ଢେଙ୍କାନାଳ ଶିଶୁ ମନ୍ଦିରରେ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପୂର୍ବ ଛାତ୍ରଙ୍କୁ ସମ୍ବର୍ଦ୍ଧନା !

ଢେଙ୍କାନାଳ : ସହର ଉପକଣ୍ଠ ସୁନ୍ଦରୀଖାଲସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଦୁଇ ଜଣ ପୂର୍ବ ଛାତ୍ର ସତ୍ୟଶାନ୍ତି ମାଝି ଓ ସୁଚିସ୍କିତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା କରାଯାଇଛି ।

ମା ସରସ୍ୱତୀ, ଭାରତ ମାତା, ଡକ୍ଟରଜୀ, ଶ୍ରୀ ଗୁରୁଜୀଙ୍କ ନିକଟରେ ସମ୍ମାନିତ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ମାନନୀୟ ବାବୁଚାନ୍ଦ ମହାଳିକ ସଭାପତିତ୍ୱ କରିବା ସହିତ ସମ୍ପାଦକ ମାନନୀୟ ଗଗନ ବିହାରୀ ନାୟକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ । ସହ-ପ୍ରଧାନ ଆଚାର୍ଯ୍ୟା କନକଲତା ପ୍ରଧାନ ମଞ୍ଚାସୀନ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହିତ ପ୍ରଧାନ ଆଚାର୍ଯ୍ୟ ନଗେନ କୁମାର ଦାସ ବୈଠକର ଆଭିମୁଖ୍ୟ ପ୍ରଦାନ କରିଥିଲେ ।ସୁଶ୍ରୀ ଶୁଭଶ୍ରୀ ସୁଚିସ୍କିତା ନିଷ୍ଠା ଓ ଏକାଗ୍ରତାର ସହ କାର୍ଯ୍ୟ କରିବାକୁ ଶିଶୁମାନଙ୍କୁ ଉପଦେଶ ଦେଇଥିବା ବେଳେ ସତ୍ୟଶାନ୍ତି ମାଝି ‘ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି’ ବୋଲି କହିଥିଲେ । ଶିଶୁ ମନ୍ଦିରରୁ ପାଇଥିବା ଶିକ୍ଷା ଓ ପ୍ରେରଣା ଆଜିର ସଫଳତାରେ ସହାୟକ ହୋଇଛି ଏବଂ ସମାଜର ନିମ୍ନ ବର୍ଗର ଲୋକଙ୍କ ପାଖରେ ସେବା କିପରି ପହଞ୍ଚିବ, ଶିଶୁ ମନ୍ଦିରର ଏହି ମୌଳିକ ଲକ୍ଷ୍ୟକୁ ସେମାନେ ନିଶ୍ଚିତ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଉଭୟ ମତ ଦେଇଥିଲେ ।

ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଉଭୟଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ନାରିକେଳ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା ।ସଭା ଶେଷରେ ପର୍ଯ୍ୟାୟ ପ୍ରମୁଖ ଅରୁନ୍ଧତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବୋପରି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

fifteen + twenty =