ଢ଼େଙ୍କାନାଳ : ବର୍ଷା ଋତୁ ଦ୍ୱାର ପ୍ରାୟ ପ୍ରବେଶ କରିବାକୁ ଯାଉଛି । ଏହି ସମୟରେ ପ୍ରାକୃତିକ ପରିବେଶରେ ଆର୍ଦ୍ରତା ବୃଦ୍ଧି ପାଇଁ ଘରୋଇ ଓ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଗୃହପାଳିତ ପଶୁମାନେ ବିଭିନ୍ନ ରୋଗର ସଂକ୍ରମଣରେ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ିଯାଉଛି । ବର୍ତ୍ତମାନ କିଛି ଗ୍ରାମରେ ଗାଈ ଓ ବଳଦମାନେ ଫାଟୁଆ ଓ ଵଜଵଜିଆ ପରି ଗମ୍ଭୀର ଚର୍ମ ରୋଗରେ ଭୁଗୁଚ୍ଛନ୍ତି । ଏହି ରୋଗଗୁଡିକ ସଂକ୍ରାମକ ଥିବା ସହ ବ୍ୟପକ ରୂପରେ ପ୍ରସାର ପାଉଛି । ସେହିପାଇଁ ଏହାକୁ ଦମନ କରିବା ନିମିତ୍ତେ ଅନିବାର୍ଯ୍ୟ ଭାବେ ପଶୁ ଟିକାକରଣ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ କାମାକ୍ଷାନଗର ଅଞ୍ଚଳର କିଛି ନିଃସ୍ଵାର୍ଥପର ପଶୁପ୍ରେମୀ ସୁବାଷ ଚନ୍ଦ୍ର ନାୟକ, ତାରିଫ୍ ହୁସେନ, ଓ ଇଂ.ହିମାଦ୍ରି ଦାସ ଏକ ସଂଘବଦ୍ଧ ଉଦ୍ୟମରେ ଉପଖଣ୍ଡ ପଶୁ ଚିକିତ୍ସାଳୟ, କାମାକ୍ଷାନଗରକୁ ଗସ୍ତ କରିଥିଲେ । ସେମାନେ ସେଠାରେ କାର୍ଯ୍ୟରତ ଉପଖଣ୍ଡ ପଶୁ ଚିକିତ୍ସକ ଅଧିକାରୀ ଡାକ୍ତର ଉଦୟ କୁମାର ମହାଳିକ ସହିତ ଏକ ଗଭୀର ଆଲୋଚନା କରି ପଶୁ ରୋଗ ପ୍ରତିରୋଧ ଓ ଟିକାକରଣ ସହିତ ସମ୍ପୃକ୍ତ କିଛି ମୂଳ ଦାବି ଉପସ୍ଥାପନ କରିଥିଲେ । ଏଥିରେ ଡା. ମହାଳିକ ସାର୍ଥକ ଭୂମିକା ଗ୍ରହଣ କରି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ଯେ, “ଗୃହପାଳିତ ପଶୁମାନେ ଆମ ପରିବାରର ଅଂଶ । ସେମାନଙ୍କ ସୁସ୍ଥତା ଓ ସୁରକ୍ଷା ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ନେବ । ଟିକାକରଣ ନିୟମିତ ଭାବେ ଚାଲିବ, ଏବଂ ଜରୁରୀ ଔଷଧ ଓ ଟିମ୍ ପ୍ରସ୍ତୁତ ରହିବ ।”
ଏହି ଉଦ୍ୟମ ପଶୁପ୍ରେମୀ ମାନଙ୍କ ଦୃଢ ସଂକଳ୍ପ ଓ ପ୍ରଶାସନିକ ମନୋଭାବକୁ ସାର୍ଥକ ସମନ୍ୱୟ ଦ୍ୱାରା ଗ୍ରାମୀଣ ଅଞ୍ଚଳର ପଶୁସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିଶ୍ଚିତ ଭାବେ ଶକ୍ତିଶାଳୀ କରିପାରିବ ବୋଲି ସ୍ଥାନୀୟ ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି ।