ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛତା ହିଁଁ ସେବା ଅଭିଯାନ ୧୭ରୁ ଆରମ୍ଭ !


ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୪ ଆସନ୍ତା ୧୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨ ତାରିଖରେ ସ୍ୱଚ୍ଛତା ଦିବସ ପାଳିତ ହେବ । ଏହି ଉପଲକ୍ଷେ ମଙ୍ଗଳବାର ଅପରାହ୍ନ ୪ଟାରେ ପୌରସଂସ୍ଥା ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଢେଙ୍କାନାଳ ସହରକୁ ସ୍ୱଚ୍ଛ ରଖି ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅଭିଯାନ ଉପଲକ୍ଷେ ପୌରସଂସ୍ଥାର ସମସ୍ତ ୨୩ଟି ୱାର୍ଡରେ ସ୍ଥାନିୟ କାଉନସିଲର ମାନଙ୍କ ସମେତ ସ୍ୱଚ୍ଛତା ଅଭିଯାନର ସଦସ୍ୟ ମାନଙ୍କ ନେଇ ଏକ ୱାର୍ଡ କମିଟି ଗଠନ କରାଯିବ । ପ୍ରତି ୱାର୍ଡରେ ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ନେଇ ଲୋକ ମାନଙ୍କୁ ସଚେତନ କରାଯିବ । ଯେଉଁ ଓର୍ୱାର୍ଡ ଗୁଡିକ ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବ, ସେହି ଓର୍ୱାର୍ଡ ଗୁଡିକର ମୂଲ୍ୟାଙ୍କନ କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯିବା ପାଇଁ ଆଲୋଚନା ହୋଇଛି । ସେହିପରି ସହରକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବା ପାଇଁ ଅଭିଯାନରେ ପ୍ରାଥମିକତା ଦିଆଯିବ । ସେହିପରି ବିଭିନ୍ନ ରାସ୍ତା କଡରେ ଥିବା ଫାଷ୍ଟଫୁଡ ସେଂଟର, ଜୁସ୍ ଦୋକାନ, ଫଳ ଓ ପନିପରିବା ଦୋକାନରେ ଅଳିଆ ଆବର୍ଜନା ଓ ପଛାସଢା ସାମଗ୍ରୀକୁ କିଭଳି ଭାବେ ତୁରନ୍ତ ଡମ୍ପ କରାଯିବ ସେଥିପାଇଁ ଆଲୋଚନା ହୋଇଥିଲା । ସହରବାସୀ ନିଜଆଡୁ ସହରକକୁ କିଭଳି ସ୍ୱଚ୍ଛ ରଖିବା ପାଇଁ ଆଗେଇ ଆସିବେ, ସେଥିପାଇଁ ସମସ୍ତଙ୍କୁ ସଚେତନ କରାଇବା ଉପରେ ସଦସ୍ୟ ତଥା ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ସଭାପତି ରାଜେନ୍ଦ୍ର ଦାସ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟତମ ସଦସ୍ୟ ରାଜ କିଶୋର ବେହେରା, ସ୍କୁଲ ଓ କଲେଜ ପିଲାଙ୍କୁ ଏଥିରେ ସାମିଲ କରିବା ସହ ନିୟମିତ ଭାବରେ ସହରର ସ୍ୱଚ୍ଛତା ସମ୍ପର୍କରେ ସମୀକ୍ଷା ବୈଠକ ଆୟୋଜନ କରିବା ଏବଂ ଏହି ଅଭିଯାନରେ ବଜାର କମିଟିକୁ ମଧ୍ୟ ସାମିଲ କରିବା ଉପରେ ଆଲୋଚନା ରଖିଥିଲେ । ସେହିପରି ସଚେତନତା ପାଇଁ ରାହାଗିରି, ପଥପ୍ରାନ୍ତ ନାଟକ, କାନ୍ଥରେ ସଚେତନତା ବାର୍ତା ଆଦି କରିବା ଉପରେ ଆଲୋଚନା ହୋଇଥିଲା । ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର ବୈଠକରେ ଯୋଗଦେଇ ସମସ୍ତଙ୍କର ସହଯୋଗ ଓ ସହଭାଗିତା ରହିଲେ ଏହି ଅଭିଯାନ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ । ପୌର ନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପୌରଯନ୍ତ୍ରୀ ରଶ୍ମୀତା ମିଶ୍ର ଅଭିଯାନର ରୁପରେଖ ସମ୍ପର୍କରେ ପାୱାର ପଂଏଟ ପ୍ରେଜେଂଟେସନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ସଦସ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ସଭାପତି ବିଶିଷ୍ଟ ଶିକ୍ଷାବିତ ଡ. ହରେକୃଷ୍ଣ କର, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଶ୍ୱନାଥ ବେହେରା, ଆଇନଜୀବୀ ମାତୃ ପ୍ରସାଦ ନନ୍ଦ, ରତନ ନାୟାର, ରେଡକ୍ରସ ଉପସଭାପତି ବିରଂଚି ନାରାୟଣ ପାଣି ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

seventeen − 5 =