ଓଡ଼ିଶାର ସାଢେ଼ ଚାରି କୋଟି ଜନତାଙ୍କ ର ଭାବାବେଗକୁ ନେଇ କେତେ ଦିନ ଖେଳିବେ ସରକାର ? ନବୀନ ନନ୍ଦ ପୂର୍ବତନ ବିଧାୟକ,ଢ଼େଙ୍କାନାଳ

ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । କ୍ଷମତା ରେ ରହିବା ପାଇଁ “ବିଜୁ ଜନତା ଦଳ” ର ସରକାର ତାର ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲାଣି । ଦିବଗନ୍ତ ନେତା” ବିଜୁ ବାବୁ” ଙ୍କ ନାମରେ ଗଢା ଯାଇଥିବା ଦଳ ର ଏବେ ଆଉ “ବିଜୁ ବାବୁ ” ଙ୍କ ର ନାମ କୁ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ଏବେ ଆସିଗଲା ନୂଆ ସ୍ଲୋଗାନ “ଆମ ଓଡ଼ିଶା ନବୀନ ଓଡ଼ିଶା ” ।ଏହାର ଦୁଇଟି ଅର୍ଥ ଅଛି ।ଗୋଟିଏ ହେଉଛି “ଆମେ ନୂଆ (ନବୀନ) ଓଡ଼ିଶା ଗଠନ କରିବା । ତେଣୁ ନାମ କରଣ ହେଲା “ନବୀନ ଓଡ଼ିଶା” ।ମାନେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ” ନୂଆ ଓଡ଼ିଶା ” । ବିଜୁ ବାବୁ ଙ୍କ ନାଁ ରେ ୨୬ବର୍ଷ ତଳେ ଗଢା ଯାଇଥିବା “ବିଜୁ ଜନତା ଦଳ ‘” ରେ ଏବେ କେତେଜଣ ହାତ ଗଣତି ନେତା ଙ୍କୁ ଛାଡି ଦେଲେ ସମସ୍ତଙ୍କୁ ଜଣ ଜଣ କରି ଦଳ ରୁ ବିଦାୟ କରି ଦିଆ ଗଲାଣି । ଯେଉଁ ଦୁର୍ନୀତି ଗ୍ରସ୍ତ କଂଗ୍ରେସ ସରକାର କୁ ଜନ ସାଧାରଣ ୨୩ ବର୍ଷ ତଳେ ପ୍ରତ୍ୟାଖ୍ୟାନ କରି ବିଜୁ ଜନତା ଦଳ କୁ କ୍ଷମତା କୁ ଆଣିଥିଲେ ଆଜି ସେହି ଦଳ ର ନେତା ମାନେ ବିଜୁ ଜନତା ଦଳ କୁ ଅକ୍ତିଆର କରି ନେଇଛନ୍ତି । ୨୩ବର୍ଷ ଧରି ବିଜୁ ବାବୁ ଙ୍କ ନାଁରେ ଯେଉଁ ବିକାଶ ଚାଲିଥିଲା ଏବେ “ନବୀନ ବାବୁ” ଙ୍କ ନାଁ ରେ ଆଗାମୀ ଦିନରେ ଚାଲିବ “ବିଜୁ ଜନତା ଦଳ ” ର ବିକାଶ ର ରଥ ଗଡିବ । ଏହା ଏକ ସୁନ୍ଦର ପରିକଳ୍ପନା ! ଏହି ଯୋଜନା ରେ ସରକାର ୪୦୦୦ କୋଟି ଟଙ୍କା ଆଗାମୀ ୨/୩ ମାସ ଭିତରେ ଖର୍ଚ୍ଚ କରିବେ ।ଏହି କାମ ପାଇଁ ପ୍ରତି ପଞ୍ଚାୟତ କୁ ଦିଆ ଯିବ ୫୦ଲକ୍ଷ ଟଙ୍କା ଲେଖାଏଁ । କିନ୍ତୁ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ଏହି ଟଙ୍କା ରେ ପଞ୍ଚାୟତ ର ମଠ ଓ ମନ୍ଦିର ପାଇଁ ଖର୍ଚ୍ଚ ହେବ ବୋଲି କୁହା ଯାଉଛି । ଏହି କାମ କୁ ବିନା ଟେଣ୍ଡର ଓ ବିନା ପଲ୍ଲୀ ସଭା ରେ କାମ କରିବେ ବିଜୁ ଜନତା ଦଳ ର କର୍ମୀ ମାନେ। ଏହି ଟଙ୍କାରେ ଯେଉଁ ଲାଭ ହେବ ସେଥିରେ ସେହି କର୍ମୀ ମାନେ ପଞ୍ଚାୟତ ରେ ବିଜୁ ଜନତା ଦଳ ର ବିଧାନ ସଭା ପାଇଁ ପ୍ରାର୍ଥି ଙ୍କ ପାଇଁ ଖର୍ଚ୍ଚ କରି ଆଗାମୀ ୫ବର୍ଷ ପାଇଁ ନିଜର ରାଜନୈତିକ ସ୍ଥିତି କୁ ମଜଭୁତ କରିବେ !
