ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ପୈାରହିତ୍ୟ କରିଥିଲେ। ଶେଖ୍ ତନୱିର୍ ପବିତ୍ର କୋରାନ ପାଠ କରିଥିବା ବେଳେ ମଶହୁଦ ଅହମଦ ନଜମ୍ (କବିତା) ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ମୌଲବୀ ଲିଆକତ ଅଲ୍ଲୀ ଖାଁ, ଶେଖ୍ ବଶିର, ତଥା ଜାମେ ମସଜିଦ ମୌଲବୀ ମୁଜାଫର ଖାଁ ପ୍ରମୁଖ ଯୋଗ ଦେଇଥିଲେ। ସଭାପତି ନିଜ ଭାଷଣରେ ଏହି ଦିବସର ମହିମା ବର୍ଣ୍ଣନା କରିବାକୁ ଯାଇ କହିଥିଲେ – ଅହମଦିୟା ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ ଈଶ୍ବରଙ୍କ ଆଦେଶରେ ୧୮୮୬ ମସିହାରେ ପଞ୍ଜାବ ରାଜ୍ୟର ହୋଶିଆରପୁର ଠାରେ ୪୦ ଦିନ ଧରି ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚିଲ୍ଲାକଶୀ ନାମରେ ଏକ ଘୋର ତପସ୍ୟା କରିଥିଲେ, ଫଳସ୍ୱରୂପ ପରମ ପ୍ରତାପି ଅଲ୍ଲାହ ତାଙ୍କୁ ଏକ ଅସାଧାରଣ ପୁତ୍ର ହେବାର ସୁସମାଚାର ଦେଇଥିଲେ। ସୁତରାଂ ୨୦ ଫେବୃଆରୀ ୧୮୮୮ ମସିହାରେ ଅହମଦିଆ ମୁସଲିମ ଜମାତର ପ୍ରତିଷ୍ଠାତା ଏକ ବିଜ୍ଞାପନ ମାଧ୍ୟମରେ ଜନସାଧାରଣଙ୍କୁ ଏହି ଖବର ବିଷୟରେ ଅବଗତ କରାଇଲେ, ଈଶ୍ୱରୀୟ କଥା ଅନୁଯାୟୀ, ୧୨ ଜାନୁଆରୀ ୧୮୮୯ ରେ, ସେହି ଅସାଧାରଣ ପୁତ୍ରଟି ଜନ୍ମ ଗ୍ରହଣ କଲା, ସେହି ଗୌରବମୟ ତଥା ପରମ ତେଜସ୍ଵୀ ପୁତ୍ର ଯାହାଙ୍କ ନାମ ହଜରତ ମିର୍ଜା ବଶିର ଉଦ୍ଦିନ ମହମୁଦ ଅହମ୍ମଦ ଅଟେ, ପରବର୍ତ୍ତୀ ସମୟରେ ସେ ଅହମଦିଆ ସମ୍ପ୍ରଦାୟର ଦ୍ୱିତୀୟ ଉତ୍ତରାଧିକାରୀ ହୋଇଥିଲେ। ସେହି ମହାନ ପୁତ୍ର ତାଙ୍କର ୫୨ ବର୍ଷିୟ ଖିଲାଫତ ଅବଧିରେ ଅନେକ ଅବିସ୍ମରଣୀୟ କାର୍ଯ୍ୟ କରି ଅସାଧାରଣ ବ୍ୟକ୍ତିତ୍ୱର ପ୍ରଦର୍ଶନ କରିଥିଲେ ଏବଂ ଅହମଦିଆ ମୁସଲିମ ଜମାତକୁ ମଜବୁତ କରି ଏହାକୁ ଦୁନିଆର କୋଣ ଅନୁକୋଣରେ ପହଞ୍ଚାଇଥିଲେ । ଆଜି ଏହି ସମ୍ପ୍ରଦାୟ ବିଶ୍ଵର ୨୦୦ ରୁ ଅଧିକ ଦେଶରେ ପ୍ରସାର ଲାଭ କରିଛି। ଏହି ଧର୍ମ ସଭାରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।