ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

‘ଲୋକଙ୍କ ସରକାର’ ନାମରେ ଡିଣ୍ଡିମ, କିନ୍ତୁ ଭଙ୍ଗା ଘରେ ଜୀବନ କାଟୁଛନ୍ତି ଅସହାୟ ସତ୍ୟବତୀଲୋକଙ୍କ ସରକାର ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ କିନ୍ତୁ ଗରିବ ଓ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ପାଟଲା ପଞ୍ଚାୟତର ପାଟଲା ଗୁଡିସାହିରେ ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ, ଗୁଡିସାହିର ସତ୍ୟବତୀ ସାହୁ (୫୫) ଆଜି ପର୍ଯ୍ୟନ୍ତ ସରକାରୀ ଆବାସ ପାଇବାରୁ ବଞ୍ଚିତ। ସେ ପରିବାର ସହ ଏକ ଭଙ୍ଗାରୁଜା, ବିପଦପୂର୍ଣ୍ଣ ଘରେ ଦିନ କାଟୁଛନ୍ତି। ତାଙ୍କ ଘରର ଅବସ୍ଥା ଏପରି ଯେ, ଦିନେ ସୂର୍ଯ୍ୟର ଆଲୋକ ଓ ରାତିରେ ତାରାର ଆଲୋକ ଦେଖିବାକୁ ପଡୁଛି।ଏପରି ଦୟନୀୟ ଅବସ୍ଥା ସତ୍ୱେ ସରପଞ୍ଚ, ପଞ୍ଚାୟତ ଅଧିକାରୀ ଓ ବ୍ଳକ ପ୍ରଶାସନଙ୍କ ନଜର ଆଜି ପର୍ଯ୍ୟନ୍ତ ସତ୍ୟବତୀଙ୍କ ଉପରେ ପଡିନାହିଁ। ଆବାସ ପାଇଁ ବାରମ୍ବାର ଗୁହାରି କରିବା ସମୟରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ “ହାତଗୁଞ୍ଜା” ଦେଲେ ମାତ୍ର ଆବାସ ମିଳିବ ବୋଲି କୁହାଯାଇଥିବାର ଗୁରୁତର ଅଭିଯୋଗ ସତ୍ୟବତୀ ଆଣିଛନ୍ତି।ସତ୍ୟବତୀଙ୍କ ସ୍ୱାମୀ ଜଣେ କିଡନୀ ରୋଗୀ। ତାଙ୍କ ଛଅ ଗୋଟି ସନ୍ତାନଙ୍କ ମଧ୍ୟରୁ ତିନିଜଣ ୯୦ ପ୍ରତିଶତରୁ ଅଧିକ ବିକଳାଙ୍ଗ। ସରକାରୀ ନିୟମ ଅନୁଯାୟୀ ସେମାନେ ବର୍ଦ୍ଧିତ ଭତ୍ତା ପାଇବାର ହକଦାର ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ସୁବିଧାରୁ ବଞ୍ଚିତ। ପାଉଥିବା ଭତ୍ତା ମଧ୍ୟ ନିୟମିତ ଭାବେ ମିଳୁନଥିବାର ଅଭିଯୋଗ ସେ କରିଛନ୍ତି।ଏହି ଘଟଣାକୁ ନେଇ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଓ ନିନ୍ଦା ପ୍ରକାଶ ପାଇଛି।ଏ ସମ୍ପର୍କରେ ପାଟଲା ପଞ୍ଚାୟତ ଅଧିକାରୀ ରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରାଯାଉଥିବାବେଳେ ସେ ସତ୍ୟବତୀ ଆବାସ ପାଇବାକୁ ଯୋଗ୍ୟ ବୋଲି କହିଥିଲେ ଏବଂ ଟଙ୍କା ମାଗିବା ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲେ। ସରପଞ୍ଚଙ୍କ ସହ ଯୋଗାଯୋଗ କରିବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେଥିରେ ସଫଳତା ମିଳିନଥିଲା।ଏହି ଅଭିଯୋଗଗୁଡ଼ିକର ସଠିକ୍ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.

3 + fifteen =