ଦେଶ ପ୍ରତି ପ୍ରେମ ଏବଂ ବିଶ୍ୱସ୍ତତା ବିଶ୍ୱାସର ଏକ ଅଂଶ !

ଆଜି ଆମ ଦେଶ ଭାରତ ସ୍ୱାଧୀନତାର ୭୮ ବର୍ଷ ପୂରଣ କରିଛି। ସମସ୍ତ ଭାରତୀୟ ଏହି ବିଶେଷ ଦିନକୁ ଅତ୍ୟଧିକ ଆନନ୍ଦ ଏବଂ କୃତଜ୍ଞତାର ସହ ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଅହମଦିଆ ମୁସଲିମ ସମ୍ପ୍ରଦାୟ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଅବସରରେ ଆମେ ସେହି ସମସ୍ତ ଦେଶପ୍ରେମୀଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ସେମାନଙ୍କ ବଳିଦାନକୁ ସମ୍ମାନର ସହ ଦେଖୁଅଛୁ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏହି ଦେଶର ପ୍ରତ୍ୟେକ ନାଗରିକ ଏହି ଦେଶର ବିକାଶରେ ସମାନ ଅଂଶୀଦାର ଅଟନ୍ତି | ସ୍ୱାଧୀନତା ଦିବସ ଆମକୁ ଏହା ମନେ ପକାଇଦିଏ ଯେ ଆମ ମାନଙ୍କର ନିଜ ଦେଶ ତଥା ଏହି ଦେଶର ଲୋକଙ୍କ ପ୍ରତି କିଛି କର୍ତ୍ତବ୍ୟ ଅଛି।ନିଜ ଦେଶ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଏବଂ ଦେଶକୁ ଭଲ ପାଇବା ବିଷୟ କାହାଠାରୁ ଶୁଣି ନେବା କିମ୍ବା ମୁହଁରେ କହିଦେବା ଭାରି ସହଜ ମନେ ହୁଏ । କିନ୍ତୁ ପ୍ରକୃତରେ ଏହାର ଅର୍ଥ ବ୍ୟାପକ । ଏହି ଶବ୍ଦ ଭିତରେ ରହିଥ‌ିବା ଗୁଢତତ୍ତ୍ଵ ଅତି ସୁନ୍ଦର, ସାବଲୀଳ ଓ ହୃଦୟସ୍ପର୍ଶୀ । ଏହାର ବାସ୍ତବ ମର୍ମକୁ ଭଲ ଭାବରେ ବୁଝିବା ଏବଂ ତଦନ୍ତର୍ଗତ ତାତ୍ତ୍ଵିକ ଅର୍ଥ କ’ଣ, ତାହାକୁ ହୃଦୟଙ୍ଗମ କରିବା ବହୁତ କଷ୍ଟକର। ଇସଲାମର ସର୍ବପ୍ରଥମ ମୌଳିକ ନୀତିଶିକ୍ଷା ହେଉଛି, ଜଣେ ବ୍ୟକ୍ତିର କହିବା ଏବଂ କରିବା ଭିତରେ କୌଣସି ପାର୍ଥକ୍ୟ ନ ରହୁ ଓ ସେ କପଟତାପୂର୍ଣ ଆଚରଣ ଠାରୁ ଦୂରେଇ ରହୁ। ଦେଶପ୍ରତି ବାସ୍ତବ ଅନୁରକ୍ତି ପ୍ରକାଶ କରିବା ପାଇଁ ଜଣେ ନିଷ୍ଠାବାନ ଓ ସଚ୍ଚୋଟ ହେବା ଏକାନ୍ତ ଆବଶ୍ୟକ। ସେଥ‌ିପାଇଁ ଏହା ଜରୁରୀ ଯେ ଜଣେ ବ୍ୟକ୍ତି ବାହାରକୁ ଯାହା ପ୍ରକାଶ କରେ, ଗୋପନରେ ମଧ୍ୟ ତାହା ତା’ ହୃଦୟର ଭାଷା ତାହାହିଁ କହିବ। ଜାତୀୟତାର ପ୍ରଶ୍ନ ଉଠିଲେ ଏହି ନୀତିର ଗୁରୁତ୍ଵ ଆହୁରି ଅଧିକ ବଢିଯାଏ। ସୁତରାଂ କୌଣସି ଦେଶରେ ବସବାସ କରୁଥିବା ବ୍ୟକ୍ତି ସେହି ଦେଶ ସହିତ ପ୍ରକୃତ ଆନୁଗତ୍ୟ ଏବଂ ବିଶ୍ୱାସନୀୟତା ଭିତ୍ତିକ ସଂପର୍କ ସୃଷ୍ଟି କରିବା ଏଳାନ୍ତ ପ୍ରୟୋଜନ। ସେହି ଦେଶର ସେ ମୂଳ ବାସିନ୍ଦା ହୋଇଥାନ୍ତୁ କିମ୍ବା ଅନ୍ୟ କୌଣସି ଦେଶରୁ ଆସି ପ୍ରବାସୀ ରୂପେ ସେହି ଦେଶର ନାଗରିକତ୍ବ ଗ୍ରହଣ କରିଥାନ୍ତୁ, ସେ ସମସ୍ତେ ଆନୁଗତ୍ୟ ପ୍ରକାଶ ଓ ସଂପର୍କ ସୃଷ୍ଟି କରିବାରେ ସମାନ ମନୋବୃତ୍ତି ପୋଷଣ କରିବା ବିଧେୟ।ଆନ୍ତର୍ଜାତୀୟ ଅହମଦିଆ ମୁସଲିମ ସମ୍ପ୍ରଦାୟର ବିଶ୍ୱ ପ୍ରମୁଖ ହଜରତ ମିର୍ଜା ମସରୁର ଅହମଦ ଦେଶପ୍ରେମ ବିଷୟରେ କହିଛନ୍ତି – ଇସଲାମ ଧର୍ମର ସଂସ୍ଥାପକ ହଜରତ ମୁହମ୍ମଦ ମୁସ୍ତଫା ସ୍ୱଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ କହିଥିଲେ, “ଦେଶପ୍ରେମ ହେଉଛି ବିଶ୍ୱାସର ଏକ ଅବିଚ୍ଛେଦ୍ୟ ଅଙ୍ଗ” ତେଣୁ ଇସଲାମ ଏହାର ପ୍ରତ୍ୟେକ ଅନୁଗାମୀ ମାନଙ୍କଠାରୁ ପ୍ରକୃତ ଦେଶପ୍ରେମ ଆଶା କରେ। ତେଣୁ, ଯଦି ଜଣେ ପ୍ରକୃତରେ ଈଶ୍ବର ଏବଂ ଇସଲାମକୁ ଭଲ ପାଏ, ତେବେ ଜଣେ ମଧ୍ୟ ନିଜ ଦେଶକୁ ଭଲ ପାଇବା ଆବଶ୍ୟକ।✍️ *ଅନସାର ଅଲୀ ଖାଁ, ଢେଙ୍କାନାଳ।*

Leave A Reply

Your email address will not be published.

six − two =