ରାଜ୍ୟ ରେ ଥିବା ବିରୋଧୀ ଦଳ ଗୁଡିକ ନୀରବ ଦ୍ରଷ୍ଟା ? କେବଳ ଲୋକ ଦେଖଣିଆ ବିରୋଧ ।
ଆଗାମୀ ନିର୍ବାଚନ ରେ ଓଡ଼ିଶାର” ଧର୍ମ ଭିରୁ” ଲୋକ ଙ୍କୁ ଠକିବା ପାଇଁ ସରକାର ଆଉ ଏକ ନୂଆ ଯୋଜନା ଏବେ ଲାଗୁ କଲେଣି । ସେଇଟା ହେଉଛି” ଲକ୍ଷ୍ମୀ” ଯୋଜନା । ସେ ଯୋଜନା ରେ ନୂଆ ବସ ଚାଲିବ ପଞ୍ଚାୟତ ରୁ ବ୍ଲକ କୁ ଓ ବ୍ଲକ ରୁ ଜିଲ୍ଲା କୁ । ବସ ଚାଲିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଓଡ଼ିଶାର ସାଧାରଣ ଜନତା ଙ୍କ ଭାବାବେଗ ର ସୁଯୋଗ ନେଇ ଭୋଟ ହାସଲ କରିବା ତାହାର ମୂଳ ଲକ୍ଷ ଅଟେ । ଜନ ସାଧାରଣ ଜାଣିବା ଦରକାର ଏହି ଯୋଜନା ର ପ୍ରକୃତ ନାମ କଣ ? ଇଂରାଜୀ ରେ ଏହି ଯୋଜନା ” Location Accessible Multi model initiative” ( LACCMI) , ଓଡ଼ିଆ ରେ କୁହାଯିବ” ଲ୍ୟାକମି ” ଯୋଜନା । ଓଡ଼ିଶା ଲୋକ ଙ୍କ ଧର୍ମୀୟ ଭାବନା ର ସୁଯୋଗ ନେବାପାଇଁ ଏହାକୁ ଜୋର୍ ଜବର ଦସ୍ତ୍ “ଲକ୍ଷ୍ମୀ” କୁହାଗଲା । କେବଳ ଲୋକ ଙ୍କୁ ଠକିବା ପାଇଁ ଇଂରାଜୀ ର ଗୋଟେ ସି ଅକ୍ଷର କୁ ଓଲଟାଇ ଦିଆ ଗଲା ! ଯାହା ଆପଣ ମାନେ ସରକାରୀ ବିଜ୍ଞାପନ ରେ ଲକ୍ଷ କଲେ ଦେଖି ପାରିବେ । ଦୁଇଟା ଇଂରାଜୀ ର ସି କୁ ଓଲଟ ପାଲଟ କରି “ଲକ୍ଷ୍ମୀ” କୁହାଗଲା । ଲୋକ ଙ୍କ “ଭାବାବେଗ” ସଙ୍ଗେ ଖେଳି କ୍ଷମତା ଦଖଲ କରିବା ପାଇଁ ସୁଚିତିନ୍ତ୍ ଯୋଜନା ।
୨୦୧୮ ରେ ଥିଲା ” ମୋ ବସ” ଯୋଜନା , ବିଜୁ ଗାଁ ଗାଡି ।ସେ ସବୁ ଯୋଜନା ଫସର୍ ଫାଟି ଗଲା । ଆହୁରି ଲୋକ ଙ୍କ ଭାବାବେଗ ସଙ୍ଗେ ଖେଳିବା ପାଇଁ ସୃଷ୍ଟି ହୋଇଥିଲା “କାଳିଆ ” ଯୋଜନା ।ରାଜ୍ୟ ରାଜ କୋଷ ରୁ ୧୦ହଜାର କୋଟି କେବଳ ଭୋଟ ପାଇଁ ବାଣ୍ଟି ଦିଆଗଲା ।ସେ ଟଙ୍କାରେ ରାଜ୍ୟର କୃଷି ଓ କୃଷକ ର କଣ ଉନ୍ନତି ହେଲା ତାହା ସମସ୍ତେ ଜାଣନ୍ତି। ଆଜି ଚାଷୀ ଯେଉଁ ରୁଣି କି ସେଇ ରୁଣୀ । ଚାଷ ପାଇଁ ବିଗତ ଦୁଇ ଦଶନ୍ଧି ଧରି ଯେଉଁ ଋଣ କରିଥିଲା ତାହା ଆଜି ସୁଧ ମୂଳ ସହ ଅନେକ ବୃଦ୍ଧି ହୋଇ ଯାଇଛି । ଚାଷୀ ଆଜି ଗୋଟିଏ ନୂତନ ଋଣ କରିବା ପାଇଁ ଅସମର୍ଥ ।ଲୋକ ଙ୍କ ଧର୍ମୀୟ ଭାବନା କୁ ବ୍ୟବହାର କରି ଏହି ଯୋଜନା କୁ ଇଂରାଜୀ ରେ “Krushak Assistance for livelihood and income generation (Kalia) କୁହାଗଲା। ଓଡ଼ିଶାର ଅଗଣିତ ଲୋକ ପ୍ରଭୁ ଜଗନ୍ନାଥ ଙ୍କ ର ଭକ୍ତ । ତାଙ୍କର ଅନ୍ୟ ନାମ “କାଳିଆ” । ତେଣୁ ଲୋକ ଙ୍କ ଭାବାବେଗ କୁ କିପରି ଭୋଟ ରେ ବ୍ୟବହାର କରାଯିବ ତାହାର ଏକ ସୁନ୍ଦର ପରୀକ୍ଷଣ ୨୦୧୯ ସାଧାରଣ ନିର୍ବାଚନ ରେ କରାଗଲା ଓ ତାହା ଭଲ ଭାବରେ କାମ କଲା ! ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ ର ମହିଳା ମାନଙ୍କ ଭାବାବେଗ କୁ ବ୍ୟବହାର କରିବା ପାଇଁ ଏକ “ପିଠା” ଯୋଜନା ସରକାର କଲେ ।ତାର ଇଂରାଜି ଅର୍ଥ ହେଉଛି “People’s empowerment enabling transperancy and enhancing accountability” (PEETHA) . ଏହି ଯୋଜନାର ଅସଲ ଉଦ୍ଦେଶ୍ୟ ଚୁଲି କୁ ଗଲା ।