ଢ଼େଙ୍କାନାଳ : ଜିଲ୍ଲାର ମିଠା କହିଲେ ସର୍ବାଗେ ମଗଜି ଲଡୁ କଥା ଆସେ । ଢେଙ୍କାନାଳ ଜିଲ୍ଲା ଭୁବନ, ମନ୍ଦାର, କାଶୀପୁର, ଷଡ଼ଙ୍ଗୀ, ଗଁଦିଆ, ବିଧାରପୁର, ଦେଓଗାଁ ଏବଂ ଢେଙ୍କାନାଳ ସହରର ମିଠା ଦୋକାନରେ ମଗଜିଲଡୁ ବିକ୍ରି ହେଉଥିବା ବେଳେ ଏହାର ଚାହିଦା ଅଧିକ ।
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମନ୍ଦାର, ଷଡ଼ଙ୍ଗୀ ଅଞ୍ଚଳରୁ ଏହି ମିଠାର ଏନ୍ତୁଡିଶାଳ ବୋଲି ବେଶ ଜଣାଣୁଣା। ମଗଜି ଲଡୁର ସ୍ୱାଦ ଯେମିତି ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଠିକ୍ ସେମିତି। ପ୍ରଥମେ ମଇଁଷି କ୍ଷୀରରୁ ଛେନା ଛିଣ୍ଡାଇବାକୁ ପଡ଼େ। ଏକ ପାତ୍ରକୁ କାଠ ଚୁଲିରେ କମ ଆଞ୍ଚ ରେ ବସାଇ ସେଥିରେ ଛେନା, ଚିନି, ଗୁଜୁରାତିଗୁଣ୍ଡ ମିଶାଇ ଏକ ନିଦ୍ଦିର୍ଷ୍ଟ ସମୟ ପର୍ଯ୍ୟନ୍ତ ଧିରେ ଧିରେ ଚଲା ଯାଇଥାଏ। ଉକ୍ତ ମିଶ୍ରଣକୁ ଥଣ୍ଡା କରାଯାଏ ନଖଉଷୁମ ଥିବାବେଳେ ଏହାକୁ ହାତରେ ବଳି ମଗଜିଲଡୁ ପ୍ରସ୍ତୁତ କରାଯାଏ। ଥଣ୍ଡା ହେବା ପରେ ମିଠା ଟାଣ ହୋଇଯାଏ। ସାଧାରଣତଃ ଏହିମିଠା ୧୦ରୁ୧୫ ଦିନ ଯାଏ ରହିପାରିବ ।
ମଗଜି ଲଡୁର ସୃଷ୍ଟି ନିଶ୍ଚିତ ରୂପେ ବହୁ ପୂରାତନ, ଶୁଣାଯାଏ ଐତିହାସିକ ତଥ୍ୟ ଅନୁଯାୟୀ , ଶ୍ରୀ ଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀଧର ସ୍ୱାମୀ କପିଳାସ ଆଶ୍ରମରେ କିଛିଦିନ ରହଣିକରିଥିଲେ। ଏହିସମୟରେ ଶ୍ରୀଧର ସ୍ୱାମୀ ମଇଁଷି କ୍ଷୀରରୁ ପ୍ରସ୍ତୁତ ଛେନାରୁ ଏକ ପ୍ରକାର ମିଠା ପ୍ରସ୍ତୁତ କରି ଶ୍ରୀଚୈତନ୍ୟଙ୍କ ପରସିଥିଲେ। ପରବର୍ତ୍ତୀ ସମୟରେ ଏହା ମଗଜିନାମରେ ଖ୍ୟାତିଲାଭ କରିଥିଲା। ମହାନ ଗାଳ୍ପିକ , ବ୍ୟାସକବି ଫକୀର ମୋହନ ସେନାପତି ଢେଙ୍କାନାଳରେ ରହଣି ସମୟରେ ତତ୍କାଳୀନ ବାଲେଶ୍ୱର କଲେକ୍ଟର ଜନ୍ ବିମ୍ସଙ୍କୁ ମହିମାଧର୍ମ ତାଳବରଡ଼ା ଛତା, ମଗଜିଲଡୁଦେଇ ଆପ୍ୟାୟିତ କରିଥିଲେ। ଏଥିରୁମଗଜିର ପ୍ରାଚୀନତା ଜଣାପଡ଼େ ।
