ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡେଭେଲପ୍‌ମେଂଟ୍ କମିଟି ପକ୍ଷରୁ ରୋଗୀ ସେବାରେ ସୁଧାର ଆଣିବାକୁ ଜିଲ୍ଲାପାଳଙ୍କୁ ଦାବୀ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ, ଚିକିତ୍ସାଳୟ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ, ଢେଙ୍କାନାଳ
ମୁଖ୍ୟ ଚିକିତ୍ସାଳୟରେ ଭିତିଭୂମି ବିକାଶ, ବିଭିନ୍ନ ରୋଗୀ କଲ୍ୟାଣ କାର୍ଯ୍ୟକ୍ରମ ରୂପାୟନ, ରୋଗୀଙ୍କ ସମସ୍ୟା ଓ ସମାଧାନ
ନିମନ୍ତେ ବୁଦ୍ଧିଜୀବୀ ସ୍ତରୀୟ ଆଲୋଚନା ହୋଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ସଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ
ବୈଠକରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ, ଉପସଭାପତି ତଥା ଜିଲ୍ଲା ରୋଗୀ କଲ୍ୟାଣ ସମିତି ସଦସ୍ୟ
ରୋଟାରିଆନ୍ ରାଜ କିଶୋର ବେହେରା, ରୋଟାରୀ କ୍ଲବ୍ ସଭାପତି ପ୍ରଫେସର ହରେକୃଷ୍ଣ କର, ରୋଟାରିଆନ୍ ରଣେନ୍ଦ୍ର ପ୍ରତାପ
ସିଂହଦେଓ, ଦେବବ୍ରତ ଭଟ୍ଟ, ଓକିଲ ସଂଘ ସଦସ୍ୟ ଭାବଗ୍ରାହୀ ପଣ୍ଡା, ଗୁପ୍ତେଶ୍ୱର ମିଶ୍ର, ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଡା. ସତ୍ୟନାରାୟଣ ମହାପାତ୍ର, ଚିକିତ୍ସାଳୟ ଅଧିକ୍ଷକ ଡା. ସଂକଳ୍ପ କେଶରୀ ଭୋଳ, ହସ୍ପିଟାଲ୍ ମ୍ୟାନେଜର ଦେବବ୍ରତ ସାହୁ ପ୍ରମୁଖଙ୍କୁ ନେଇ ଆଲୋଚନା ହୋଇଥିଲା, ଦେବଦତ ମିଶ୍ର ଓ ସନ୍ତୋଷ ମାନସିଂହ ଉପସ୍ଥିତ ଥିଲେ । ଏଥିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗୁଣାତ୍ମକ ରୋଗୀ ସେବା, ଉପଲବ୍ଧ କରାଇବା ପାଇଁ ସମାଜର ସବୁବର୍ଗର ଜନସାଧାରଣଙ୍କ ସହଯୋଗ, ପ୍ରଶାସନିକ କ୍ରିୟାଶୀଳତା, ବିଶେଷକରି ୱାର୍ଡ ଓ ପରିସର ପରିସ୍କାର ପରିଚ୍ଛିନ୍ନତା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ସର୍ବସମ୍ମତି କ୍ରମେ ଢେଙ୍କାନାଳ ଓକିଲ ସଂଘ ସଭାପତିଙ୍କୁ ଏହି କମିଟିର ଅଧ୍ୟକ୍ଷ ଓ ଚିକିତ୍ସାଳୟ ଅଧିକ୍ଷକଙ୍କୁ ଆବାହକ ରୂପେ ମନୋନିତ କରାଯାଇଥିଲା । ପରବର୍ତୀ ସମୟରେ କମିଟିର ବରିଷ୍ଠ ଓ ଅଭିଜ୍ଞ ବ୍ୟକ୍ତି ବିଶେଷଙ୍କୁ ସାମିଲ୍ କରାଯିବାକୁ ନିଷ୍ପତି ନିଆଗଲା । ପ୍ରତି ମାସରେ ୨ଥର କମିଟି ବୈଠକ ବସିବା ସହ ସଦସ୍ୟମାନେ ରୋଗୀ ସେବାର ଅଗ୍ରଗତି ଅନୁଧ୍ୟାନ କରିବାକୁ ପ୍ରସ୍ତାବ ଗୃହୀତ ହେଲା ।
ଅପରାହ୍ନ ୫ ଘଟିକା ସମୟରେ ନବଗଠିତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡେଭେଲପ୍‌ମେଂଟ୍ କମିଟି ସଦସ୍ୟମାନେ
ଜିଲ୍ଲାପାଳଙ୍କୁ ଭେଟି, ୫ ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିବାକୁ ନିଷ୍ପତି ହେଲା । ଦାବୀଗୁଡିକ ମଧ୍ୟରେ, ଢେଙ୍କାନାଳରେ
ମେଡିକାଲ୍ କଲେଜ୍ ସ୍ଥାପନ, ନେଫ୍ରୋଲୋଜି (କିଡ୍‌ନୀ) ବିଶେଷଜ୍ଞ, ଏଣ୍ଡ୍ରୋକୋନୋଲଜି (ଡାଇବେଟିକ୍‌) ବିଶେଷଜ୍ଞ ନିଯୁକ୍ତି,
ସହରରୁ ଦକ୍ଷିଣକାଳୀ ମେଡିକାଲ୍ ରୋଡ ପ୍ରଶସ୍ତିକରଣ, ମେଡିକାଲରୁ ୫୫ନମ୍ବର ଜାତୀୟ ରାଜପଥକୁ ପ୍ରସସ୍ତ ରାସ୍ତା
ସଂଯୋଗୀକରଣ, ହସ୍ପିଟାଲ ପରିସରରେ ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ମୁତୟନ, ଯାନବାହାନ ଚଳାଚଳ ନିୟନ୍ତ୍ରଣ ଇତ୍ୟାଦି ବିଷୟରେ
ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ରୋଗୀସେବାରେ ସୁଧାର ଆଣିବାକୁ ଅନୁରୋଧ କରାଗଲା । ଜିଲ୍ଲାପାଳ ଶ୍ରୀ ସୋମେଶ
କୁମାର ଉପାଧ୍ୟାୟ, ଏହି ଦୁଇ ବିଭାଗରେ ତୁରନ୍ତ ସୁପର ସ୍ପେସାଲିଟି ଡାକ୍ତର ନିଯୁକ୍ତି ଓ ମେଡିକାଲ୍ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ
ଅଗ୍ରାଧିକାର ଭିତିରେ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଓକିଲ ସଂଘ ସଂପାଦକ ଟଙ୍କଧର ବେହେରା, ପୂର୍ବତନ ସଭାପତି
ଶିବସାଇ ମହାପାତ୍ର, ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + fourteen =