ଛାତ୍ର ଟିଏ ଦଶମ ପରୀକ୍ଷା ଦେବା ପାଇଁ ବର୍ଷ ସାରା ଦିନରାତି ପରିଶ୍ରମ କରି ପଢିଥାଏ। ଆଉ ଯେତେବେଳେ ତାକୁ ଆଡମିଟ୍ କାର୍ଡ୍ ନଦେଇ ପରୀକ୍ଷାରୁ ବଞ୍ଚିତ କରାଯିବ, ସେତେବେଳେ ତାର ମାନସିକ ସ୍ଥିତି କଣ ଥିବ ତାହା ଆପଣମାନେ ବିଚାର କରନ୍ତୁ। ଏମିତି ଏକ ଅଭାବନୀୟ ଘଟଣା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ରାସୋଳ ମୁଣ୍ଡିଆସାହିର ପବନା ବେହେରାଙ୍କ ପୁତ୍ର ପ୍ରେମାନନ୍ଦ ବେହେରା ରାସୋଳ ହାଇସ୍କୁଲ୍ ର ଚଳିତ ବର୍ଷର ଦଶମ ଶ୍ରେଣୀ ଛାତ୍ର। ଫର୍ମ ଫିଲପ୍ ପାଇଁ ତାଙ୍କ ଠାରୁ ୩ଶହ ୫୦ଟଙ୍କା ନେଇଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ୍ ଦେଇନଥିଲେ। ଆଡମିଟ୍ କାର୍ଡ୍ ନେବାକୁ ହେଲେ ଅଧିକ ୨ହଜାର ଟଙ୍କା ଦେବାକୁ ପଡ଼ିବ କହି ସ୍କୁଲର କ୍ଲର୍କ୍ ପ୍ରଦୀପ ନାୟକ ତାଙ୍କ ଠାରୁ ୨ହଜାର ଟଙ୍କା ନେଇଛନ୍ତି ବୋଲି ଛାତ୍ର ପ୍ରେମାନନ୍ଦ ବେହେରା ଅଭିଯୋଗ କରିଛନ୍ତି। କ୍ଲର୍କ୍ ପ୍ରଦୀପ ୨ହଜାର ଟଙ୍କା ନେବା ସତ୍ତ୍ୱେ ମଧ୍ୟ ଛାତ୍ର ପ୍ରେମାନନ୍ଦଙ୍କୁ ଆଡମିଟ୍ କାର୍ଡ୍ ଦେଇନଥିଲେ। ଦିନପରେ ଦିନ ଗଡାଇ ଚାଲିଥିଲେ। ଏ ସଂପର୍କରେ ପ୍ରେମାନନ୍ଦ କ୍ଲର୍କ୍ ପ୍ରଦୀପଙ୍କୁ ଆଡମିଟ୍ କାର୍ଡ୍ ପାଇଁ ୨ହଜାର ଟଙ୍କା ଦେଇଥିବାର କଥା ସ୍କୁଲର ପ୍ରଧାନଶିକ୍ଷକ ଅନାଦି ନାଏକଙ୍କୁ ଜଣାଇବାରେ ସେ ଆଡମିଟ୍ କାର୍ଡ୍ ମିଳିବା ନେଇ ଆଶ୍ୱସ୍ତି ଦେଇଥିଲେ। କିନ୍ତୁ ବଡ଼ ଦୁଃଖ ଏବଂ ଆଉ ପରିତାପର ବିଷୟ କି ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଲା ପଛେ ପ୍ରେମାନନ୍ଦଙ୍କୁ ଆଡମିଟ୍ କାର୍ଡ୍ ମିଳିଲା ନାହିଁ। ଯାହାଫଳରେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହେଲା। ସେ ବର୍ଷ ସାରା ଦିନରାତି ଯେଉଁ ପରିଶ୍ରମ କରିଥିଲା ତାହା ଶୁଖୁଆ ପୁଡାରେ ଗଲା । ଜଣେ ଛାତ୍ରଙ୍କର ଭବିଷ୍ୟତ ସହ ଖେଳିବାକୁ କିଏ ଅଧିକାର ଦେଲାଯେ ଛାତ୍ର ପ୍ରେମାନନ୍ଦଙ୍କ ଭବିଷ୍ୟତ ସହ ସ୍କୁଲର ପ୍ରଧାନଶିକ୍ଷକ ଓ କ୍ଲର୍କ୍ ଖେଳିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଛାତ୍ରଟି ମାନସିକ ଭାରସାମ୍ୟ ହରାଇ କିଛି କରିବସେ ସେଥିପାଇଁ ଦାୟୀ କିଏ ରହିବ । ପ୍ରଧାନଶିକ୍ଷକ ଓ କ୍ଲର୍କ୍ ଙ୍କର ଏପରି ଦାୟିତ୍ବହୀନ କାର୍ଯ୍ୟକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି। ପରେ ଉପଜିଲ୍ଲାପାଳ ହିନ୍ଦୋଳଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ।