ଢ଼େଙ୍କାନାଳ : ଭାରତୀୟ ପଦାତକ ସେନାବାହିନୀରେ କାର୍ଯ୍ୟରତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଜଣେ ଯବାନଙ୍କ ଦେହାନ୍ତ ହୋଇଯାଇଛି। ସୂଚନା ମୁତାବକ ହିନ୍ଦୋଳ ନିର୍ବାଚନମଣ୍ଡଳୀ ରାସୋଳ ଥାନା ଅନ୍ତର୍ଗତ କୁନୁଆଁ ପଞ୍ଚାୟତର ବୁଦ୍ଧଦେବ ସାମଲଙ୍କ ପୁଅ ରିଙ୍କୁ ସାମଲ(୩୦) ଭାରତୀୟ ସେନା ବାହିନୀରେ ୨୦୧୧ରୁ ଆସାମ ରାଇଫଲ୍ସ୍ ର ଯବାନ ଭାବରେ କାର୍ଯ୍ୟରତ ଥିଲେ। ତେବେ ଛୁଟିରେ ଘରକୁ ଆସି ଚାକିରୀ କ୍ଷେତ୍ରକୁ ବାହାରୁଥିବା ବେଳେ ଅସୁସ୍ଥତା ଅନୁଭବ କରିବାରୁ ୪ଦିନ ତଳେ ପରିବାରବର୍ଗ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ସୈନ୍ୟ ବିଭାଗ ତରଫରୁ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ବୀର ଯବାନଙ୍କ ମରଶରୀରକୁ ତୋପ ସଲାମୀ ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ଦିଆଯାଇଥିଲା । ସେଠାରେ ଆର୍ମି ବିଭାଗର ପଦସ୍ଥ ଅଧିକାରୀ ମାନେ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ମୃତ ଶରୀରକୁ ତାଙ୍କ ଗ୍ରାମ କୁନୁଆଁ କୁ ଅଣାଯାଇ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା। ସେଠାରେ ପୂର୍ବତନ ସାଂସଦ ମହେଶ ସାହୁ ଶେଷଦର୍ଶନ କରି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସାମଲ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଓ ସ୍ଥାନୀୟ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଯବାନଙ୍କ ଅକାଳ ବିୟୋଗରେ ନିର୍ବାଚନ ମଣ୍ଡଳୀ ସମେତ ପୈତୃକ ଗ୍ରାମ କୁନୁଆଁରେ ଶୋକରଛାୟା ଖେଳି ଯାଇଥିବାବେଳେ ହଜାର ହଜାର ଲୋକଙ୍କ ଗହଣରେ ବୀର ଯବାନ ଅମର ରହେ ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା।