ବିଶ୍ଵ ସଂକଟ ଏବଂ ଶାନ୍ତିର ବାର୍ତ୍ତା ….

ଆଜି ବିଶ୍ୱ ଯେଉଁ ଅଶାନ୍ତି ଅଧର୍ମ ଏବଂ ଅନ୍ୟାୟ ପଥରେ ମାଡ଼ି ଚାଲିଛି ତାହା ବାସ୍ତବରେ ଅତି ଶୋଚନୀୟ । ରାଜନେତା ଓ ଧାର୍ମିକ ନେତାମାନେ ନିଜ-ନିଜ ସ୍ୱାର୍ଥ ହାସଲ ପାଇଁ ସମାଜର ଶୋଷଣ କରି ଚାଲିଛନ୍ତି । ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସମାଚାର ପତ୍ରରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ୩ୟ ବିଶ୍ଵ ଯୁଦ୍ଧ ଆମ ଘର ସମ୍ମୁଖ ରେ ବାହୁ ମେଲାଇ ଠିଆ ହୋଇ ଅଛି।
ବିଶ୍ବବ୍ୟାପୀ ଅହମଦିୟା ମୁସଲିମ ସମୁଦାୟର ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦ ବର୍ଣ୍ଣନା କରନ୍ତି ଯେ ଇସଲାମ ଧର୍ମର ଉଦ୍ଦେଶ୍ୟ ହେଲା ମନୁଷ୍ୟକୁ ତା’ର ସୃଷ୍ଟି କର୍ତ୍ତା ସର୍ବ ଶକ୍ତିମାନ ଈଶ୍ଵରଙ୍କ ସହିତ ସଂପର୍କ ସ୍ଥାପନ କରି ପ୍ରକୃତ ଶାନ୍ତି ହାସଲ କରିବା ।
ଐଶ୍ୱରୀୟ ନିର୍ଦ୍ଦେଶ ଅନୁସାରେ ୧୪୦୦ ବର୍ଷ ପୂର୍ବେ ଇସଲାମ ଧର୍ମର ପ୍ରତିଷ୍ଠାତା ପୈଗମ୍ବର ହଜରତ ମୁହମ୍ମଦ ଏହି ବାର୍ତ୍ତା ମାନବ ସମାଜକୁ ପହଞ୍ଚାଇବାର ପ୍ରୟାସ ଆରମ୍ଭ କରିଥିଲେ । ଅହମଦିୟା ମୁସଲିମ ସମ୍ପ୍ରଦାୟ ଏହା ବିଶ୍ବାସ କରେ ଯେ ସର୍ବଶକ୍ତିମାନ ଅଲ୍ଲାହ ହଜରତ ମିର୍ଜା ଗୁଲାମ ଅହମଦଙ୍କୁ ଏ ଯୁଗର ପ୍ରତିଶ୍ରୁତ ଯୁଗାବତାର ଭାବେ ପ୍ରେରଣ କରିଛନ୍ତି।
ପୈଗମ୍ବର ହଜରତ ମୁହମ୍ମଦ ଏ ସମ୍ପର୍କରେ ଭବିଷ୍ୟତବାଣୀ କରିଥିଲେ ଯେ ସେ ଆସି ମାନବ ସମାଜକୁ ଏକତ୍ରିତ କରିବେ । ଧର୍ମ ଯୁଦ୍ଧକୁ ସମାପ୍ତ କରିବେ । ନୈତିକତା, ନ୍ୟାୟ ଏବଂ ଶାନ୍ତି ଫେରାଇ ଆଣିବେ । ଇସଲାମୀୟ ଖିଲାଫତ ବ୍ୟବସ୍ଥା ଭଳି ଅହମଦିୟା ମୁସଲିମ ସମ୍ପ୍ରଦାୟରେ ମଧ୍ୟ ଖିଲାଫତର ବ୍ୟବସ୍ଥା ପ୍ରଚଳିତ ରହିଛି । ହଜରତ ମିର୍ଜା ମସରୁର ଅହମଦ ଏବେ ଅହମଦିୟା ମୁସଲିମ ସମ୍ପ୍ରଦାୟର ପଞ୍ଚମ ଖଲିଫା, ତାଙ୍କ ମାର୍ଗ ଦର୍ଶନରେ ଏହି ସମ୍ପ୍ରଦାୟ ବିଶ୍ବଶାନ୍ତି ଓ ବିଶ୍ୱ ଭାଇଚାରା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଆସୁଛି । ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏହି ସମ୍ପ୍ରଦାୟ ତା’ର ଏକ ଉପଶାଖା ‘ହୁମାନିଟି ଫାଷ୍ଟ’ ମାଧ୍ୟମରେ ସମାଜର ଗରିବ, ଅସହାୟ ଏବଂ ଦିନ-ଦରିଦ୍ରଙ୍କ ସହ ସହାନୁଭୂତି ତଥା ସାହାଯ୍ୟ ଓ ସହଯୋଗର ହାତ ବଢାଇ ଆସୁଛି ଏବଂ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ସେବା ଯୋଗାଇ ଦେଇ ଆସୁଛି । ବିଶ୍ଵଗୁରୁ ହଜରତ ମିର୍ଜା ମସରୁର ଅହମଦ କହନ୍ତି ଯଦି ଆମେ ପ୍ରକୃତ ଶାନ୍ତି ଚାହୁଁଛେ, ତେବେ ଆମକୁ ନ୍ୟାୟ ସହିତ କାର୍ଯ୍ୟ କରିବାକୁ ହେବ,ସମାନତା ଏବଂ ନିରପେକ୍ଷତାକୁ ଗୁରୁତ୍ବ ଦେବାକୁ ହେବ। ଇସଲାମ ଧର୍ମଗୁରୁ ପୈଗମ୍ବର ମୁହମ୍ମଦ ଏକ ସୁନ୍ଦର କଥାଟିଏ କହିଥିଲେ ଯେ ଆମେ ନିଜ ପାଇଁ ଯାହା ପସନ୍ଦ କରୁଛେ, ତାହା ଅନ୍ୟମାନଙ୍କ ପାଇଁ ମଧ୍ୟ ପସନ୍ଦ କରିବା ଉଚିତ୍ । ଯେପରି ଆମେ ନିଜର ଅଧିକାର ପାଇଁ ପ୍ରୟାସ କରୁଛେ, ସେହିଭଳି ଅନ୍ୟର ଅଧିକାରକୁ ଦେବା ପାଇଁ ପ୍ରୟାସ କରିବା ଉଚିତ। ନିଜର କଲ୍ୟାଣ କାମନା କରିବା ସହ ବିଶ୍ଵର କଲ୍ୟାଣ କାମନା କରିବା ଉଚିତ୍ । ଏ ସବୁ ପ୍ରକ୍ରିୟା ବର୍ତ୍ତମାନ ଯୁଗରେ ଶାନ୍ତି ପ୍ରତିଷ୍ଠା କରିବାର ମାଧ୍ୟମ ।
ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମୁଦାୟର ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର୍ ଅହମଦ୍ ଆଜକୁ ପ୍ରାୟ କିଛିବର୍ଷ ପୂର୍ବରୁ ହିଁ ସମାଜକୁ ଏହି ସମ୍ପର୍କରେ ଅବଗତ କରାଇ ଆସୁଛନ୍ତି ଯେ ଯଦି ଅଧର୍ମ ତଥା ଅନ୍ୟାୟ ପଥର ପଥିକ ହୁଅନ୍ତି ତେବେ ଏହି ବିପଦକୁ ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ। ଆଉ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଦୟାକରି ନିଜ ସ୍ରଷ୍ଟାଙ୍କ ଆଡ଼କୁ ଗତି କରନ୍ତୁ,ନ୍ୟାୟ ସ୍ଥାପନା କରି ଶାନ୍ତିର ବାର୍ତ୍ତାକୁ ବିଶ୍ଵର କୋଣ ଅନୁକୋଣରେ ପହଞ୍ଚାନ୍ତୁ।
ହଜରତ ମିର୍ଜା ମସରୁର୍ ଅହମଦ୍ ବିଶ୍ଵ ଶାନ୍ତି ସ୍ଥାପନା ସମ୍ପର୍କରେ ଯେଉଁ ସରାହନୀୟ କାର୍ଯ୍ୟ କରିଛନ୍ତି ତାହା ବାସ୍ତବରେ ଅବିସ୍ମରଣୀୟ , ଆପଣ ୨୦୦୮ ରେ ବ୍ରିଟିଶ ପାର୍ଲିଆମେଣ୍ଟ ରେ , ୨୦୧୨ ରେ ଜର୍ମାନୀର ସେନା ମୁଖ୍ୟାଳୟ ଏବଂ ଲଣ୍ଡନ ଠାରେ ଆୟୋଜିତ ନବମ ଶାନ୍ତି ସମ୍ମେଳନରେ ତଥା ୟୁରୋପିୟନ୍ ପାର୍ଲିଆମେଣ୍ଟରେ ନିଜ ମତ ପ୍ରକାଶ କରିଥିଲେ । ପୁଣି ୨୦୧୩ ରେ ନିୟୁଜଲାଣ୍ଡର ରାଷ୍ଟ୍ରୀୟ ପାର୍ଲିଆମେଣ୍ଟରେ ତଥା ୨୦୧୫ ରେ ଜାପାନର ଟୋକିଓ ଠାରେ ମଧ୍ୟ ନିଜ ମତ ପ୍ରକାଶ କରିଥିଲେ।
ଏହା ପରେ ଆପଣ ବିଶ୍ଵର ସମସ୍ତ ରାଜନେତା ତଥା ଧାର୍ମିକ ନେତାମାନଙ୍କୁ ମଧ୍ୟ ଶାନ୍ତି ସ୍ଥାପନା ସନ୍ଦର୍ଭରେ ପତ୍ର ଲେଖି ଥିଲେ , ତନ୍ମଧ୍ୟରୁ ପୋପ୍ ବେନିଡିକ୍ସ ୧୬, ଇସ୍ରାଏଲର ପ୍ରଧାନମନ୍ତ୍ରୀ, ଇରାନ ଦେଶର ରାଷ୍ଟ୍ରପତି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି,କାନାଡାର ପ୍ରଧାନମନ୍ତ୍ରୀ, ସାଉଦି ଆରବର ବାଦଶାହ୍(ରାଜା), ଚୀନ ଏବଂ ୟୁ.କେ ର ପ୍ରଧାନମନ୍ତ୍ରୀ, ଜର୍ମାନୀର ଚାନ୍ସେଲର, ଫ୍ରାନ୍ସର ରାଷ୍ଟ୍ରପତି,ୟୁ.କେ ର ମହାରାଣୀ,ଇରାନ ଦେଶର ଧାର୍ମିକ ନେତା ଆୟତୁଲ୍ଲାଃ ଖିମନି ତଥା ରୂଷର ରାଷ୍ଟ୍ରପତି ଅନ୍ୟତମ।
ବିଶ୍ଵ ଶାନ୍ତି ପାଇଁ ଆପଣଙ୍କ ଚେଷ୍ଟା ବାସ୍ତବରେ ଅତି ପ୍ରଶଂସନୀୟ , ଉକ୍ତ ଭାଷଣ ତଥା ଶାନ୍ତି ସନ୍ଦର୍ଭରେ ଲିଖିତ ପତ୍ର ଗୁଡ଼ିକୁ ଗୋଟିଏ ପୁସ୍ତକରେ ଉଲ୍ଲେଖ କରାଯାଇଛି ଯାହା ବିଶ୍ଵ ଇତିହାସ ରେ “World Crisis and Pathway to Peace” ଅର୍ଥାତ୍ ବିଶ୍ଵ ସଙ୍କଟ ତଥା ଶାନ୍ତି ର ପଥ ନାମରେ ଖୁବ ସୁନାମ ଅର୍ଜନ କରିସାରିଲାଣି । ପାଠକଙ୍କୁ ଅନୁରୋଧ ଉକ୍ତ ପୁସ୍ତକ ଟିକୁ ନିଶ୍ଚୟ ପଢ଼ିବେ,ଏହା www.alislam.org ରେ ନିଃଶୁଳ୍କ ଉପଲବ୍ଧ। ସୂଚନାଯୋଗ୍ୟ ଯେ ଏହି ପୁସ୍ତକଟିକୁ ଓଡ଼ିଶାର ତତ୍କାଳୀନ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଏସ୍.ସି ଜମିର୍ ତଥା ଆମର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ୍ ପଟ୍ଟନାୟକ ମଧ୍ୟ ବିମୋଚନ କରି ସାରିଛନ୍ତି।

Leave A Reply

Your email address will not be published.

4 × one =