ପବିତ୍ର ରମଜାନ – ଆତ୍ମଶୁଦ୍ଧି ଓ ମାନବତାର ମହାନ ପାଠ

ମାନବ ଜୀବନରେ କେତେକ ମାସ ଏମିତି ଥାଏ ଯେଉଁମାନେ କେବଳ କାଲେଣ୍ଡରର ଅଂଶ ନୁହେଁ, ବରଂ ଆତ୍ମାର ପୁନର୍ଜନ୍ମର ଅବସର। ପବିତ୍ର ରମଜାନ ସେହି ପରି ଏକ ଦୈବୀୟ ଅନୁଭୂତିର ମାସ। ଏହା ଆସିଲେ ମନୁଷ୍ୟର ଜୀବନରେ ଏକ ଅଲୌକିକ ସଂୟମ, ଏକ ଅଦୃଶ୍ୟ ଶାନ୍ତି ଓ ଏକ ଆଧ୍ୟାତ୍ମିକ ଜାଗରଣର ପରିବେଶ ସୃଷ୍ଟି ହୁଏ। ଏହି ମାସ କେବଳ ଭୋକ ଓ ତୃଷ୍ଣାର ସହନଶୀଳତା ନୁହେଁ, ବରଂ ନିଜକୁ ନିଜେ ଚିହ୍ନିବାର, ନିଜ ମନରେ ଲୁଚିଥିବା ଦୃବଳତାକୁ ଜୟ କରିବାର ଏକ ମହାନ ସୁଯୋଗ।
ଇସଲାମ ଧର୍ମରେ ରୋଜା ଏକ ମୌଳିକ ଇବାଦତ। ପବିତ୍ର କୁରଆନରେ ଉପବାସକୁ ମନୁଷ୍ୟର ଆତ୍ମିକ ଶୁଦ୍ଧି ଓ ତକ୍ୱା (ଈଶ୍ୱରଚେତନା) ପ୍ରାପ୍ତିର ଉପାୟ ଭାବେ ଉଲ୍ଲେଖ କରାଯାଇଛି। ଏହି ଦୈବୀୟ ଆଦେଶର ମୂଳ ସାର୍ଥକତା ହେଉଛି – ମନୁଷ୍ୟ ନିଜର ଇଚ୍ଛା, ଆକାଂକ୍ଷା ଓ ଭୌତିକ ପ୍ରବୃତ୍ତି ଉପରେ ନିୟନ୍ତ୍ରଣ ସ୍ଥାପନ କରୁ।
ରୋଜାର ଉଦ୍ଦେଶ୍ୟ କଦାପି ଶରୀରକୁ କଷ୍ଟ ଦେବା କିମ୍ବା ଭୋକରେ ନିର୍ଯାତନା ଭୋଗିବା ନୁହେଁ। ଯଦି କେବଳ ଭୋକରେ ରହିବା ମାତ୍ରେ ମୋକ୍ଷ କିମ୍ବା ସ୍ୱର୍ଗ ଲାଭ ହେଉଥାନ୍ତା, ତେବେ ଦୁନିଆର ଅନେକ ଲୋକ ଅନାୟାସରେ ଏହି ପଥ ଅନୁସରଣ କରିଥାନ୍ତେ। ରୋଜା ମୂଳତଃ ଏକ “ଚାରିତ୍ରିକ ଓ ଆଧ୍ୟାତ୍ମିକ ପରିବର୍ତ୍ତନର ଅଭ୍ୟାସ”।
ଜଣେ ରୋଜାଦାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନଜଳ ତ୍ୟାଗ କରେ। ଖାଇବା, ପିଇବା, ଏବଂ ଦାମ୍ପତ୍ୟ ଜୀବନ – ଏହି ସମସ୍ତ ମନୁଷ୍ୟର ସ୍ୱାଭାବିକ ଅଧିକାର। କିନ୍ତୁ ଏହାକୁ ସ୍ୱଇଚ୍ଛାରେ ତ୍ୟାଗ କରିବାର ମାଧ୍ୟମରେ ମନୁଷ୍ୟ ପ୍ରମାଣ ଦେଇଥାଏ ଯେ – “ମୋର ଇଚ୍ଛାରୁ ବଡ଼ ହେଉଛି ମୋର ସୃଷ୍ଟିକର୍ତ୍ତାର ଆଦେଶ।”
ରମଜାନ ଆସି ଯଦି ଆମ ଜୀବନକୁ ଛୁଇଁ ଯାଏ ଓ ଆମେ ତାହାରୁ କୌଣସି ଆତ୍ମିକ ଲାଭ ଉଠାଇ ପାରିନଥାଉ, ତେବେ ସେହି ରୋଜା କେବଳ ଭୋକର ଅନୁଭୂତିରେ ସୀମିତ ରହିଯାଏ। ରମଜାନର ସତ୍ୟ ସଫଳତା ହେଉଛି – ମନରେ ପବିତ୍ରତା, ଚରିତ୍ରରେ ଶୁଦ୍ଧତା ଓ ଆଚରଣରେ ମାନବତାର ପ୍ରକାଶ।
ଗମ୍ଭୀର ଭାବରେ ଚିନ୍ତା କଲେ ଦେଖାଯାଏ ଯେ ରମଜାନ ମନୁଷ୍ୟକୁ କେତେକ ଅମୂଲ୍ୟ ଶିକ୍ଷା ଦେଇଥାଏ।

୧ – ସହାନୁଭୂତି ଓ ମାନବତାର ଜାଗରଣ। ଏକ ଧନୀ ବ୍ୟକ୍ତି ବର୍ଷସାରା ସର୍ବୋତ୍ତମ ଖାଦ୍ୟ ଭୋଗ କରିଥାଏ। ଭୋକର ଯନ୍ତ୍ରଣା କ’ଣ, ତୃଷ୍ଣାର କଷ୍ଟ କ’ଣ – ସେ ତାହାର ସତ୍ୟ ଅନୁଭୂତି କରିପାରେନାହିଁ। କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ରୋଜା ରଖେ, ଦିନ ସାରା ଅନ୍ନଜଳ ତ୍ୟାଗ କରେ, ସେତେବେଳେ ତାହାର ମନରେ ଏକ ନୂତନ ଅନୁଭୂତି ଜାଗ୍ରତ ହୁଏ। ସେ ବୁଝିପାରେ – “ଭୋକ କେବଳ ଶରୀରର ଅବସ୍ଥା ନୁହେଁ, ଏହା ଏକ ଗଭୀର ଯନ୍ତ୍ରଣା।”
ଏହି ଅନୁଭୂତି ମନୁଷ୍ୟର ହୃଦୟକୁ କୋମଳ କରେ। ଗରିବ, ଅସହାୟ ଓ ଅନାଥଙ୍କ ପ୍ରତି ସହାନୁଭୂତି ଜାଗ୍ରତ କରେ। ଏହିକାରଣରୁ ରମଜାନ ମାସରେ ଦାନ, ଜକାତ ଓ ସଦକାର ମହତ୍ତ୍ୱ ବିଶେଷ ଭାବରେ ଉଲ୍ଲେଖନୀୟ। ଏହା ସମାଜରେ ସମତା, ଭାଇଚାରା ଓ ମାନବତାର ପରିବେଶ ଗଢ଼େ।