ରାଜ୍ୟ ର ମହିଳା ମାନେ କିଏ ଏଣ୍ଡୁରି ପିଠା କି କାକରା ପିଠା କି ମଣ୍ଡା ପିଠା କରି ପଞ୍ଚାୟତ କୁ ଆଣିଲେ । ଏଥିରେ ଏହି ଯୋଜନା ର ଲକ୍ଷ ପୂରଣ ହେଉ କି ନହେଉ ଭୋଟ ରାଜନୀତି ପାଇଁ ଏହା ସରକାର ଙ୍କ ଏକ ଅମୋଘ ଅସ୍ତ୍ର ହେଲା ଓ ସରକାର ମହିଳା ଭୋଟ ହାତେଇ ବାରେ ସଫଳ ହେଲେ ! ଏବେ ସରକାର ମହିଳା ଭୋଟ ହାସଲ କରିବା ପାଇଁ “ଶକ୍ତି ସ୍କୁଟି” ଯୋଜନା କରି ରାଜ୍ୟ ର ୭୦ ଲକ୍ଷ ମିଶନ ଶକ୍ତି ର ସି ଆର୍ ପି ଓ ଏମ ବି କେ ମାନଙ୍କୁ ଦେବାର ଯୋଜନା ଘୋଷଣା କରିଛନ୍ତି। ଅନ୍ୟ ପକ୍ଷରେ କହିବାକୁ ଗଲେ ସେ ସ୍କୁଟି କୁ ମହିଳା ମାନେ ବ୍ୟାଙ୍କ୍ ରୁ ଋଣ କରିବେ । ସେମାନଙ୍କ ର ସ୍ୱଳ୍ପ ଦରମା ରେ ସେ ଋଣ ଶୁଝିବା ସମ୍ଭବ ନୁହେଁ କିନ୍ତୁ ସେହି ମହିଳା ମାନେ ଆଗାମୀ ଭୋଟ ରେ ସରକାରୀ ଦଳ ର କର୍ମୀ ହୋଇ ଭୋଟ ହାସଲ କରିବା କାମରେ ନିଶ୍ଚୟ ଲଗିବେ ! ଆଉ ଯଦି ଋଣ ସୁଝି ନ ପାରିଲେ ତେବେ ତାଙ୍କର ସିଭିଲ ସ୍କୋର ଖରାପ ହେବ ଆଉ ସବୁଦିନ ପାଇଁ ବ୍ୟାଙ୍କ୍ ଦରଜା ସେମାନଙ୍କ ପାଇଁ ବନ୍ଦ୍ ହୋଇ ଯିବ ? ଆଜିକାଲି ବ୍ୟାଙ୍କ୍ କୁ ଋଣ କରିବାକୁ ହେଲେ ବ୍ୟାଙ୍କ୍ ଆଗ ଋଣ କରିବାକୁ ଆସିଥିବା ଲୋକ ର ସିବିଲ ସ୍କୋର ଚେକ୍ କରିବେ । ସିବିଲ୍ ସ୍କୋର ଖରାପ ଥିଲେ ଋଣ ମିଳିବ ନାହିଁ । ଏବେ ମହିଳା ମାନେ ନୂଆ ନୂଆ ସ୍କୁଟି ଚଢ଼ିବାକୁ ମଜା ଲାଗିବ । ଯେତେବେଳେ ବ୍ୟାଙ୍କ୍ ଋଣ ଶୁଝିବା ପାଇଁ ବ୍ୟାଙ୍କ୍ ତାଙ୍କ ପଛ ରେ ଗୋଡାଇବ ସେତେବେଳେ ପିଠିରେ ପଡ଼ିବାକୁ କେହି ନଥିବେ !
