ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗୁରୁଦିବସ ପାଳନ !

ଢ଼େଙ୍କାନାଳ : ଗୁରୁଦିବସ ପାଳନ ଉପଲକ୍ଷେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପ୍ରାଙ୍ଗଣ ହୋଇଉଠିଥିଲା ଉତ୍ସବମୁଖର । ଭାରତୀୟ ପରମ୍ପରାରେ ଗୁରୁଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ଯାହାକୁ ମର୍ମେ ମର୍ମେ ଉପଲବ୍ଧି କରିଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ବିଦ୍ୟାଳୟ ମୁଖ୍ୟ ଫାଟକରୁ ସଭାଗୃହ ପର୍ଯ୍ୟନ୍ତ ସାଜସଜ୍ଜା ଥିଲା ଯେତିକି ସୁନ୍ଦର ସେତିକି ହୃଦୟସ୍ପର୍ଶୀ । ସକାଳ ପ୍ରାୟ ୯ ଘଟିକାରୁ ୧୦ ଘଟିକା ମଧ୍ୟରେ ଅତିଥିଭାବେ ଉପସ୍ଥିତ ହୋଇଯାଇଥିଲେ ବିଦ୍ୟାଳୟରୁ ଅତୀତରେ ଅବସର ନେଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ମହାପାତ୍ର ଓ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଖୁର୍ଷିତା ବେଗମ । ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବନବିଦ୍ୟାଳୟରେ ପଞ୍ଚସଖାଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରି ବରେଣ୍ୟ ଅତିଥୀଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସଭା ଗୃହକୁ ପ୍ରବେଶ ହୋଇଥିଲା । ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ଓ ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା କାର୍ଯ୍ୟକୁ ଆରମ୍ଭ କରାଯାଇଥିଲା । ଅତିଥିମାନଙ୍କ ପରିଚୟ ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ । ଏହି ଅବସରରେ ପିଲାଙ୍କ ଦ୍ୱରା ଆୟୋଜିତ ଗୁରୁପୂଜା କାର୍ଯ୍ୟକ୍ରମଟି ଥିଲା ଅତ୍ୟନ୍ତ ମନୋରମ । ପାରମ୍ପରିକ ରୀତିନୀତି ଅନୁସାରେ ସେମାନେ ଫୁଲ, ଚନ୍ଦନ, ସିନ୍ଦୁର, ଧୂପ ଓ ଦୀପ ଆଦି ଉପଚାର ମାଧ୍ୟମରେ ଗୁରୁପୂଜା କରି ଗୁରୁ ବନ୍ଦନା ଗାନ କରିଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଥିଲେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଉର୍ମିଳା କର, ସ୍ନେହଲତା ତ୍ରିପାଠୀ, ଜୟନ୍ତୀ ରଥ, ଗୀତାଞ୍ଜଳି ମିଶ୍ର l ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ପ୍ରାଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଓ ସୁନ୍ଦର ହୋଇପାରିଥିଲା ।

Leave A Reply

Your email address will not be published.

sixteen + three =