ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠରେ ଥିବା ହେମାଳ ବସ୍ତି ଠାରେ ସଖା ଅନୁଷ୍ଠାନ ପକ୍ଷରୁ ଏକ ଦିବାସୀୟ ବ୍ୟକ୍ତିତ୍ୱ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଓଡିଶା ସରକାରଙ୍କ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ମୁକ୍ତା ଯୋଜନାର ରାଜ୍ୟ ଉପଦେଷ୍ଟା ମୀରା ପରିଡା ଯୋଗଦେଇଥିବା ବେଳେ, ସଖା ଅନୁଷ୍ଠାନର ସଭାପତି ନେହା ମହାପାତ୍ର, ପରଜଙ୍ଗ କିନ୍ନର ସଂଘ ସଭାନେତ୍ରୀ ସନକ କାଣ୍ଡି ( ମେଲେଇ କିନ୍ନର ), ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ସ୍ୱାଇଁ,ଢେଙ୍କାନାଳ ସଦର କିନ୍ନର ସଂଘ ସଭାପତି ଛବି ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସମାଜରେ କିନ୍ନର ମାନେ କିଭଳି ନିଜର ଅଧିକାର ପାଇ ପାରିବେ ଓ ସେମାନେ ନିଜର ମୌଳିକ ଅଧିକାର ଯଥା, ଟ୍ରାନ୍ସ୍ ଜେଣ୍ଡର କାର୍ଡ, ଆଧାର କାର୍ଡ, ରାସନ କାର୍ଡ, ଭତ୍ତା ପାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଢେଙ୍କାନାଳ ସଦର, ଗଁଦିଆ, ପରଜଙ୍ଗ, କାମାକ୍ଷାନଗର ଅଞ୍ଚଳରେ ଥିବା କିନ୍ନର ମାନେ ଯୋଗଦେଇଥିଲେ । ସଖା ଅନୁଷ୍ଠାନ ତାର ସମ୍ପୂର୍ଣ୍ଣ ସହଯୋଗ କରି ଢେଙ୍କାନାଳରେ ଥିବା କିନ୍ନର ମାନଙ୍କ ଦକ୍ଷତା ବିକାଶରେ ସହାୟତା ହେବ ଓ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ଆପ୍ରାଣ ଉଦ୍ୟମ କରିବ ବୋଲି ସଖା ଅନୁଷ୍ଠାନର ସଭାପତି ନେହା ମହାପାତ୍ର କହିଥିବା ବେଳେ, ଢେଙ୍କାନାଳରେ ଥିବା କିନ୍ନର ସମସ୍ତେ ଉଚ୍ଚ ଶିକ୍ଷିତ, ସେମାନଙ୍କୁ ତାଲିମ ଓ ସଚେତନତାର ଆବଶ୍ୟକତା ରହିଛି, ଆଗାମୀ ଜାନୁଆରୀ ମାସରେ ଢେଙ୍କାନାଳ ଜିଲ୍ଲାରେ ଥିବା ସମସ୍ତ କିନ୍ନରଙ୍କୁ ନେଇ ଏକ ବଡ଼ ଧରଣର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ରାଜ୍ୟ ସ୍ତରୀୟ ମଡ଼େଲିଂ ପ୍ରତିଯୋଗିତା କରାଯିବ ବୋଲି ଶ୍ରୀମତୀ ମୀରା ପରିଡା କହିଛନ୍ତି । ଶିବିର ଶେଷରେ ସଦର କିନ୍ନର ସଂଘର ସଭାପତି ଛବି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ ।