂତନ ନଳକୂପ ଖୋଳାଇଲେ ଲୋକମାନେ ଜଳ ସମସ୍ୟାରୁ ମୁକ୍ତି ପାଇ ପାରନ୍ତେ ।