ଏବେ ଆସିବା ରାଜ୍ୟର ବିକାଶ କୁ । ଯେତେବେଳେ ନିର୍ବାଚନ ଆସେ ସେତେବେଳେ ସରକାର ଙ୍କ ର ବିକାଶ କଥା ମନେ ପଡେ । କାରଣ ଆମ ଓଡ଼ିଆ ଙ୍କ ର ସ୍ମୃତି ଶକ୍ତି ବହୁତ୍ କମ୍। ଯେପରି ୨୦୧୯ ନିର୍ବାଚନ ର ଅବ୍ୟବହିତ ପୂର୍ବରୁ ସରକାର “ଆମ ଗାଁ ଆମ ବିକାଶ “(AGAB) ଯୋଜନା କଲେ । ସରକାରୀ ରାଜକୋଷରୁ ହଜାର ହଜାର କୋଟି ଖର୍ଚ୍ଚ କରାଗଲା । କୁହାଗଲା ସେହି ଟଙ୍କା ରେ ଗ୍ରାମାଞ୍ଚଳ ର infrastructure deficit କୁ ପୂରଣ କରାଯିବ। କିଛି ହାତ ଗଣତି ଦଳୀୟ କର୍ମୀ ମାନେ ସେହି ଯୋଜନା ର ଲାଭ ଉଠାଇଲେ। ୨୦୧୯ ନିର୍ବାଚନ ରେ ପିଠା,କାଳିଆ,ମିଶନ ଶକ୍ତି, ଆମ ଗାଁ ଆମ ବିକାଶ ଯୋଜନା ରେ ରାଜ୍ୟର କେତେ ବିକାଶ ହେଲା ସମସ୍ତେ ଜାଣନ୍ତି କିନ୍ତୁ ସରକାର ନିର୍ବାଚନ ରେ ଅଦ୍ଭୁତ ପୂର୍ବ ସଫଳତା ପାଇଲେ !
ଏବେ ଆସନ୍ତା ସାଧାରଣ ନିର୍ବାଚନରେ ସରକାର ଙ୍କ ନୂଆ ସ୍ଲୋଗାନ ” ଆମ ଓଡ଼ିଶା ନବୀନ ଓଡ଼ିଶା” କେତେଦୂର କାମ ଦେବ ତାହା ସମୟ କହିବ। ନିର୍ବାଚନ ପାଇଁ ସରକାର ଙ୍କ ର “ବିକାଶ” କଥା ପୁଣି ମନେ ପଡିଗଲା । ନିର୍ବାଚିତ ପଞ୍ଚାୟତ ଗୁଡ଼ିକର କ୍ଷମତା କୁ ସଙ୍କୁଚିତ କରି ଏହି ଯୋଜନା ରେ ହଜାର ହଜାର କୋଟି ର ଠିକା କାମ ସରକାରୀ ଅଫିସର ଙ୍କ ନାମରେ ଦଳୀୟ କର୍ମୀ ମାନେ କରିବେ। ମିଶନ ଶକ୍ତି ର “ମା ” ମାନେ ଭୋଟ ପ୍ରଚାର କରିବେ । ସରକାର ପୁଣି ନିର୍ବାଚନ ରେ ବାଜିମାତ କରିବେ ! ନ କରିବେ ବା କାହିଁକି ? କେନ୍ଦ୍ର ସରକାର ତ ଆମ ମୁଖିଆ ଙ୍କ ପକେଟ୍ ରେ ! ରାଜ୍ୟରେ ବିରୋଧୀ ଦଳ ନାହାନ୍ତି କହିଲେ ଚଳେ !
