ଜିଲ୍ଲା ପ୍ରଶାସନର ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ : ଦୁର୍ନୀତି ହେଉଛି ବିକାଶ ପଥର ମୁଖ୍ୟ ବାଧକ- ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ : ଜିଲ୍ଲା ପ୍ରଶାସନର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି। ଏହି ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରୁ ଆଭାସୀ ମାଧ୍ୟମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ଠାରୁ ସିଧାପ୍ରସାରଣ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ, ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ଶପଥ ପାଠ କରାଇଥିଲେ ଏବଂ ଦୁର୍ନୀତିକୁ ଏକ ସାମାଜିକ ବ୍ୟାଧି ବୋଲି ବର୍ଣ୍ଣନା କରିଥିଲେ। ସୂଚନା ଥାଉକି, ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳ ୧୦ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟବାସୀଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦୁର୍ନୀତି ହେଉଛି ବିକାଶ ପଥର ମୁଖ୍ୟ ବାଧକ । ତେଣୁ ସମ୍ମିଳିତ ଭାବେ ରାଜ୍ୟର ଉନ୍ନତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିଭିଭୂମି ପ୍ରସଙ୍ଗ ଆଧାରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗୀୟ, ଉପବିଭାଗୀୟ, କାର୍ଯ୍ୟାଳୟ ମୁଖ୍ୟ, ସରକାରୀ ମୁଖ୍ୟ ଓ ମୁଖ୍ୟ କାର୍ଯ୍ୟାଳୟ, ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କରେ କାର୍ଯ୍ୟାରତ ସମସ୍ତ ଅଧିକାରୀଙ୍କୁ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ସାଧୁତାର ଶପଥ ପାଠ କରାଇଥିଲେ। ଦୁର୍ନୀତି ନିବାରଣ ନିର୍ଯ୍ୟାସ ଆଧାରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଛି । ପ୍ରତିଯୋଗିତାରେ ସମସ୍ତ ଜିଲ୍ଲାରୁ ଜିତିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ – ୨୦୨୪ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର, ଅତରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ଆଭାସୀ ମାଧ୍ୟମରେ ଜିଲ୍ଲାର ୮ ଟି ବ୍ଲକ ଉନ୍ନୟନ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

5 × 4 =