ଢେଙ୍କାନାଳ : ଢେଙ୍କାନାଳ ସଦର ବନାଞ୍ଚଳ ର ଭରତିଆପାଳ ଗ୍ରାମରେ ଆୱାର୍ଡ଼ ପରିବାର ତରଫରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ଯାପନୀ ଉତ୍ସବ ପାଳନ ଅବସରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଢେଙ୍କାନାଳର ପବିତ୍ର ମାଟି ବାରମ୍ୱାର ପ୍ରମାଣ କରିଛି ଯେ ତା’ର ହୃଦୟ ବିଭିନ୍ନ ପ୍ରକାରର ବନ୍ୟଜୀବଙ୍କ ଏକ ପ୍ରକୃଷ୍ଟ ପ୍ରଜନନ କେନ୍ଦ୍ର । ଏହାର ଚାରିପାଖରେ କିମ୍ୱା ସଂପର୍କରେ ଥିବା ଅନୁଗୁଳ, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଆଠଗଡ଼,ଚନ୍ଦକା ବନ୍ୟଜୀବ ମାନଙ୍କ ଗନ୍ତାଘର ହୋଇଥିଲାବେଳେ ଢେଙ୍କାନାଳ ଏମାନଙ୍କର ଏନ୍ତୁଡିଶାଳ ।
ଏଠାରେ ହାତୀ, ବାଘ , କଇଁଛ ଏବଂ ବିଦେଶାଗତ ପକ୍ଷୀମାନେ ବଂଶ ବିସ୍ତାର କରିବାକୁ ପହଞ୍ଚିଥାନ୍ତି । ଜଙ୍ଗଲରେ ବାରମ୍ୱାର ନିଆଁ, ଶିକାରୀମାନଙ୍କ ଆକ୍ରମଣ, ବେନିୟମ ଖଣି ଖଦାନ, ଜଙ୍ଗଲ ଜମିର ଜବର ଦଖଲ, ପ୍ରଶାସନର ବିଦ୍ୟୁତ୍ ବିଭାଗ,ରେଳପଥ, ରାଜପଥ, ଜଳସେଚନ ବିଭାଗ ସହିତ ସମନ୍ୱୟ ଅଭାବରୁ ୨ଟି ହାତୀ ଚଲାପଥ ଓ ସମସ୍ତ ବନ୍ୟପ୍ରାଣୀ ବିପଦ ମୁହାଁ ଏବଂ ମନୁଷ୍ୟ ବନ୍ୟପ୍ରାଣୀ ବିବାଦ ଚରମ ସୀମାରେ ।
ବନ୍ୟପ୍ରାଣୀ ଏବେ ଗାଁ ଓ ସହର ମୁହାଁ । ଏହି ବିବାଦକୁ ହ୍ରାସ କରିବା ତଥା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକ୍ରମରେ ସର୍ବସାଧାରଣ ସାମିଲ୍ ହେବା ଉଚିତ୍ ବୋଲି ୬୮ତମ ବନ୍ୟପ୍ରାଣୀ ସପ୍ତାହ ଉଦଯାପନୀ ଦିବସରେ ଅତିଥିମାନେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସାପ କାମୁଡାରୁ ରକ୍ଷା ପାଇବା ନିମନ୍ତେ ତଳେ ନଶୋଇ ଖଟ ଉପରେ ଶୋଇବା , ମଶାରୀ ଟାଣିବା, ଟର୍ଚ୍ଚ ବ୍ୟବହାର କରିବା ଏବଂ ଘର ଚାରିପାଖ ପରିସ୍କାର ରଖିବା ସହିତ ଗୁଣୀ ଗାରେଡ଼ି କିମ୍ୱା ଅନ୍ଧବିଶ୍ୱାସରେ ସମୟ ନଷ୍ଟ ନ କରି ସାପ କାମୁଡ଼ା ରୋଗୀକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପରିବାରର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ସୁଜିତ କୁମାର ନନ୍ଦ, ତରଣୀ ନାଏକ, ମନୋଜ ଦେହୁରୀ , କୈଳାସ ରାଉତ ପ୍ରମୁଖ ଉପସ୍ଥିତ ଥିଲାବେଳେ ଗ୍ରାମବାସୀମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।