ଚିତ୍ତଲପୁରରେ ଅଷ୍ଟମ ଶତାବ୍ଦୀର ପ୍ରାଚୀନ ଉଗ୍ରେଶ୍ୱର ଶିବମନ୍ଦିର !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ତେଲିଭୂଇଁ ଛକରୁ ପଶ୍ଚିମକୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଚିତ୍ତଲପୁର ଗ୍ରାମ ପୁରାତନତା ଓ ଧାର୍ମିକତାର ଏକ ଅଲୌକିକ ନିମିତ୍ତ। ଏଠାରେ ଅବସ୍ଥିତ “ଶ୍ରୀ ଶ୍ରୀ ଉଗ୍ରେଶ୍ୱର ମହାଦେବ ମନ୍ଦିର” କେବଳ ଏକ ଶିବମନ୍ଦିର ନୁହେଁ, ବରଂ ଏହା ଏକ ଐତିହାସିକ ଓ ଆଧ୍ୟାତ୍ମିକ ସଂସ୍କୃତିର ପ୍ରତୀକ।ଗ୍ରାମରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଦୃଶ୍ୟମାନ ପ୍ରଭୁ ବଳରାମଙ୍କ ଦଶଖମ୍ବ ମନ୍ଦିର, ତଥା ତଳମୂଳ (ଅନୁଗୁଳ) ଠାରୁ ଆଣିଥିବା ବଳରାମଙ୍କ ବିଗ୍ରହ ପୂଜିତ ହୋଇଥିବା ଐତିହାସିକ ତଥ୍ୟ ଏଠାକୁ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଛି।ଲୋକ କଥା ଅନୁଯାୟୀ, ଉକ୍ତ ମନ୍ଦିର ଅଷ୍ଟମ ଶତାବ୍ଦୀର ହୋଇପାରେ ବୋଲି କୁହାଯାଏ, ହେଲେ ମଧ୍ୟ ଏହାର ନିର୍ମାଣ ତଥ୍ୟ ସଠିକ ଭାବେ ଉପଲବ୍ଧ ନାହିଁ। ଏହି ମନ୍ଦିରର ଏକ ବିଶେଷତା ହେଉଛି ଯେଉଁଠି ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କୁ ଏକା ସ୍ଥାନରେ ପୂଜା କରାଯାଏ — ଏକ ବିରଳ ଦୃଶ୍ୟ, ଯାହା ଅନ୍ୟ ଶିବମନ୍ଦିରରେ ସାଧାରଣତଃ ଦେଖିବାକୁ ମିଳେନାହିଁ।ଏଠାରେ ଦ୍ୱିତୀୟ ବିଶେଷତା ହେଉଛି ମନ୍ଦିରରେ ଦେବୀ-ଦେବତା ଦୁହେଁ ପଶ୍ଚିମ ମୁଖା ଅବସ୍ଥାନରେ ପୂଜା ପାଉଛନ୍ତି। ତୃତୀୟ ଦୂର୍ଦ୍ଳଭ ତଥ୍ୟ ହେଉଛି — ଦୁର୍ଗାଷ୍ଟମୀ ଦିନ ଏଠାରେ ଛାଗଳ ବଳିର ବ୍ୟବସ୍ଥା ଅଛି, ଯାହା ଅନ୍ୟ କୌଣସି ଶିବମନ୍ଦିରରେ ମିଳିବା ଦୁର୍ଲଭ।ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରିଲେ ଭକ୍ତି ଭାବର ଅନୁଭୂତି ହୃଦୟକୁ ସ୍ପର୍ଶ କରେ। ବୃଷଭ ମୂର୍ତ୍ତି, ଯଜ୍ଞକୁଣ୍ଡ, ତୁଳସୀ ଚଉରା ଓ ଏକ ସ୍ଥାନରେ ବାବା ମାଙ୍କ ପୂଜା ଏହି ସ୍ଥାନକୁ ନିଜସ୍ୱ ଆଧ୍ୟାତ୍ମିକ ଅସ୍ତିତ୍ୱ ଦିଏ। ପଛପଟରେ ବିରାଟ ପୋଖରୀ ଓ ତାହା ମଧ୍ୟରେ ଥିବା ପୁରୁଣା କୁଅଟି ଗ୍ରାମବାସୀଙ୍କ ଜଳ ଜୀବନ ଜନ୍ୟ ଏବେ ମଧ୍ୟ ଉପଯୁକ୍ତ।ପୋଖରୀର ତୁଠରେ ଥିବା ଗାଧୁଆ ପଥର ଦେଖିଲେ ମନ ଆଶ୍ଚର୍ଯ୍ୟ ଚମକିଯାଏ — ଯେଉଁଥିରେ ଯୁଗ ଯୁଗ ଧରି ଲୋକମାନେ ପାଦ ଘସି ତୁଠକୁ ଡ଼ଙ୍ଗା ଭଳି ଗଢ଼ି ଦେଇଛନ୍ତି।ପୂଜା କାର୍ଯ୍ୟ ସ୍ଥାନୀୟ ମହାପାତ୍ର ସମ୍ପ୍ରଦାୟ ଦ୍ୱାରା ହୋଇଥାଏ। ଦେବୋତ୍ତର ବିଭାଗ ଅଧୀନରେ ଚାଲିଥିବା ଏହି ମନ୍ଦିରରେ ମହାଶିବରାତ୍ରୀ, କାର୍ତ୍ତିକ ପୂର୍ଣ୍ଣିମା, ଦୁର୍ଗାପୂଜା ପର୍ବଗୁଡିକ ଉତ୍ସାହର ସହିତ ପାଳନ ହୁଏ। ବିବାହ, ବ୍ରତ, ରୁଦ୍ରାଭିଷେକ ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ମନ୍ଦିରରେ ଏକ ସୁବ୍ୟବସ୍ଥିତ ପ୍ରତିଷ୍ଠା ଅଛି।ପୂଜାରିମାନଙ୍କ କହିବା ଅନୁଯାୟୀ, ଏଠାକୁ ଆସି କେହି ବି ଖାଲିହାତ ଫେରିନାହାନ୍ତି। ସ୍ୱଳ୍ପ ଦକ୍ଷିଣାରେ ବାବା ଓ ମାଆଙ୍କ ଅନୁଗ୍ରହ ପାଇ ସମ୍ପୂର୍ଣ୍ଣ ଭକ୍ତି ସହିତ ଏଠାରେ ପୂଜା କରାଯାଏ।ସ୍ଥାନୀୟ ଲୋକମାନେ ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ଦେବା ପାଇଁ ଦୃଢ ଦାବୀ ରଖୁଛନ୍ତି, କାରଣ ଏହି ମନ୍ଦିର ଏକ ଐତିହାସିକ ଓ ଆଧ୍ୟାତ୍ମିକ ରତ୍ନ ଭାବରେ ସ୍ଥାନ ଦାବି କରେ।

Leave A Reply

Your email address will not be published.

eighteen − 7 =