ମନ ମୋହୋଇଛି ଗଦଗଦି ଜଳ ପ୍ରପାତ : ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦାବୀ !

ଢ଼େଙ୍କାନାଳ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଆମ ରାଜ୍ୟ ଓଡ଼ିଶା। ପ୍ରକୃତି ଏଠାରେ ତାର ସବୁତକ ସୌନ୍ଦର୍ଯ୍ୟ ଅଜାଡି ଦେଇଥିବା ପରି ମନେହୁଏ। ଆଉ ଏହି ଓଡିଶାରେ ଅନେକ ଜିଲ୍ଲା ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ଢେଙ୍କାନାଳ ଜିଲ୍ଲା । ପାହାଡ ଜଙ୍ଗଲ ଘେରା ଓ ପ୍ରାକୃତିକ ସବୁଜିମାର ଅଞ୍ଚଳ ହେଉଛି ଢେଙ୍କାନାଳ। ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ନୁତନ ଭାବେ ଠାବ ହୋଇଛି ଗଦଗଦି ଜଳପ୍ରପାତ। ଢେଙ୍କାନାଳ ଜିଲ୍ଲାର ଭୁବନ ନିଳକଣ୍ଠପୁର ଛକ ବାଜିରାଉତ ସହୀଦ ସ୍ତମ୍ଭ ଠାରୁ ମାତ୍ର ୬ କିଲୋମିଟର ଦୁରରେ ଏହି ଗଦଗଦି ଜଳପ୍ରପାତ ଅବସ୍ଥିତ । ମନ୍ଦାର – ଦଲାର ଗାଁର ମୂଖ୍ଯ ରାସ୍ତାଠାରୁ ବାମ ପଟରେ ଅଧ କିଲୋମିଟର ବାଟ ଅତିକ୍ରମ କଲେ ନୁତନ ଭାବେ ଠାବ ହୋଇଥିବା ଏହି ଜଳପ୍ରପାତ ଦେଖିବାକୁ ପାଇବେ।

ଏହି ଜଳପ୍ରପାତର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ଏବେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି। ତେବେ ଗଦଗଦି ଜଳପ୍ରପାତଟି ଭୁବନ ପଟେ ଥିବା ବ୍ରାହ୍ମଣୀ ନଦୀର ଅପରପାର୍ଶ୍ୱରେ ତଥା ଗଁଦିଆ ବ୍ଳକ ମନ୍ଦାର ପଞ୍ଚାୟତ ଅନ୍ତର୍ଗତ ଦଲାର ଗାଁରେ ରହିଛି। ଗଦଗଦି ଜଳପ୍ରପାତର ଉପର ଭାଗରେ ଏକ ମଠ ରହିଛି, ସେଠାରେ ରହିଥିବା ଠାକୁରଙ୍କୁ ଗ୍ରାମବାସୀଙ୍କ ଦ୍ବାର ପୂଜା କରାଯାଏ । ମଧ୍ଯ ଭାଗରେ ଏକ ବିରଟକାୟ ସମତଳ ପଥର ରହିଛି । ଇତିହାସ କୁହେ ଯେବେ ବର୍ଷା ନହୁଏ ଏହି ପଥର ଉପରେ ବସି ହୋମ ଯଞ୍ଜ, ନାମ ସଙ୍କୀର୍ତ୍ତନ କରାଯିବା ପରେ ସେହିଦିନ ନିଶ୍ଚିତ ବର୍ଷା ହୁଏ ଯାହାକି ଗ୍ରାମବାସୀଙ୍କ ବିଶ୍ବାସ ରହିଛି । ସେହିପରି ଗଦଗଦିର ଝରଣା ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୋଇଥାନ୍ତି।

ଏହି ଜଳପ୍ରପାତ ସ୍ଥାନକୁ ଯାଇଥିବା ରାସ୍ତା ଅଣଓସାରିଆ ହୋଇଥିବା ବେଳେ ଯିବା ଆସିବା ପାଇଁ ଭଲ ରାସ୍ତା ନାହିଁ। ପାହାଡର ପାଦ ଦେଶରେ ଥିବା ଏହି ଜଳପ୍ରପାତ ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରୁଥିବାର ଏବେ ଦେଖିବାକୁ ମିଳୁଥିବାବେଳେ ଏବେ ସବୁଦିନ ହଜାର ହଜାର ପର୍ଯ୍ୟଟକ ଦେଖିବାକୁ ମିଳୁଛି । ଏହା ସହ ଝରଣାରେ ଗାଧେଇବାର ମଜା ନିଅନ୍ତି ପର୍ଯ୍ୟଟକମାନେ। ଦଲାର ଗାଁର ପାହାଡିଆ ଅଞ୍ଚଳରେ ରହିଥିବା ଏହି ଜଳପ୍ରପାତଟି ବେଶ୍‌ ଆକର୍ଷଣୀୟ। ବିଶେଷକରି ପ୍ରାକୃତିକ ଶୋଭା ରାଜି ଭିତରେ ପକ୍ଷୀଙ୍କ କଳରବ ଏବଂ କୁଳୁକୁଳୁ ଝରଣା ବେଶ୍‌ ରୋମାଞ୍ଚିତ। ବଣଭୋଜି ପାଇଁ ଏଠାରେ ଛୋଟବଡ଼ ଅନେକ ପିଣ୍ଡି ମଧ୍ୟ ରହିଥିବା ବେଳେ ପର୍ଯ୍ୟଟକମାନେ ଏଠାରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟର ମଜା ନେଇ ପାରିବେ । ଢ଼େଙ୍କାନାଳରୁ ଭାୟା କପିଳାସ ଦେଇ ଭୁବନକୁ ଦୈନିକ ବସ୍‌ ଯୋଗେ ମଧ୍ୟ ଗମନାଗମନ ସୁବିଧା ରହିଛି।
ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳଭାବେ ଠାବ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

13 − 1 =