ବଣପାହାଡ଼ ଘେରା ଗଁଦିଆ ବ୍ଲକର ଚାରଣ ଭୂମି ଗୋ- ମହିଷାଦି ପ୍ରାଣୀସମ୍ପଦ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ପୂର୍ବକାଳରେ ଏଠାରେ ବହୁଂଖ୍ୟାରେ ମଇଷିଁ ପାଳନ କରାଯାଉଥିବାବେଳେ ପ୍ରଚୁର ଦୁଗ୍ଧ ଉତ୍ପାଦନ ହେଉଥିଲା। ଏହି କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ମଗଜିଲଡୁ ପ୍ରସ୍ତୁତ ହୋଇଥିଲା। ଢେଙ୍କାନାଳର ମଗଜି ଲଡୁ ବହୁ ପୁରୁଣା ଏବଂ ସ୍ୱତନ୍ତ୍ର ମିଠା । ଏହା ଜିଆଇ ଟ୍ୟାଗ୍ ମାନ୍ୟତା ପାଇବାର ଆବଶ୍ୟକତା ରହିଛି।
ଆଜି ଢେଙ୍କାନାଳର ଏହି ପାରମ୍ପରିକ ମିଠେଇ ମଗଜି ଲଡୁକୁ ଜିଓଗ୍ରାଫକାଲି ଇଣ୍ଡିକେଶନ (ଜିଆଇ) ମାନ୍ୟତା ନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଆସନ୍ତା ଡିସେମ୍ବର ୬ରେ ଭୁବନେଶ୍ୱରରେ ଜିଆଇ ଅଥରିଟିଙ୍କ ଉପସ୍ଥିତିରେ ଏହାର ଶୁଣାଣି ହେବ। ସେଠାରେ ସବୁଜ ସଙ୍କେତ ମିଳିଲେ ମଗଜି ଲଡୁ ବିଧିବଦ୍ଧ ଭାବେ ମାନ୍ୟତା ହାସଲ କରିବ ବୋଲି ଜଣାପଡ଼ିଛି। ଏହିସ୍ୱାଦିଷ୍ଟ ମିଠାର ପ୍ରସ୍ତୁତିଶେଳୀ ନିଆରା। ମଗଜି ଲଡୁକୁ ଜିଆଇ ମାନ୍ୟତା ଦେବା ଲାଗି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି )ରେ ବିଧିବଦ୍ଧ ଭାବେ ଆବେଦନ କରାଯାଇଥିଲା। ଏହାକୁ ଗ୍ରହଣ କରିଥିଲେ ଜିଆଇ କତ୍ତୃପକ୍ଷ। ତେବେ ପରୀକ୍ଷା ନିରୀକ୍ଷା ପରେ ଏ ସମ୍ପର୍କିତ ଅଧିକ ତଥ୍ୟ ଲୋଡ଼ିଥିଲେ। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବା ପରେ ମଗଜିଲଡୁ ଜିଆଇ ମାନ୍ୟତା ଆଡ଼କୁ ଆଉ ପାଦେ ଆଗେଇଛି।
ଏହି ସୁସ୍ବାଦ ପୁଷ୍ଟିକର ଭରପୂର ମଗଜି ଲଡୁ ନିଶ୍ଚିତ ଭାବେ ଜିଆଇ ମାନ୍ୟତା ପାଇବ ବୋଲି ଜିଲ୍ଲାବାସୀ ଦୃଢ଼ ଆଶା ପୋଷଣ କରିଛନ୍ତି । ମଗଜି ଲଡୁକୁ ମାନ୍ୟତା ମିଳିଲେ ଢେଙ୍କାନାଳ ଇତିହାସରେ ନୂତନ ଫର୍ଦ୍ଦ ଯୋଡ଼ିହେବ। ଦୁଗ୍ଧ ଚାଷୀ, ଗୋପାଳକ, ମିଠା କାରିଗର , ମିଠା ବ୍ୟବସାୟୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।