ବାଲିଯୋରନ୍ଦା-ରାଏପୁରା ଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ : ସମ୍ପୂର୍ଣ୍ଣ ନିଶାନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ମହିଳା !
ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ବାଲିଯୋରନ୍ଦା-ରାଏପୁରା ଗ୍ରାମରେଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଛି ଏବଂ ଗ୍ରାମରେ ସମ୍ପୂର୍ଣ୍ଣ ନିଶା ବନ୍ଦ କରିବାପାଇଁ ଗ୍ରାମର ମହିଳା ମାନେ ଅଣ୍ଟା ଭିଡ଼ିଲେ l ଗ୍ରାମ ସଭାପତି ଚୈତନ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶତାଧିକ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଗାନ୍ଧିଜୀ ଙ୍କର ସମ୍ପୂର୍ଣ୍ଣ ନିଶା ନିବାରଣ, ଅସ୍ପୃଶ୍ୟତା ଏବଂ ମହିଳା ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା । ଗ୍ରାମରେ କିଛି ବ୍ୟକ୍ତି ଦେଶୀ ଏବଂ ବିଦେଶୀ ମଦ ଅନୈତିକ ଭାବେ ବିକ୍ରି କରୁଛନ୍ତି l ସେମାନଙ୍କ ମଧ୍ୟରୁ କିଛି ମଦ ବ୍ୟବସାୟୀଙ୍କୁ ପୋଲିସ ଧରିଛି ଏବଂ ଗିରଫ ହୋଇ ଜେଲରେ ରହି ଫେରିଛନ୍ତି । ସେମାନେ ଯାମିନୀରେ ଆସି ପୁନଃ ସେହି ବ୍ୟବସାୟ କରୁଛନ୍ତି । ସେମାନେ କୁହନ୍ତି ପୋଲିସ ଆମ ଠାରୁ ମାସିକିଆ ନେଉଛି । ଡ଼ରିବୁ କାହିଁକି, ଯାଅ ଯାହାକୁ କହିବାର ଅଛି କୁହ l ଗ୍ରାମର ଗରିବ ଦିନ ମଜୁଆରିଆ ମାନେ ଯାହା କାମଧନ୍ଦା କରି ଆଣୁଛନ୍ତି, ସେଥିରୁ ଅଧା ମଦ ନିଶାରେ ଖର୍ଚ୍ଚ କରନ୍ତି ଏବଂ ଘରକୁ ଆସି ନିଜ ସ୍ତ୍ରୀ ପିଲାଛୁଆଙ୍କ ଉପରେ ଅତ୍ୟାଚାର କରନ୍ତି l ଏହି ନିଶା ବ୍ୟବସାୟ ବନ୍ଦ କରିବାକୁ ମହିଳା ମାନେ ଗଁଦିଆ ଥାନାରେ ଅନେକ ଥର ଜଣାଇଛନ୍ତି l ଏବେ ସେମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଜଣାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି l ପ୍ରମୁଖ ମହିଳା ମାନଙ୍କ ମଧ୍ୟରେ ସୁକାନ୍ତି ପଧାନ, ୱାର୍ଡ ସଭ୍ୟା ବ୍ରାହ୍ମଣୀ ପଧାନ, ଲିଲି ପଧାନ,ଅନିତା ମାଝୀ, ପାର୍ବତୀ ପଧାନ, ରୁନୁ ପଧାନ, ଚାନ୍ଦ ପଧାନ, ଅପର୍ଣ୍ଣା ପଧାନ ଯୋଗ ଦେଇଥିବା ବେଳେ ଅଜିତ ସ୍ୱାଇଁ, ନନ୍ଦ ପଧାନ, ବିଜୟ ପଧାନ, ବନମlଳି ପାଣିଗ୍ରାହୀ, ବିପିନ ପଧାନ, ସନାତନ ବେହେରା, ରାମଚନ୍ଦ୍ର ସାହୁ, କାଳନ୍ଦୀ ପଧାନ, ସୁଶାନ୍ତ ପଧାନ, ହେମନ୍ତ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ l ଆସନ୍ତା ମାସ ୩ ତାରିଖରେ ପୁନର୍ବାର ବୈଠକ ହେବ ଏବଂ ସମ୍ପୂର୍ଣ୍ଣ ନିଶା ବନ୍ଦ ପାଇଁ ଏକ ମହିଳା କମିଟି ଗଠନ କରାଯିବାର ପ୍ରସ୍ତାବ ପାରିତ ହୋଇଥିଲା l ଏହି ବୈଠକରେ ସ୍ଥାନୀୟ ରାଇତଳା ପଞ୍ଚାୟତ ସରପଞ୍ଚଙ୍କ ନୋମିନି ସାଗର ଦଳାଇ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ତୁଷାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l