ଶ୍ରମଦିବସ କାହା ପାଇଁ: ଜାତୀୟ କର୍ମ ନିଯୁକ୍ତି ଯୋଜନା କାମରେ ମେସିନ କରୁଛି କାମ !

ଢ଼େଙ୍କାନାଳ : ଆଜି ଶ୍ରମିକ ଦିବସ । ଶ୍ରମିକ ମାନଙ୍କ ପାଇଁ ସରକାର ସଦାସର୍ବଦା ଚେଷ୍ଟିତ ବୋଲି ଦ୍ୱାହି ଦେଇ ଚାଲିଛନ୍ତି । ଏପରିକି ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଚାଲୁ ରଖିଛନ୍ତି । ଏହି ପ୍ରକଳ୍ପ ନିର୍ମାଣରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ଲକ୍ଷ୍ୟ ରଖା ଯାଇଥିବା ବେଳେ ତାହା ଏବେ ଦିଗହରା ହୋଇପଡିଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଳକ ଅଂଚଳରେ ।  ଭୁବନ ବ୍ଳକ ଏକତାଳି ପଞ୍ଚାୟତ ଅନ୍ତର୍ଗତ ବେଣ୍ଟଶାଳିଆ ଗ୍ରାମରେ ଜନୈକ ଲୋକ ଜାତୀୟ କର୍ମ ନିଯୁକ୍ତି  ଯୋଜନା ଅନ୍ତର୍ଗତ ଏକ ଜଳାଶୟ ଖୋଳିବାକୁ ଠିକା ନେଇଛନ୍ତି । ତେବେ ଶ୍ରମିକଙ୍କୁ କାମ ଦେବା  ବଦଳରେ ଠିକାଦାର ଜେସିବି ମେସିନ  ସାହାଯ୍ୟରେ ଖୋଳାଉଥିବାର ପ୍ରମାଣ ଦେଖିବାକୁ ମିଳିଛି ।

ଆଉ ଏକ ଘଟଣା ଶଙ୍କରପୁର ପଞ୍ଚାୟତ ଭନଗାମାଳ ଏଗାରଭାଗ ନାଳ ରେ ଜେସିଵି ମେସିନିରେ ଓ ବିନା ଫଳକରେ କାମ ହେଉଛି।କାମ ପାଖରେ ନା ସରକାରୀ କର୍ମଚାରୀ,ଗାଆଁ ସାଥୀ, ଜି ଆର ଏସ ଅବା ଶ୍ରମିକ କେହି ନଥାଇ ଭନଗାମାଳର ମେସିନ ଦ୍ବାରା କାମ ହେବାର ଦେଖିବାକୁ ମିଳି ଥିଲା ।

ସ୍ଥାନୀୟ ପ୍ରଶାସନର ଏଥିପ୍ରତି ଦୃଷ୍ଟି ନଥିବା ପରି ମନେ ହେଉଛି । ତେବେ ଶ୍ରମିକ ମାନଙ୍କ ପ୍ରତି ଏ ପ୍ରକାର ଅବିଚାର କେତେଦିନ ବୋଲି ସ୍ଥାତନୀୟ ଅଞ୍ଚଳରେ ଚର୍ଚ୍ଚା ଧରିଛି । ଏ ନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଶ୍ରମିକ ମହଲରେ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.

fourteen + three =