ଆଜି ରାଜ୍ୟ ର “ବିକାଶ” ର ଅବସ୍ଥା ନକହିବା ଭଲ । ଜମି କୁ ପାଣି ନାହିଁ ।ପିଇବାକୁ ପାଣି ନାହିଁ । ସ୍କୁଲ ରେ ମାଷ୍ଟର ନାହାନ୍ତି। ଡାକ୍ତର ଖାନା ରେ ଡାକ୍ତର ନାହାନ୍ତି ।ସରକାରୀ ନିଯୁକ୍ତି ନାହିଁ । ରାଜ୍ୟ ରେ ଶୀତଳ ଭଣ୍ଡାର ନାହିଁ । ଚାଷୀ ଅଭାବୀ ବିକ୍ରି ର ଶିକାର । ଯେତେ କୃଷି ଭିତ୍ତିକ କଳ କାରଖାନା ରାଜ୍ୟରେ ଥିଲା ସବୁ ଗୋଟି ପରେ ଗୋଟିଏ ଗତ ୨୩ବର୍ଷ ଭିତରେ ବନ୍ଦ୍ । ଶିକ୍ଷିତ ବେକାର ଦାଦନ ଖଟିବାକୁ ରାଜ୍ୟ ବାହାର କୁ ଯାଉଛନ୍ତି । ଆତ୍ମ ନିଯୁକ୍ତି ପାଇଁ ଶିକ୍ଷିତ ଯୁବକ କୁ ବ୍ୟାଙ୍କ୍ ଋଣ ଦେଉନାହିଁ । ମିଶନ ଶକ୍ତି ନାଁ ରେ ଗାଁ ଗୁଡ଼ିକରେ “ମହାଜନୀ ” ସୁଧ ବେପାର ଚାଲିଛି । ଚାଷୀ ଆଜି ଋଣ ଗ୍ରସ୍ତ ହୋଇ ଆତ୍ମ ହତ୍ୟା କରୁଛି । ଓଡ଼ିଆ ଠିକାଦାର ଙ୍କ ପାଇଁ କାମ ନାହିଁ ! ରାଜ୍ୟରେ ଯେତେକ ବଡ ଠିକାଦାର କାମ ତାହା ଅଣଓଡ଼ିଆ ମାନେ କରୁଛନ୍ତି ।ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ରେ ସ୍ଥାନୀୟ ଲୋକ ଙ୍କୁ ନିଯୁକ୍ତି ନାହିଁ କିନ୍ତୁ ସରକାର ନିର୍ବାଚନ ପରେ ନିର୍ବାଚନ ଜିତି ଚାଲିଛନ୍ତି ? ଆମ ଓଡ଼ିଆ ଙ୍କ ଭିତରେ ଚେତନା ର ଜାଗ୍ରତ ନିକଟ ଭାବିଶ୍ଵତ୍ ରେ ହେବାର ମଧ୍ୟ ଦିଶୁ ନାହିଁ। ରାଜ୍ୟ କୁ ଏବେ “ବାବୁ” ମାନେ ଶାସନ କରୁଛନ୍ତି ।ନିର୍ବାଚିତ ପ୍ରତିନିଧି ଙ୍କ ଉତ୍ତର ଦାୟିତ୍ଵ ଆଜି ଗୌଣ ହୋଇ ଯାଇଛି । ଏ ଓଡ଼ିଆ ଜାତି କୁ ପଙ୍ଗୁ କରିବା ପାଇଁ ବିଦ୍ଧିବଧ ଚକ୍ରାନ୍ତ ଚାଲିଛି ? ସରକାର ରେ ଥିବା “ବାବୁ” ମାନେ ଆମ ଓଡ଼ିଆ ଙ୍କ ନାଡି କୁ ଚିପି ସାରି ସେମାନଙ୍କ ମନରେ ଥିବା ଧର୍ମୀୟ ଭାବାବେଗ କୁ ଆଧାର କରି ଯୋଜନା ମାନ ପ୍ରସ୍ତୁତ କରି ଆଗାମୀ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଲେଣି। ଏ ପାଳି ଶୁଣା ଯାଉଛି କିଛି ବଛା ବଛା” ବାବୁ” ମାନେ ଚାକିରି ରୁ ଅବସର ନେଇ ଆସନ୍ତା ନିର୍ବାଚନ ରେ ଲଢି ବାକୁ ମଧ୍ୟ ସରକାର ଏକ” ବ୍ଲୁ ପ୍ରିଣ୍ଟ ” ପ୍ରସ୍ତୁତ କରିଛନ୍ତି । ଏ “ବାବୁ ମାନଙ୍କୁ” ଓଡ଼ିଶାର ସ୍ଵାଭିମାନୀ ଜନତା କେତେ ଦୂର ଗ୍ରହଣ କରିବେ ତାହା ଆଗାମୀ ସମୟ କହିବ !

Leave A Reply

Your email address will not be published.

five × two =