୨ – ସଂୟମ ଓ ଆତ୍ମନିୟନ୍ତ୍ରଣର ଅଭ୍ୟାସ – ରୋଜା ମନୁଷ୍ୟକୁ ନିଜ ଇଚ୍ଛା ଉପରେ ନିୟନ୍ତ୍ରଣ ସିଖାଏ। ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟ ଓ ପାନୀୟ ଭଳି ଆବଶ୍ୟକ ଜିନିଷରୁ ମଧ୍ୟ ନିଜକୁ ରୋକିପାରେ, ସେତେବେଳେ ସେ ପାପ, କ୍ରୋଧ, ଅସତ୍ୟ, ଅନ୍ୟାୟ ଓ ଅସଂଯମୀ ଆଚରଣରୁ ମଧ୍ୟ ନିଜକୁ ଦୂରେ ରଖିବାର ଶକ୍ତି ଅର୍ଜନ କରେ।
ରୋଜା କେବଳ ପେଟର ଉପବାସ ନୁହେଁ; ଏହା ଚକ୍ଷୁର ରୋଜା (ଅଶୁଭ ଦୃଶ୍ୟରୁ ରକ୍ଷା), ଜିଭର ରୋଜା (ମିଥ୍ୟା, ଅପବାଦ, କଠୋର କଥାରୁ ଦୂରେ ରହିବା), ମନର ରୋଜା (ଅଶୁଭ ଚିନ୍ତାରୁ ଶୁଦ୍ଧି)।

୩ – ଆଲ୍ଲାହଙ୍କ ନିକଟତାର ପଥ : ରମଜାନ ମାସରେ ମନୁଷ୍ୟ ନିଜ ସୃଷ୍ଟିକର୍ତ୍ତାଙ୍କ ସହ ଏକ ବିଶେଷ ସମ୍ପର୍କ ସ୍ଥାପନ କରିବାର ଅବସର ପାଏ। ନମାଜ, କୁରଆନ ପାଠ, ଦୁଆ, ଆତ୍ମଚିନ୍ତନ – ଏହି ସମସ୍ତ ଆଚରଣ ମନୁଷ୍ୟର ଆତ୍ମାକୁ ଶାନ୍ତି ଓ ଦୈବୀୟ ସାନ୍ନିଧ୍ୟର ଅନୁଭୂତି ଦେଇଥାଏ।
ଏହା ମନୁଷ୍ୟକୁ ସ୍ମରଣ କରାଏ – “ମନୁଷ୍ୟ କେବଳ ଭୌତିକ ସତ୍ତା ନୁହେଁ; ସେ ଏକ ଆଧ୍ୟାତ୍ମିକ ସୃଷ୍ଟି।”

ଯଦି ଏହି ପବିତ୍ର ମାସ ପରେ ମଧ୍ୟ ମନୁଷ୍ୟର ଚରିତ୍ରରେ କୌଣସି ଉନ୍ନତି ଦେଖାଯାଏନି, ଯଦି କ୍ରୋଧ, ଅସତ୍ୟ, ଅନ୍ୟାୟ, ଅସହିଷ୍ଣୁତା ପୂର୍ବବତ ରହିଯାଏ – ତେବେ ରମଜାନର ମୂଳ ଉଦ୍ଦେଶ୍ୟ ପୂରଣ ହୋଇନାହିଁ। ରମଜାନ ଆମକୁ ସିଖାଏ – ସଂୟମ, ସହାନୁଭୂତି, ଧୈର୍ଯ୍ୟ, କ୍ଷମା ଓ ମାନବତା।
ଏହା ମନୁଷ୍ୟକୁ ଏକ ଉତ୍ତମ ନାଗରିକ, ଏକ ଦୟାଳୁ ମନୁଷ୍ୟ ଓ ଏକ ନୈତିକ ସତ୍ତାରେ ପରିଣତ କରିବାର ମାସ।
ଶେଷରେ କୁହିବାକୁ ହେଲେ – ରୋଜା ଭୋକର କଷ୍ଟ ନୁହେଁ, ଏହା ଆତ୍ମାର ଶିକ୍ଷା। ରମଜାନ କେବଳ ଏକ ମାସ ନୁହେଁ; ଏହା ମନୁଷ୍ୟର ଅନ୍ତର୍ମନରେ ଘଟୁଥିବା ଏକ ନିରବ ଆଧ୍ୟାତ୍ମିକ ବିପ୍ଲବ।

✍️ ଅନସାର ଅଲୀ ଖାଁ, ଢେଙ୍କାନାଳ

Leave A Reply

Your email address will not be published.

five × 2 =